Latest Odisha News

BREAKING NEWS

ସାମ୍ବାଦିକଙ୍କ ସୁରକ୍ଷା, ଅଧିକାର ଓ ସୁବିଧା ପାଇଁ ଆସିବ ସାମ୍ବାଦିକ ସୁରକ୍ଷା ଅଧିନିୟମ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶାରେ ସାମ୍ବାଦିକ ବନ୍ଧୁମାନେ ଖବର ପ୍ରସାରଣ ସହ ବିଭିନ୍ନ କାର୍ଯ୍ୟରେ ଗୁରୁ ଦାୟିତ୍ୱ ନିର୍ବାହ କରୁଛନ୍ତି । ଓଡ଼ିଶାର ଅଧିକାରରେ ସାମ୍ବାଦିକ ବନ୍ଧୁମାନଙ୍କର ବି ଦାୟିତ୍ୱ ରହିଛି। ତେବେ ସାମ୍ବାଦିକ ବନ୍ଧୁମାନଙ୍କର ସୁରକ୍ଷା, ଅଧିକାର ଓ ସୁବିଧା ପାଇଁ ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣିବା ସହ ସେମାନଙ୍କୁ ବିଧିବିଦ୍ଧ ଭାବରେ ମାନ୍ୟତା ପ୍ରଦାନ କରିବା ତଥା ପେନସନ ବ୍ୟବସ୍ଥା ପାଇଁ ଭୁବନେଶ୍ବର ଜୟଦେବ ଭବନରେ ଆୟୋଜିତ ଓଡ଼ିଶା ସାମ୍ବାଦିକ ୟୁନିୟନ(ଓୟୁଜେ)ର ୫୩ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଓଡ଼ିଶା ସାମ୍ବାଦିକ ୟୁନିୟନ(ଓୟୁଜେ)ର ୫୩ତମ ପ୍ରତିଷ୍ଠା ଦିବସ ସମାରୋହରେ ଉପସ୍ଥିତ ରହି ଓଡ଼ିଶା ସାମ୍ବାଦିକ ୟୁନିୟନର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ।  ସେ କହିଛନ୍ତି, ଆମ ଦେଶର ସମ୍ବିଧାନର ଗୌରବମୟ ୭୫ ବର୍ଷ ପୂର୍ତ୍ତି ହୋଇଛି। ତେବେ ସମ୍ବିଧାନ ପ୍ରଣୟନ ହେବା ପରେ ଦେଶରେ ପ୍ରଥମ କରି ଯେଉଁ ନିର୍ବାଚନ ହୋଇଥିଲା, ତାହା ପୂର୍ବରୁ ସମ୍ବିଧାନ ସଂଶୋଧନ କରାଗଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ସମ୍ବିଧାନର ସଂଶୋଧନ କରାଇଥିଲେ, ଯାହାର ଶିକାର ହୋଇଥିଲେ ସାମ୍ବାଦିକ। ସମାଲୋଚନାରୁ ବଞ୍ଚିବା ପାଇଁ ବାକ୍ ସ୍ୱାଧୀନତାକୁ ସଂଶୋଧନ କରାଗଲା।  ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର । ସମାଜରେ ଘଟୁଥିବା ନାନା ଠିକ୍ ଓ ଭୁଲକୁ ଦେଖାଇଥାନ୍ତି ସାମ୍ବାଦିକମାନେ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଗତ ନିର୍ବାଚନରେ ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଲୋକଙ୍କ ସୁରକ୍ଷା ପାଇଁ ନିର୍ବାଚନ ଥିଲା । ଓଡ଼ିଆ ଲୋକ ଜିତିବ ନା ହାରିବ, ତାହା ହିଁ ଥିଲା ମୂଳ ପ୍ରସଙ୍ଗ, ଯେଉଁଥିରେ ସାମ୍ବାଦିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ତେବେ ଗଣତନ୍ତ୍ରରେ କୌଣସି ବିଜୟ ସ୍ଥାୟୀ ନୁହେଁ । ଓଡ଼ିଶାରେ ଶାସନ କ୍ଷମତା ପରିବର୍ତ୍ତନ କରାଇବାରେ ସାମ୍ବାଦିକମାନଙ୍କର ଭୂମିକା ରହିଥିଲା। ସାମ୍ବାଦିକମାନଙ୍କୁ ସତ କହିବା ସହ ସମାଲୋଚନା କରିବା ଏବଂ ଜଣେ ଜଣେ ସାହସୀ ହେବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

ସାମ୍ବାଦିକମାନଙ୍କୁ ପ୍ରାଧାନ୍ୟ ଦେଇ ଶ୍ରୀ ପ୍ରଧାନ କହିଥିଲେ, ସାରଳା ଦାସଙ୍କ ଓଡ଼ିଆ ମହାଭାରତ, ବଳରାମ ଦାସଙ୍କ ଲକ୍ଷ୍ମୀପୂରାଣ, ପଠାଣୀ ସାମନ୍ତଙ୍କ ଅଗାଧ ପାଣ୍ଡିତ୍ୟ, ଓଡ଼ିଶାର ଉତ୍କୃଷ୍ଟ କଳା, ପୋଥି, ଭାସ୍କର୍ଯ୍ୟ ଆମର ଅନନ୍ୟ ବିଭବ । ଏହି ସବୁର ପ୍ରଚାର ପ୍ରସାର ପ୍ରସାର ସହ ବିଶ୍ୱବିଦିତ କରାଇବା ଦାୟିତ୍ୱ ହେଉଛି ସାମ୍ବାଦିକମାନଙ୍କର । ଓଡ଼ିଶା ଏକ ସମୃଦ୍ଧ, ବୌଦ୍ଧିକସମ୍ପନ୍ନ ଏବଂ ବଳଶାଳୀ ରାଜ୍ୟ । ଆମେ କଳିଙ୍ଗ ଯୁଦ୍ଧ ଲଢିଥିଲୁ । କଳିଙ୍ଗ ଯୁଦ୍ଧରେ ଓଡ଼ିଆଙ୍କ ସାମୂହିକ ଏକତା ଓ ଇଚ୍ଛାଶକ୍ତି ଅଶୋକଙ୍କ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା।  ମହାପ୍ରଭୁ ଶ୍ରୀଜଗନ୍ନାଥ କାଞ୍ଚି ବିଜୟ କରିଥିଲେ। ଓଡ଼ିଶାର ବୀରତ୍ୱ ଏବଂ ଓଡ଼ିଆ ଜାତିର ସମ୍ପନ୍ନତା ଏବଂ ବୁଦ୍ଧିକୁ ପ୍ରତିଫଳିତ କରୁଛି । ଓଡ଼ିଶାର ପ୍ରଗତି ଆଗାମୀ ଦିନରେ କଣ ହେବ ?  ଓଡ଼ିଶାର ପୁଞ୍ଜି ହେଲା ବୌଦ୍ଧିକ କ୍ଷମତା । ଓଡ଼ିଆ ଲୋକମାନଙ୍କ ପରିଶ୍ରମର ପାରାକାଷ୍ଠାର ଅନେକ ଉଦାହରଣ ରହିଛି ।

ଆଗାମୀ ଦିନରେ ରାଜ୍ୟରେ ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି । ପୂର୍ବରୁ ଓଡ଼ିଶାରେ ନୌସେନା ଦିବସ ପାଳନ ହୋଇଛି । ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ମଧ୍ୟ ଏଠାରେ ଆୟୋଜନ ହେବାକୁ ଯାଉଛି । ଓଡ଼ିଶାର ସୁଦୀର୍ଘ ବେଳାଭୂମିରେ ଥିବା ସମ୍ଭାବନାକୁ ଉପଯୋଗ କରିବା ସହ ବଣମଲ୍ଲିଙ୍କୁ ଲୋକଲୋଚନକୁ ଆଣିବା ସାମ୍ବାଦିକମାନଙ୍କର ଦାୟିତ୍ୱ ହେଉ । କଳାହାଣ୍ଡି ଜିଲ୍ଲାରେ ଦୁଇ ପୁଅ ଝିଅ ଇଞ୍ଜିନିୟରିଂ ପଢ଼ି ସାରିବା ପରେ ଛେଳି ଫାର୍ମ କରିଛନ୍ତି ଏହି ବିଷୟକୁ ନେଇ ଆମେ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଦରକାର । ସାମ୍ବାଦିକତା ମାଧ୍ୟମରେ ଓଡ଼ିଶାର ବଣମଲ୍ଲିମାନଙ୍କୁ ଆଗକୁ ଆଣିବାର ଆବଶ୍ୟକତା ଅଛି ଯାହା ଫଳରେ ଓଡିଶା ବୈଭବଶାଳୀ ଓ ବିକଶିତ ଓଡ଼ିଶା ଗଠନ ହୋଇପାରିବ । ଏହି ଉତ୍ସବ ଅବସରରେ ଶ୍ରୀ ପ୍ରଧାନ ପ୍ରତିଭାବାନ ଯୁବ ସାମ୍ବାଦିକମାନଙ୍କୁ ସାମ୍ବାଦିକ ପୁରସ୍କାରରେ ସମ୍ମାନିତ  କରିଥିଲେ ।

Leave A Reply

Your email address will not be published.