ଭୁବନେଶ୍ୱର: ଉତ୍ତରାଖଣ୍ଡର ଯୋଶୀମଠରେ ଭୂମି ଦବିବାକୁ ନେଇ ଦେଶବାସୀଙ୍କ ଚିନ୍ତା ବଢ଼ିଛି । ତେବେ ଯୋଶୀମଠରେ କାହିଁକି ଦବୁଛି ମାଟି । ଭୂମିକମ୍ପ ସହ ରହିଛି କି ସମ୍ପର୍କ ? ବିଶେଷଜ୍ଞଙ୍କ କହିବା ଅନୁସାରେ, ବିଗତ କିଛି ବର୍ଷ ଧରି ଭୂସ୍ଖଳନ ହେଉଥିଲା । ଆଉ ଭୂସ୍ଖଳନର କାରଣ ହେଉଛି ଭୂମିକମ୍ପ ।
ଯୋଶୀମଠରେ ମାଟି ଦବୁଥିବା ବେଳେ ଓଡ଼ିଶାରେ ସେଭଳି ହେବାର ଆଶଙ୍କା ରହିଛି କି ? ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି । ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ସହଚର । ସବୁବର୍ଷ ବାତ୍ୟା ଓ ବନ୍ୟା ଓଡ଼ିଶାର ଛାତିକୁ ବିଦୀର୍ଣ୍ଣ କରୁଥିବା ବେଳେ ପଶ୍ଚିମ ଓଡ଼ିଶାରେ ମରୁଡ଼ି ସ୍ଥିତି ଉପୁଜେ ।
ପରିବେଶ ସୂଚନା ବ୍ୟବସ୍ଥା (ENVIS) ଅନୁସାରେ, ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଭୂମିକମ୍ପର ଆଶଙ୍କା ରହିଛି । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA)ଙ୍କ ଅନୁସାରେ, ଦେଶରେ ଭୂମିକମ୍ପର ଜୋନକୁ ୪ ଭାଗରେ ବିଭକ୍ତ କରାଯାଇଛି । ଆଉ ଓଡ଼ିଶା ଜୋନ୍ ଦୁଇ ଓ ତିନିରେ ଆସୁଛି । ଜୋନ୍ ୨ରେ ଆସୁଥିବା ଜିଲ୍ଲାରେ ଭୂମିକମ୍ପ ଜନିତ କ୍ଷୟକ୍ଷତି ଆଶଙ୍କା କମ୍ ଥିବା ବେଳେ ଜୋନ୍ ୩ରେ ଆସୁଥିବା ଜିଲ୍ଲାରେ ମଧ୍ୟମଧରଣର କ୍ଷୟକ୍ଷତି ଆଶଙ୍କା ରହିଥାଏ ।
ତେବେ ମଧ୍ୟମଧରଣର ରିସ୍କ ଜୋନରେ ସମ୍ପୂର୍ଣ୍ଣ ଜଗତସିଂହପୁର ଜିଲ୍ଲା ରହିଛି । ଓଡ଼ିଶାର ୧୬ଟି ଜିଲ୍ଲା ମଧ୍ୟମଧରଣର ରିସ୍କ ଜୋନରେ ରହିଥିବା ବେଳେ ୧୪ଟି ଜିଲ୍ଲା କମ୍ କ୍ଷୟକ୍ଷତି ରିସ୍କ ଜୋନରେ ଆସୁଛି । ଓଡ଼ିଶାରେ ଭୂମିକମ୍ପର ତଥ୍ୟକୁ ଅନୁଧ୍ୟାନ କଲେ ୧୯୯୫ରେ ଦେବଗଡ଼-ବଣାଇଗଡ଼ରେ ସାମାନ୍ୟ କ୍ଷୟକ୍ଷତି ହୋଇଥିଲା । ଏହାପରେ ତାଳଚେର ସହ ରେଙ୍ଗାଳି ଡ୍ୟାମ ଅଞ୍ଚଳରେ ଅନୁଭୂତ ହୋଇଥିଲା ଭୂମିକମ୍ପ ଝଟକା ।
୨୦୧୪ ମେ ୨୧ରେ ବଙ୍ଗୋପସାଗରରେ ହୋଇଥିବା ଭୂମିକମ୍ପର ତୀବ୍ରତା ୬ ମାଗ୍ନିଚ୍ୟୁଡ୍ ଥିଲା ଓ ଭୁବନେଶ୍ୱର ଥରିଥିଲେ ମଧ୍ୟ କିଛି କ୍ଷୟକ୍ଷତି ଘଟି ନଥିଲା । ଗତ ଡିସେମ୍ବର ୨୧ରେ ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ୩.୪ ତୀବ୍ରତାର ଭୂମିକମ୍ପ ହୋଇଥିବା ବେଳେ ଗଭୀରତା ପୃଥିବୀ ପୃଷ୍ଠରୁ ପାଖାପାଖି ୫ କିମି ଥିଲା । ତଥାପି ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାକୁ ଭୂମିକମ୍ପର ଭୟ ରହୁଛି । ୨୦୦୧ରେ ଗୁଜରାଟର ଭୁଜରେ ହୋଇଥିବା ଭୂମିକମ୍ପରେ ମଧ୍ୟମଧରଣର ରିସ୍କ ଜୋନରେ ଥିବା ଅହମଦାବାଦ କ୍ଷତିଗ୍ରସ୍ତ ହୋଇଥିଲା ।
କାହିଁକି ହୁଏ ଭୂମିକମ୍ପ ?
ପୃଥିବୀ ପୃଷ୍ଠର ଗଭୀରରେ ୭ଟି ସ୍ତର ରହିଛି । ଯାହାକି ନିୟମିତ ଘୂରିଥାଏ । ଏକାଧିକ ବାର ଧକ୍କା ହେବା ପରେ ଗୋଟିଏ ସ୍ତର ଦିଗ ବଦଳାଏ । ଅଧିକ ଚାପ ପଡ଼ୁଥିବା ସ୍ତରଟି ଭାଙ୍ଗି ଭୂମିକମ୍ପ ସୃଷ୍ଟି ହୋଇଥାଏ ।
Comments are closed.