Latest Odisha News

ଓଡ଼ିଶା ଛାଡିବା ପ୍ରସଙ୍ଗ ଉପରେ ସ୍ପଷ୍ଟୀକରଣ ରଖିଲା ଜେଏସଡବ୍ଲୁ

ଭୁବନେଶ୍ବର: ଓଡିଶା ପ୍ରକଳ୍ପରୁ ଓହରିବନି ଜେଏସଡବ୍ଲୁ । ପୂର୍ବରୁ ରାଜ୍ୟରୁ ଜେଏସଡବ୍ଲୁ ତାର ପ୍ଲାଣ୍ଟ ସ୍ଥାନାନ୍ତର କରିବା ନେଇ ଯେଉଁ ଖବର ଆସୁଥିଲା ଏନେଇ କମ୍ପାନୀ ତରଫରୁ ଏକ ସ୍ପଷ୍ଟି କରଣ ପ୍ରଦାନ କରାଯାଇଛି ।

କମ୍ପାନୀର କାର୍ଯ୍ୟନିର୍ବାହୀ ଉପସଭାପତି ରଂଜନ ନାୟକ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଏଥିସହିତ ଓଡିଶା ଶିଳ୍ପମନ୍ତ୍ରୀ ସଂପଦ ସ୍ବାଇଁ ମଧ୍ୟ ଜେଏସଡବ୍ଲୁ ଓହରିବା ଖବରକୁ ଖଣ୍ଡନ କରିଛନ୍ତି ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଓଡିଶାର ପ୍ଲାଣ୍ଟ ସ୍ଥାନାନ୍ତର ନେଇ କୌଣସି ଯୋଜନା ନାହିଁ । ଜେଏସଡବ୍ଲୁ ଓଡିଶାର ପାରାଦୀପ ଏବଂ କଟକରେ ଇଭି ବ୍ୟାଟେରୀ ଓ ଇଭି ଗାଡି ପ୍ରକଳ୍ପ କରିବାକୁ ନବୀନ ସରକାର ସମୟରେ ବୁଝାମଣା ପତ୍ର ସ୍ବାକ୍ଷରିତ କରିଛି । ତେଣୁ ଓଡିଶାରେ ହିଁ ଜେଏସଡବ୍ଲୁ ତାର ଇଭି ଗାଡି ପ୍ରସ୍ତୁତ କରିବ । ରାଜ୍ୟରେ ୪୦ ହଜାର କୋଟି ଟଙ୍କା ବିନିଯୋଗରେ ଜେଏସଡବ୍ଲୁ ତାର ଏହି ପ୍ଲାଣ୍ଟ ବସାଇବାକୁ ଯାଉଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଏହା ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ଶିଳ୍ପ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଜେଏସଡବ୍ଲ୍ୟୁ କମ୍ପାନୀ ତା’ର ପ୍ରସ୍ତାବିତ ଇଭି ପ୍ରକଳ୍ପକୁ ସ୍ଥାନାନ୍ତର କରିବା ନେଇ ରାଜ୍ୟ ସରକାରଙ୍କୁ କିଛି ଅବଗତ କରିନାହିଁ । କମ୍ପାନୀର ଅଧିକାରୀମାନଙ୍କ ସହ ଆଲୋଚନା ଜାରି ରହିଛି । ଏହି ଆଲୋଚନା ସରିବା ପରେ କିଛି ନିର୍ଯ୍ୟାସ ବାହାରିବ । ମାତ୍ର ସେମାନେ ଓଡ଼ିଶା ପ୍ରକଳ୍ପ ଓହରିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ।

ସୂଚନାଯୋଗ୍ୟ, ଓଡିଶା ପ୍ରକଳ୍ପରୁ ଜେଏସଡବ୍ଲୁ ଓହରିଯିବା ନେଇ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । କମ୍ପାନୀ ତାର ପ୍ରକଳ୍ପ ଓଡିଶାରୁ ମହାରାଷ୍ଟ୍ରକୁ ସ୍ଥାନାନ୍ତରିତ କରିବ ବୋଲି ଖବର ପ୍ରକାଶ ପାଇଥିଲା । ଯାହାକୁ ଆଜି କମ୍ପାନୀ ପକ୍ଷରୁ ଖଣ୍ଡନ କରାଯାଇଛି ।

 

Leave A Reply

Your email address will not be published.