Latest Odisha News

BREAKING NEWS

ରଘୁନନ୍ଦନ ଦାସଙ୍କ ବିରୋଧରେ ଆକ୍ସନ୍ କେବେ?

ଭୁବନେଶ୍ବର : ବିଜେଡି ସରକାରରେ ଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୋକସେବା ଭବନ ମନା ଥିଲା। ଏବେ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ମହିଳା ସାମ୍ବାଦିକଙ୍କ ଉପରକୁ ବିଜେଡି ନେତା କୁକୁର ଛାଡିଥିବା ଅଭିଯୋଗ ହୋଇଛି। ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛି ଏକ ଘରୋଇ ନ୍ୟୁଜ ଚ୍ୟାନେଲ । ଘଟଣା ନେଇ କ୍ୟାପିଟାଲ ଥାନାରେ ଏତଲା ପରେ ରଘୁନନ୍ଦନଙ୍କ ଘରେ ପହଞ୍ଚିଥିଲା ପୋଲିସ । ସେପଟେ ଘଟଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସାମ୍ବାଦିକ । ତେବେ ପ୍ରଶ୍ନ ଉଠୁଛି, କାହିଁକି ବାରମ୍ବାର ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଚୁପ୍ କରାଇବାକୁ ଉଦ୍ୟମ ହେଉଛି?

ରଘୁନନ୍ଦନଙ୍କ ଉପରେ ଆକ୍ସନ୍ କେବେ?

ବିଜେଡି ସରକାରରେ ସୂଚନା ଲୋକସଂପର୍କ ମନ୍ତ୍ରୀ ଥିଲେ ରଘୁନନ୍ଦନ ଦାସ । ସାମ୍ବାଦିକ ସୁରକ୍ଷା ପାଇଁ ତାଙ୍କ ପାଖରେ ଦାବି କରୁଥିଲା ସାମ୍ବାଦିକ ସଂଘ । ଏବେ ସେହି ରଘୁନନ୍ଦନଙ୍କ ନାଁରେ ସାମ୍ବାଦିକାଙ୍କୁ ଆକ୍ରମଣ ଅଭିଯୋଗ। ଏଭଳି ଲଜ୍ଜାଜନକ ଓ ନିନ୍ଦନୀୟ ଘଟଣାରେ ଭୁଲ ମାଗିବା ଦୂରେ ଥାଉ ନିଜକୁ ଠିକ୍ ଦର୍ଶାଇବାକୁ ଉଦ୍ୟମ କରୁଛନ୍ତି ରଘୁନନ୍ଦନ । ଏହାକୁ ନେଇ ତାଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ସାମ୍ବାଦିକ । ପୂର୍ବତନ ମନ୍ତ୍ରୀ ଭାବେ କ୍ବାର୍ଟର୍ସ ପାଇଥିବା ରଘୁନନ୍ଦନ ସାମ୍ବାଦିକଙ୍କ ଦାୟିତ୍ବ କର୍ତ୍ତବ୍ୟ ପ୍ରତି ସଚେତନତା ରହିବା କଥା । କେମିତି କୁକୁର ଛାଡିବା ଭଳି ଅମାନବୀୟ ନିର୍ଦ୍ଦେଶ ଦେଲେ? କେମିତି ଜଣେ ସାମ୍ବାଦିକାଙ୍କୁ ଆକ୍ରମଣ କରିବାକୁ ପଛାଇଲେ ନାହିଁ ?

କାହିଁକି ଚୁପ୍ ନୂଆ ସରକାର ?

ବିଜେଡି ସରକାର ଉପରେ ସାମ୍ବାଦିକଙ୍କ କଣ୍ଠରୋଧକୁ ନେଇ ଅଭିଯୋଗ ଲାଗୁଥିଲା । ଲୋକସେବା ଭବନକୁ ସାମ୍ବାଦିକଙ୍କୁ ଯିବାକୁ ଅନୁମତି ମିଳୁନଥିଲା। ଏପରିକି ନିରପେକ୍ଷ ଖବର ପରିବେଷଣକୁ ନେଇ ଅଦେଖା ଅଙ୍କୁଶ ଲାଗିଥିବା ବି କୁହାଯାଉଥିଲା। ରାଜ୍ୟରେ ସରକାର ବଦଳିବା ସହ ସାମ୍ବାଦିକଙ୍କ ସୁରକ୍ଷା ନେଇ ନୂଆ ସରକାର ଅଧିକ ଦାୟିତ୍ବବାନ ହେବେ ବୋଲି ଆଶା କରାଯାଉଥିଲା। ହେଲେ ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିବା ଘଟଣାକୁ ଦୁଇ ଦିନ ବିତିଥିଲେ ବି ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଏହାକୁ ନିନ୍ଦା କରିଛନ୍ତି ବରିଷ୍ଠ ସାମ୍ବାଦିକ । ଏଥିସହ ରଘୁନନ୍ଦନଙ୍କ ବିରୋଧରେ କଡା ଆକ୍ସନ ନେବାକୁ ଦାବି କରିଛନ୍ତି ।

ପୂରା ଘଟଣାକ୍ରମ କ’ଣ ?

ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଘର ଭଙ୍ଗା ଘଟଣାର କଭରେଜ କରିବାକୁ ଯାଇଥିଲେ ଏକ ଘରୋଇ ନ୍ୟୁଜ ଚ୍ୟାନେଲର ମହିଳା ସାମ୍ବାଦିକା। ପ୍ରଣବଙ୍କ ପାଖ କ୍ବାର୍ଟର୍ସ ବା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସରକାରୀ ବାସଭବନ ପରିସରକୁ ଯାଇଥିଲେ । ତେବେ ସାମ୍ବାଦିକା ଓ କ୍ୟାମେରାମ୍ୟାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ରଘୁନନ୍ଦନ । ଏପରିକି କୁକୁର ଛାଡିବାକୁ ନିଜ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ସାମ୍ବାଦିକାଙ୍କୁ କୁକୁର ଲଗାଇ ଆକ୍ରମଣ ଧମକ ଦେଇଥିବା କଥାକୁ ବି ମାନିଛନ୍ତି ରଘୁନନ୍ଦନ।  ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ରଘୁନନ୍ଦନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

କ’ଣ କହିଲେ ରଘୁନନ୍ଦନ?
ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିବା ପରି ଅମାନବୀୟ ଘଟଣାକୁ ନେଇ ସବୁଠି ସମାଲୋଚନା ହେବା ପରେ ମୁହଁ ଖୋଲିଥିଲେ ରଘୁନନ୍ଦନ। ହେଲେ ଦୋଷ ମାନିବା ବଦଳରେ ଓଲଟା ସାମ୍ବାଦିକାଙ୍କୁ ଦୋଷୀ କହିଥିଲେ । ବାରଣ ସତ୍ବେ ତାଙ୍କୁ ଓ ତାଙ୍କ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରାଯାଇଥିଲା । କୁକୁର ଛାଡିବାକୁ କହିଛନ୍ତି ହେଲେ ଛାଡି ନାହାନ୍ତି ବୋଲି କହିଛନ୍ତି ରଘୁନନ୍ଦନ ।

ସାମ୍ବାଦିକା ଜଣକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନର ଫୁଟେଜ ନେବାକୁ ରଘୁନନ୍ଦନଙ୍କ କ୍ବାର୍ଟର୍ସ ପରିସରକୁ ଯାଇଥିଲେ। ନା ସେ ରଘୁନନ୍ଦନଙ୍କ ବିରୋଧରେ ଖବର କରୁଥିଲେ ନା ତାଙ୍କୁ ଅକଳରେ ପକାଇବା ନେଇ କିଛି କଭରେଜ କରୁଥିଲେ । ତେବେ କାହିଁକି ଏତେ ପ୍ରତିକ୍ରିୟାଶୀଳ ହୋଇଉଠିଲେ ରଘୁନନ୍ଦନ? କୌଣସି ବ୍ୟକ୍ତିଙ୍କ ଉପରେ କୁକୁର ଛାଡିବାକୁ କହିବା ଏକ ଅମାନବୀୟ ଘଟଣା ନୁହେଁ କି ? ସଭ୍ୟ ସମାଜରେ ବି ଏହା ନିହାତି ନିନ୍ଦନୀୟ ଘଟଣା ହୋଇଥିବା ବେଳେ କେମିତି ଜଣେ ପୂର୍ବତନ ମନ୍ତ୍ରୀ ହୋଇ ଏହା କରିବାକୁ ପଛାଇଲେ ନାହିଁ ରଘୁନନ୍ଦନ? ଘଟଣାରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

Leave A Reply

Your email address will not be published.