ଝାରସୁଗୁଡା: ସରିଲା ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର। ୧୦ରେ ପଡିବ ଭୋଟ୍। ଏବେ ଅନ୍ଧାରିବିଜେ। ପୋଲିଂ ଅଧିକାରୀମାନେ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲରେ ପହଞ୍ଚି ସାରିଛନ୍ତି, ସେମାନେ ମତଦାନ ପୂର୍ବରୁ ନିର୍ବାଚନ ମଣ୍ଡଳୀରେ ଥିବା ସେମାନଙ୍କ ନିର୍ଦ୍ଧାରିତ ବୁଥକୁ ଯିବେ। ନିର୍ବାଚନ କମିସନଙ୍କ ବିଜ୍ଞପ୍ତି ଅନୁଯାୟୀ ମେ’ ୧୩ ତାରିଖରେ ଭୋଟ୍ ଗଣତି ହେବ।
ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୨୧ ହଜାର ୭୦ ଜଣ ଭୋଟର ଥିବାବେଳେ ଏଥିରେ ୧ ଲକ୍ଷ ୧୦ ହଜାର ୩୨୦ ଜଣ ପୁରୁଷ, ୧ ଲକ୍ଷ ୧୦ ହଜାର ୬୮୭ ଜଣ ମହିଳା ଓ ୬୩ ଜଣ କିନ୍ନର ଭୋଟର ରହିଛନ୍ତି। ଚଳିତଥର ସମସ୍ତ ବୁଥରେ ହେବ ଓ୍ୱେବକାଷ୍ଟିଂ। ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଘୋଷଣା କରିଛନ୍ତି ଯେ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ହଜାରେରୁ ଅଧିକ ପୋଲିଂ ଅଫିସର ନିୟୋଜିତ ହେବେ। ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ଓ ସ୍ୱଚ୍ଛ ଭାବେ ପରିଚାଳନା କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି।
ସିଇଓଙ୍କ ସୂଚନା ଅନୁଯାୟୀ, ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ପାଇଁ ମୋଟ ୨୫୩ଟି ବୁଥ୍ କରାଯାଇଛି। ସେଥିମଧ୍ୟରୁ ୨୬ଟି ପିଙ୍କ୍ ବୁଥ୍ କେବଳ ମହିଳା ଭୋଟରଙ୍କ ପାଇଁ କରାଯାଇଛି। ମତଦାନକୁ ଶୃଙ୍ଖଳିତ କରିବା ପାଇଁ ପ୍ରତି ବୁଥରେ ୪ଜଣ ଲେଖାଏଁ ପୋଲିଂ ଅଫିସରଙ୍କୁ ମିଶାଇ ମୋଟ ୧ହଜାର ୧୨ଜଣ ପୋଲିଂ ଅଫିସର ନିୟୋଜିତ ହେବେ। ଏଥିସହିତ ୯୬ ଜଣ ପୋଲିଂ ଅଧିକାରୀଙ୍କୁ ସଂରକ୍ଷିତ ରଖାଯିବା ସହ ୬୯ଟି ବୁଥରେ ମାଇକ୍ରୋ ଅବଜର୍ଭର ନିଯୁକ୍ତ କରାଯିବ।
ସମସ୍ତ ବୁଥରେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବାକୁ ଥିବା ବେଳେ ମତଦାନର ଦେଢ଼ ଘଣ୍ଟା ପୂର୍ବରୁ ମକ୍ ପୋଲିଂ କରାଯିବ। ସ୍ୱଚ୍ଛତା ଓ ବୁଥ ଦଖଲକୁ ରୋକିବା ପାଇଁ ସମସ୍ତ ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି।
ଏଥିସହିତ, ମୋଟ୍ ୧,୧୫୫ ପୋଲିସ ଅଧିକାରୀଙ୍କ ସମେତ ୮୧୪ ପୋଲିସ କର୍ମଚାରୀ, ୧୭ ପ୍ଲାଟୁନ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ, ୩୨୩ ହାବିଲଦାର/ କନଷ୍ଟେବଳ, ମତଦାନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୨୦୫ ଜଣ ହୋମଗାର୍ଡ ଏବଂ ୭ ସିଏପିଏଫ୍ ମୁତୟନ ହେବେ। ନିର୍ବାଚନମଣ୍ଡଳୀର ୧୪୪ଟି ବୁଥରେ ସିଏପିଏଫ୍ ଯବାନ ମୁତୟନ ହେବେ।
ଶେଷରେ ସିଇଓ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଉପନିର୍ବାଚନ ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ବୁଥରେ ଓ୍ୱେବ କାଷ୍ଟିଂ ସୁବିଧା ଉପଲବ୍ଧ ହେବା ସହିତ ପୋଲିଂ ଅଫିସର, ମାଇକ୍ରୋ ଅବଜରଭର, ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବା ଦ୍ୱାରା ମତଦାନ ପ୍ରକ୍ରିୟା ସୁରୁଖୁରୁରେ ଓ ସ୍ୱଚ୍ଛ ଭାବେ ହୋଇପାରିବ।
Comments are closed.