Latest Odisha News

ମଧୁମିତା ମୃତ୍ୟୁ ରହସ୍ୟ…ଗିରଫ ହେଲେ ସ୍ବାମୀ

ଭୁବନେଶ୍ବର: କେମିତି ହେଲା ମହିଳା ସାମ୍ବାଦିକା ମଧୁମିତା ପରିଡାଙ୍କ ମୃତ୍ୟୁ? ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ନା କରାଯାଇଛି ହତ୍ୟା? ୫ବର୍ଷ ଧରି ପ୍ରେମ ସଂପର୍କ ପରେ ଗତ ମାର୍ଚ୍ଚ ୧ତାରିଖରେ ଶ୍ରୀଧର ଜେନାଙ୍କୁ ବିବାହ କରିଥିଲେ ମଧୁମିତା। ତେବେ ପାରିବାରିକ ସଂପର୍କକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ପୂର୍ବରୁ ବି ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ଗତକାଲି ବାପୁଜୀନଗର ନିକଟ ରେଳ ଧାରଣାରୁ ମଧୁମିତାଙ୍କ ମୃତଦେହ ମିଳିଥିଲା। ଘଟଣାରେ ମଧୁମିତାଙ୍କ ବାପଘର ଲୋକଙ୍କ ଅଭିଯୋଗ ଆଧାରରେ ସ୍ବାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିଛି ଧଉଳି ଥାନା ପୋଲିସ ।…

ସରି ମମି…କ୍ଷମା କରିଦେବୁ

ମୃତ୍ୟୁ ପୂର୍ବରୁ କାନ୍ଦି କାନ୍ଦି ଭିଡିଓ କରିଥିଲେ ମଧୁମିତା। ସୋସିଆଲ ମିଡିଆରେ ବି ପୋଷ୍ଟ କରିଥିଲେ । ଭିଡିଓରେ ମାଆ ଓ ଅନ୍ୟମାନଙ୍କୁ କ୍ଷମା ମାଗିଥିଲେ। ପାଞ୍ଚ ବର୍ଷର ପ୍ରେମ ସଂପର୍କ ପରେ ବିବାହ କରିଥିଲେ । ହେଲେ ବିବାହ ପରେ ତାଙ୍କ ସ୍ବାମୀ ତାଙ୍କୁ ଧୋକା ଦେବା ସହ ଅନ୍ୟ ଝିଅଙ୍କ ସହ ସଂପର୍କ ରଖିଛନ୍ତି । ରାତିରେ କଥା ହେଉଛନ୍ତି । ଏସଂପର୍କରେ ମଧିୁମିତା ଜାଣିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା । ସମସ୍ତେ ବୁଝାଇବା ପରେ ବି ଶ୍ରୀଧର ବୁଝିନଥିଲେ । ସେ ଛୁଟିରେ ଆସିଥିବା ବେଳେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା । ଆଉ ସହିପାରୁନଥିବା କହି ମୃତ୍ୟୁ ପୂର୍ବରୁ ଭିଡିଓ କରିଥିଲେ ମଧୁମିତା ।

ମୃତ୍ୟୁ ପଛରେ ପରକୀୟା ପ୍ରୀତି !

ମଧୁମିତାଙ୍କୁ ବିବାହ ପୂର୍ବରୁ ଅନ୍ୟ ଜଣଙ୍କୁ ବିବାହ କରିଥିଲେ ଶ୍ରୀଧର । ସେକଥା ମଧୁ କିମ୍ବା ତାଙ୍କ ପରିବାର ଲୋକେ ଜାଣିନଥିବା କହିଛନ୍ତି । ବିବାହ ପରେ ମଧୁ ଏନେଇ ଜାଣିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ମଧୁଙ୍କୁ ବିବାହ ପରେ ବି ଶ୍ରୀଧର ଅନ୍ୟ ଝିଅଙ୍କ ସହ ସଂପର୍କ ରଖୁଥିଲେ। ରାତି ରାତି ସେମାନଙ୍କ ସହ ଶ୍ରୀଧର ଫୋନରେ କଥା ହେଉଥିଲେ । ଏନେଇ ମଧୁମିତା ଜାଣିବା ପରେ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଦୁଇ ଦିନ ତଳେ ମଧୁମିତା ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ ବି କରିଥିଲେ । ପରେ ଥାନାରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା।

କ’ଣ କହୁଛନ୍ତି ଶ୍ରୀଧର ?

ମୃତ୍ୟୁ ପୂର୍ବର ଭିଡିଓରେ ନିଜେ ମଧୁମିତା ଓ ମୃତ୍ୟୁ ପରେ ପରିବାର ଲୋକେ ଶ୍ରୀଧରଙ୍କ ପରକୀୟା ପ୍ରୀତି କଥା ଉଠାଇଛନ୍ତି । ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ରୀଧର । ମଧୁମିତାଙ୍କ ମୃତ୍ୟୁ ଦିନ ସକାଳେ ସବୁକିଛି ଠିକ୍ ଥିଲା । ସଂଧ୍ୟାରେ ଭାଇଙ୍କୁ ନେଇ ଫେରିବା ବେଳେ ଇନଷ୍ଟାରେ ମଧୁମିତାଙ୍କ ଭିଡିଓ ଦେଖି ସେ ଫୋନ୍, ମେସେଜ୍ କରିଥିଲେ । ହେଲେ ମଧୁ ଉତ୍ତର ଦେଇନଥିଲେ । ଏହାପରେ ଥାନାକୁ ଯାଇ ପୋଲିସକୁ ବି ସେ ଭିଡିଓ ଦେଖାଇଥିଲେ ବୋଲି ଶ୍ରୀଧର କହିଛନ୍ତି । ତେବେ ଶ୍ରୀଧରଙ୍କୁ ଗିରଫ କରିଛି ଧଉଳି ଥାନା ପୋଲିସ ।

ହତ୍ୟା ନା ଆତ୍ମହତ୍ୟା !

ମହିଳା ସାମ୍ବାଦିକା ମଧୁମିତା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ? ସ୍ବାମୀ ଓ ଦେଢଶୁର ମିଶି ତାଙ୍କୁ ହତ୍ୟା କରିଥିବା ମଧୁଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମଧୁଙ୍କୁ ଛାଡପତ୍ର ଦେଇ ଅନ୍ୟ ଝିଅକୁ ବିବାହ କରିବାକୁ ଶ୍ରୀଧର ଯୋଜନା କରୁଥିଲେ । ତେଣୁ ମଧୁଙ୍କୁ ରାସ୍ତାରୁ ହଟାଇବା ପାଇଁ ସୁଚିନ୍ତିତ ହତ୍ୟା କରାଯାଇଥିବା ପରିବାର ଲୋକେ କହୁଛନ୍ତି । ଶ୍ରୀଧରଙ୍କ ଭାଇ ଆସିବାର କିଛି ସମୟ ପରେ ମୃତଦେହ ମିଳିଥିବାରୁ ସନ୍ଦେହ କରିଛନ୍ତି ମଧୁଙ୍କ ବାପଘର ଲୋକେ । ମୃତ୍ୟୁ ପୂର୍ବରୁ ଝିଅ ସୁନା ଜିନିଷ ନେଇଥିଲା । ସୁନା ନେବା ପାଇଁ ଶ୍ରୀଧରଙ୍କ ଭାଇ ଆସିଥିବା ପରିବାର ଲୋକେ କହିଛନ୍ତି ।

ମୃତଦେହ ପାଖରୁ ମୋବାଇଲ୍ ଉଦ୍ଧାର ହୋଇଛି। ଫୋନ୍ କଭର ଭିତରେ ସ୍ବାମୀଙ୍କ ଫଟୋ, ଫୋନ୍ ନମ୍ବର, ମାଆ ଓ ପୋଲିସ ଅଧିକାରୀଙ୍କ ନମ୍ବର ରହିଛି । ତେବେ ମଧୁମିତାଙ୍କ ମୃତ୍ୟୁ ଛାଡିଯାଇଛି ଅନେକ ପ୍ରଶ୍ନ । ବ୍ରିଜ୍ ଉପରୁ ଡେଇଁଛନ୍ତି ନା ତାଙ୍କୁ ଟ୍ରେନ୍ ଆଗକୁ ଠେଲି ଦିଆଯାଇଛି? ଯଦି ହତ୍ୟା କରାଯାଇଛି ତେବେ ତା ପଛରେ କିଏ? ଶ୍ରୀଧରଙ୍କ ପରକୀୟା ପ୍ରୀତି ଅଭିଯୋଗରେ ସତ୍ୟତା କେତେ? ଟଙ୍କା ପଇସାକୁ ନେଇ  ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିଲା କି ? ଆତ୍ମହତ୍ୟା ପାଇଁ ପୂର୍ବରୁ ନିଷ୍ପତ୍ତି ନେଇଥିଲେ କି ମଧୁମିତା? ମୃତ୍ୟୁ ପଛର କାରଣ ନେଇ ଖୋଳତାଡ କରୁଛି ପୋଲିସ।

Comments are closed.