Latest Odisha News

BREAKING NEWS

ଗଣେଶ ପୂଜାରେ ଆସିବ ଜିଓ’ର ସ୍ମାର୍ଟ ଫୋନ୍ ‘ଜିଓ ଫୋନ୍ ନେକ୍ସଟ’

  • ଗୁଗଲ ଓ ଜିଓ ଦ୍ଵାରା ବିକଶିତ ଏହି ୪- ଜି ସ୍ମାର୍ଟ ଫୋନ୍

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଜିଓ ଓ ଗୁଗୁଲ ମିଳିତ ଭାବେ ପ୍ରସ୍ତୁତ କରୁଥିବା ଏକ ୪-ଜି ସ୍ମାର୍ଟ ଫୋନ୍ ସମ୍ପର୍କରେ ଘୋଷଣା କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୧୦ ଗଣେଶପୂଜାରେ ଏହି ସ୍ମାର୍ଟ ଫୋନ୍ ବଜାରରେ ଉପଲବ୍ଧ ହେବ। ଏହାର ନାଁ ରହିଛି ‘ଜିଓ ଫୋନ୍ ନେକ୍ସଟ’। ଏହା ସବୁ ବର୍ଗର ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ମିଳିବ ବୋଲି ମୁକେଶ କହିଛନ୍ତି। ସବୁ ପ୍ରକାର ଅତ୍ୟାଧୁନିକ ଫିଚରରେ ଭର୍ତ୍ତି ଏହି ଫୋନ୍ ଭାରତୀୟ ମୋବାଇଲ ବଜାରରେ ବେଶ ଆଦୃତ ହେବ ବୋଲି ସେ ଆଶା କରିଛନ୍ତି। ଏହି ଫୋନରେ ଏକଦମ ବିକଶିତ ନୂଆ ଭର୍ସନର ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ ଏହି ମୋବାଇଲ ଫୋନରେ ରହିଛି। ଭଏସ୍ ଆସିଷ୍ଟାଣ୍ଟ, ସ୍କ୍ରିନ ଟେକ୍ସଟର ଅଟୋମେଟିକ ରିଡ୍-ଆଲାଉଡ୍ ବ୍ୟବସ୍ଥା, ଲାଙ୍ଗୁଏଜ୍ ଟ୍ରାନ୍ସଲେସନ, ସ୍ମାର୍ଟ କ୍ୟାମେରା ଭଳି ଅନେକ ଫିଚର ରହିଛି ଏହି ଫୋନରେ।

ରିଲାଏନ୍ସର ଆନୁଆଲ ଗଭର୍ଣିଂ ବଡି ମିଟିଂରେ ଏହି ଫୋନ ସମ୍ପର୍କରେ ଘୋଷଣା କରିବା ଅବସରରେ ମୁକେଶ ଅମ୍ବାନୀ କହିଛନ୍ତି ଯେ, ଏବେ ବି ୩୦ କୋଟି ଲୋକ ଅଛନ୍ତି ଯେଉଁମାନେ ୨ଜି ସର୍ଭିସ ଥିବା ସ୍ମାର୍ଟ ଫୋନ ଧରୁଛନ୍ତି। କାରଣ ସେମାନଙ୍କ ପାଇଁ ଏବେକାର ସ୍ମାର୍ଟ ଫୋନ୍ କିଣିବା ସମ୍ଭବ ହେଉନି। ତେଣୁ ଏହି ଜିଓ ଫୋନ୍ ନେକ୍ସଟ ଫୋନ୍ ସେମାନଙ୍କ ପାଇଁ କିଣିବା ସହଜ ହେବ। ଏହାସହିତ ଏହି ଫୋନ୍ ଦେଶକୁ ଟୁ-ଜି ମୁକ୍ତ କରିବ ବୋଲି ସେ କହିଛନ୍ତି। ତେବେ ଏହି ନୂଆ ଫୋନ୍ କେତେ ମୂଲ୍ୟରେ ବିକ୍ରି ହେବ ତାହା ଜଣା ପଡ଼ି ନାହିଁ। କିନ୍ତୁ ଏହି ଫୋନ୍ କେବଳ ଭାରତ ବଜାର ନୁହେଁ ପୂରା ବିଶ୍ଵରେ ଏହି ଫୋନ୍ ସୁଲଭ ଉପଲବ୍ଧ ଫୋନ୍ ହେବ ବୋଲି ମୁକେଶ ଅମ୍ବାନୀ କହିଛନ୍ତି।

ଏହି ଫୋନ୍ ସମ୍ପର୍କରେ ଗୁଗଲ ସିଇଓ ସୁନ୍ଦର ପିଚାଇ କହିଛନ୍ତି ଯେ, ଆମକୁ କମ ମୂଲ୍ୟରେ ଏମିତି ଏକ ଫୋନ୍ ଆଣିବାର ଥିଲା ଯାହା ମୋବାଇଲ ବ୍ୟବହାରକାରୀଙ୍କୁ ସେମାନଙ୍କ ଭାଷାରେ ତଥ୍ୟ ଓ ସୂଚନା ଦେଇପାରିବ। ଜଣେ ମୋବାଇଲର ସ୍କ୍ରିନରେ ଲେଖାଯାଇଥିବା ଭାଷା ନ ପଢ଼ିପାରିଲେ ମଧ୍ୟ କିଛି ଅସୁବିଧା ହେବନାହିଁ। କାରଣ ଏହି ଫୋନର ସ୍କ୍ରିନ ଟ୍ରାନ୍ସଲେସନ ଫିଚର ମୋବାଇଲ ବ୍ୟବହାରକାରୀକୁ ସେ ଜାଣିଥିବା ଭାଷାରେ ହିଁ ଟେକ୍ସଟ ସବୁକୁ ଅନୁବାଦ କରିବ। ଜଣେ ନିଜ ଭାଷାରେ ତାକୁ ପଢ଼ିପାରିବ। କେବଳ ମେସେଜ ନୁହେଁ, ଓ୍ଵେବ୍ ପେଜ୍ ମଧ୍ୟ ନିଜ ଭାଷାରେ ଅନୁବାଦ ହୋଇଯିବ। ଗୁଗୁଲ ଆସିଷ୍ଟାଣ୍ଟ ଆହୁରି ଅଧିକ ସକ୍ରିୟ ଭାବେ କାମ କରିବ। ଅପଡେଟ୍ କ୍ରିକେଟ ସ୍କୋର, ପାଣିପାଗ ଅପଡେଟ୍ ନିଜ ଭାଷାରେ ଶୁଣିପାରିବେ ମୋବାଇଲ୍ ବ୍ୟବହାରକାରୀ।  ଏହି ଫୋନ୍ ଭାରତ ପାଇଁ ତିଆରି ହୋଇଛି। ଏହା କୋଟି କୋଟି ବ୍ୟବହାରକାରୀଙ୍କ ପାଇଁ ଇଣ୍ଟରନେଟ୍ ବ୍ୟବହାରର ନୂଆ ଅନୁଭବ ଆଣିଦେବ ବୋଲି ସୁନ୍ଦର ପିଚାଇ କହିଛନ୍ତି।

Leave A Reply

Your email address will not be published.