ସାଧାରଣ ଲୋକଙ୍କ ନ୍ୟାୟିକ ଅଧିକାର ଓ ଗାନ୍ଧୀ
ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’
ସ୍ୱାଧୀନତା ସହ ନ୍ୟାୟିକ ଅଧିକାର ଜଡିତ । ସାଧାରଣ ଲୋକଟିଏ ଯଦି ନ୍ୟାୟ ପାଇବାରୁ ବଞ୍ଚିତ ହୁଏ, ତେବେ ତାହାର ବ୍ୟକ୍ତିଗତ ସ୍ୱାଧୀନତା ଏବଂ ଧନ ଓ ଜୀବନ ଉପରେ ଥିବା ଅଧିକାର ସଙ୍କୁଚିତ ହୁଏ । ତେଣୁ ଆମ ଗଣତନ୍ତ୍ରରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ଭଳି ବିଚାର ବ୍ୟବସ୍ଥାକୁ ପ୍ରମୁଖ ସ୍ତମ୍ଭ ଭାବେ ଗ୍ରହଣ କରାଯାଇଛି । ତେବେ ବିଗୁଡୁଥିବା ବ୍ୟବସ୍ଥାରେ ନୀତି ଓ ନୈତିକତା ହ୍ରାସ ପାଉଥିବାରୁ ସାମାଜିକ, ରାଜନୈତିକ, ସାଂସ୍କୃତିକ, ଆର୍ଥିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଅଧୋପତନ ଘଟୁଛି । ଫଳରେ ସମ୍ବିଧାନ ପ୍ରଦତ୍ତ ସମାନତାର ଅଧିକାର ଓ ବଞ୍ଚିବାର ଅଧିକାର ସହିତ ମୌଳିକ ଅଧିକାରରୁ ବହୁ ଲୋକ ବଞ୍ଚିତ ହେଉଥିବା ବେଳେ ଧନୀକ ଶ୍ରେଣୀ ଓ ପ୍ରଭାବଶାଳୀ ଗୋଷ୍ଠୀ ଏଥିରୁ ବିଶେଷ ଫାଇଦା ନେଇଚାଲିଛନ୍ତି । ଗାନ୍ଧୀଜୀଙ୍କ ପ୍ରଦର୍ଶିତ ମାର୍ଗରୁ ହୁଡିବା ଯୋଗୁଁ ଏଭଳି ବ୍ୟତିକ୍ରମ ଘଟୁଛି ।
ମହାତ୍ମା ଗାନ୍ଧୀଙ୍କ ମୌଳିକ ବିଚାରର ସାଧ୍ୟ ଓ ସାଧନର ତତ୍ତ୍ୱ (ମିନ୍ସ ଆଣ୍ଡ୍ ଏଣ୍ଡ୍ ଥିଓରି) ବିଶେଷ ଗୁରୁତ୍ୱପୂର୍ଣ୍ଣ । ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଉପଯୁକ୍ତ ସାଧନ ଦରକାର । ଏଥିପାଇଁ ପ୍ରଥମେ ସକାରାତ୍ମକ ଲକ୍ଷ୍ୟଧାର୍ଯ୍ୟ କରି ତାହା ହାସଲ ପାଇଁ ସତ୍ର ମାର୍ଗରେ ଚାଲିବାକୁ ଗାନ୍ଧୀଜୀ ବାରମ୍ବାର ଚେତାଇ ଆସିଛନ୍ତି । ଯେଉଁ ମଞ୍ଜି ବୁଣିବ ସେଥିରୁ ସେହି ଗଛ ଉଠିବ । ତୁଳସୀ ମଞ୍ଜି ବୁଣିଲେ ତୁଳସୀ ଗଛ ଓ ବିଛୁଆତି ମଞ୍ଜି ବୁଣିଲେ ବିଛୁଆତି ଗଛ ହୋଇଥାଏ । ସ୍ୱାଧୀନୋତ୍ତର ବ୍ୟବସ୍ଥାରେ ବିଛୁଆତି ମଞ୍ଜି ବୁଣି ଆମେ ତୁଳସୀ ପାଇବାର ଲକ୍ଷ୍ୟ ରଖିବା ଫଳରେ ବିଭ୍ରାଟ ବଢ଼ୁଛି । ସମନ୍ୱିତ ବିକାଶ ପାଇଁ ଜ୍ଞାନ, ବୁଦ୍ଧି, ବିବେକ ଖଟାଇ ପ୍ରତି ସ୍ତରରେ ବିକାଶର ମୂଳଦୁଆକୁ ସୁଦୃଢ଼ କରାଗଲେ ସାମାଜିକ ବିଶୃଙ୍ଖଳା, ଆର୍ଥିକ ବିଭ୍ରାଟ, ରାଜନୈତିକ ହଟଚମଟ ରହିବ ନାହିଁ ଏବଂ ବ୍ୟକ୍ତି ଜୀବନ ସମୃଦ୍ଧ ହେବା ସହ ରାଷ୍ଟ୍ର ଜୀବନ ବି ବିକଶିତ ହେବ ବୋଲି ଗାନ୍ଧୀଜୀ ତାଙ୍କ ଗ୍ରାମ ସ୍ୱରାଜ ଓ ରାମରାଜ୍ୟରେ ଯେଉଁ ପରିକଳ୍ପନା ରଖିଥିଲେ ସ୍ୱାଧୀନତାର ୭୫ ବର୍ଷରେ ତାହା କେତେଦୂର ହାସଲ ହୋଇଛି ଏବଂ ଏ କ୍ଷେତ୍ରରେ କ’ଣ ତ୍ରୁଟି ବିଚ୍ୟୁତି ଅଛି ତାହାର ସମୀକ୍ଷା କରାଯିବା ଆବଶ୍ୟକ ।
ଗାନ୍ଧୀଜୀ କେବେହେଲେ ବିଫଳତାକୁ ଗୌଣ ମନେ କରୁନଥିଲେ । ସେ କହୁଥିଲେ, ‘ଅସଫଳତାର ଠିକଣା ବିଶ୍ଲେଷଣ କରିପାରିଲେ ତାହା ସଫଳତାର ପୂର୍ବବର୍ତ୍ତୀ ପାହାଚ ଭାବେ କାମ କରିବ ।’ ମଣିଷ ନିଜେ ନଜି ର ଭାଗ୍ୟ ବିଧାତା । ସେ ନଜି ର ବିପଦ ଓ ସମ୍ପଦର କାରଣ ବି । ଏଥିଲାଗି ଗାନ୍ଧୀଜୀ ପ୍ରତି ମଣିଷକୁ ଗଣତନ୍ତ୍ରର ଗୋଟିଏ ଗୋଟିଏ ସୁଦୃଢ଼ ୟୁନିଟ୍ ଭାବେ ବିଚାରୁଥିଲେ ଏବଂ କହୁଥିଲେ ଯେ ଭାରତର ୭ ଲକ୍ଷ ଗାଁରେ ଯଦି ୭ ଲକ୍ଷ ରିପବ୍ଲିକ୍ ପ୍ରତିଷ୍ଠିତ ହୋଇପାରିବ ଏବଂ ଦେଶାତ୍ମବୋଧର ମହାମନ୍ତ୍ରରେ ଦୀକ୍ଷିତ ହୋଇ ଯଦି ଲୋକେ ମନେ କରିବେ ଯେ ଗାଁରେ ସେମାନେ ସେମାନଙ୍କ ସରକାର ଓ ଦିଲ୍ଲୀରେ ଯେଉଁ ସରକାର ରହିଛି ତାହା କୌଣସି ଦଳ କି
ବ୍ୟକ୍ତିର ନେୁ ହଁ, ଲୋକଙ୍କର – ତା’ହେଲେ ଦେଶର ଭାଗ୍ୟ ବଦଳିଯିବ । ଏଥିପାଇଁ ଆମ ସମ୍ବିଧାନରେ ନାଗରିକଙ୍କ କର୍ତ୍ତବ୍ୟ
କଥା ଉଲ୍ଲେଖ ଅଛି । ସୁନାକୁ ବାରମ୍ବାର ନିଆଁରେ ପୋଡିଲେ ତାହା ଶୁଦ୍ଧ ହୁଏ । କୁଶଳୀ ଶିଳ୍ପୀଙ୍କ ନିହଣ ମୁନର ପାହାରରେ
ପଥର, କାଠ ଆଦିରେ ତିଆରି ମୂର୍ତ୍ତି ବି ଜୀବନ୍ତ ଭଳି ଦେଖାଯାଏ । ଏ ପରିପ୍ରେକ୍ଷୀରେ ବିବେକର ସହିତ ବିଚାର ପାଇଁ
ମଣିଷକୁ ଈଶ୍ୱର ଯେଉଁ ସ୍ୱତନ୍ତ୍ର ଶକ୍ତି ଦେଇଛନ୍ତି ତାହାର ଠିକଣା ଅନୁପାଳନ କରାଯାଇପାରିଲେ ବହୁ ସମସ୍ୟାର ସମାଧାନ
ହୋଇପାରବି ।
ଏବେ ଆମ ଦେଶରେ ପ୍ରାୟ ସାଢ଼େ ୪ କୋଟି ମାମଲା ବିଭିନ୍ନ ବିଚାରାଳୟରେ ପଡିଛି । ଏଥିରୁ ପ୍ରାୟ ୩ କୋଟି ହେଉଛି ଅପରାଧିକ ମାମଲା । ଜାତୀୟ ଜୁଡିସିଆଲ ଡାଟା ଗ୍ରୀଡ୍ର ତଥ୍ୟ ଅନୁଯାୟୀ ଏଥିରୁ ଲକ୍ଷ ଲକ୍ଷ ମାମଲା ୩୦ବର୍ଷରୁ ଅଧିକ ସମୟ ଧରି ଗଡୁଛି । ବ୍ୟବସ୍ଥାର ବଡପଣ୍ଡାମାନେ କୁହନ୍ତି, ଆଇନ କୁଆଡେ ତା’ ବାଟରେ ଯାଏ । ତେବେ ବର୍ଷ ବର୍ଷ ଧରି ନ୍ୟାୟ ପ୍ରଦାନ କ୍ଷେତ୍ରରେ ଆଇନର ପଥରୋଧ ହୁଏ କାହିଁକି? ସ୍ୱାଧୀନତା ଆନ୍ଦୋଳନର ଅନେକ ଘୋଷିତ ପ୍ରତିଶ୍ରୁତି ମଧ୍ୟରେ ଗୋଟିଏ ଥିଲା ସ୍ୱାଧୀନ ଭାରତରେ ଆଇନ ଶୃଙ୍ଖଳା ପରିସ୍ଥିତି ଏତେ ସୁସଂହତ ଓ ମାର୍ଜିତ ହେବ ଯେ ରାତି ଅଧରେ ବି ଜଣେ ଯୁବତୀ କୌଣସି ସ୍ଥାନକୁ ଯାଇ ନିରାପଦରେ ଫେରି ଆସିପାରିବ । ଅଥଚ ସ୍ୱାଧୀନତାର ୭୫ ବର୍ଷରେ ସରକାରୀ ରିପୋର୍ଟରେ ଯେଉଁ ତଥ୍ୟ ପ୍ରଦାନ କରାଯାଉଛି ସେଥିରୁ ଦିନ ଦ୍ୱିପ୍ରହରରେ ରାସ୍ତାଘାଟ, କର୍ମକ୍ଷେତ୍ର ଏମିତିକି ଘରେ ବି ମହିଳାମାନେ ସରୁ କ୍ଷତି ନାହାନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଲଜ୍ଜ୍ୟା ଓ ପରିତାପର ବିଷୟ ।
ଭାରତ ସରକାରଙ୍କ ‘କ୍ରାଇମ ଇନ୍ ଇଣ୍ଡିଆ’ର ସର୍ବଶେଷ ରିପୋର୍ଟ ଅନୁଯାୟୀ ୨୦୨୧ ଆରମ୍ଭ ବେଳକୁ ଆମ ଦେଶର ବିଭିନ୍ନ ନ୍ୟାୟାଳୟରେ ମହିଳାମାନଙ୍କ ପ୍ରତି ଘଟିଥିବା ଅପରାଧ ସଂକ୍ରାନ୍ତରେ ୧୭,୮୯,୬୦୧ଟି ମାମଲା ବିଚାର ପ୍ରତୀକ୍ଷାରେ ଥିଲା । ଏବେ ଏହି ସଂଖ୍ୟା ପ୍ରାୟ ୨୦ ଲକ୍ଷ ହେବ ବୋଲି ଆଶଙ୍କା କରାଯାଉଛି । ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ୨୦୨୦ ବର୍ଷ ଆରମ୍ଭ
ବେଳକୁ ମହିଳାମାନଙ୍କ ପ୍ରତି ଘଟିଥିବା ଅପରାଧିକ ମାମଲା ସଂଖ୍ୟା ଆମ ଦେଶରେ ଥିଲା ୧୫,୮୨,୨୦୨ । ସେହିବର୍ଷ ଏଥିରେ ୨,୯୧,୩୦୩ଟି ନୂଆ ମାମଲା ଯୋଡି ହେବା ପରେ ନାରୀ ନିର୍ଯାତନା ମାମଲା ସଂଖ୍ୟା ୧୮,୭୩,୫୦୫କୁ ବୃଦ୍ଧି ପାଇଥିଲା । ଏଥିରୁ ବର୍ଷକ ଭିତରେ ଫଏସଲା ହୋଇଥିଲା ମାତ୍ର ୮୩,୯୦୪ଟି ମାମଲା । ସେଥିମଧ୍ୟରୁ ୨୧,୫୫୧ଟିରେ ଅଭିଯୁକ୍ତଙ୍କ ପ୍ରତି ଦଣ୍ଡବିଧାନ ହୋଇଥିବା ବେଳେ ୪୬,୬୭୩ଟିରେ ଆସାମୀମାନେ ଖସି ଯାଇଥିଲେ । ମୋଟାମୋଟି ଭାବେମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ମାମଲାଗୁଡିକ ମଧ୍ୟରୁ ବର୍ଷରେ ମାତ୍ର ୪.୫ ପ୍ରତିଶତ ଫଏସଲା ହୋଇଥିବା ବେଳେ ୯୫.୫ ପ୍ରତିଶତ ବକେୟା ଭାବେ ପରବର୍ଷକୁ ଯାଉଛି । ଯେତିକି ବି ଏ କିସମର ମାମଲା ଫଏସଲା ହେଉଛି ସେଥିରେ ଦଣ୍ଡବିଧାନ ହାର ୩୦ ପ୍ରତିଶତରୁ କମ୍ । ନିଶା କାରବାର, ଦୁର୍ନୀତି ଓ ଅନ୍ୟାନ୍ୟ ଫୌଜଦାରୀ ମାମଲାରେ ଫଏସଲା ଏବଂ ଦଣ୍ଡବିଧାନ ହାର ତ ଅତି ନଗଣ୍ୟ ।
ନ୍ୟାୟ ବିଚାର ପାଇଁ ନିମ୍ନ ଅଦାଲତରୁ ଆରମ୍ଭ କରି ହାଇକୋର୍ଟ ଓ ସୁପ୍ରିମକୋର୍ଟ ଆଦି ରହିଛନ୍ତି । ଆଇନ ଶୃଙ୍ଖଳା ରକ୍ଷା ଲାଗି ପୋଲିସ ଓ ଜେଲ୍ ପ୍ରଶାସନ ମଧ୍ୟ ଅଛି । ବିଚାର ବ୍ୟବସ୍ଥା ଏବଂ ଆଇନ ଶୃଙ୍ଖଳା ବ୍ୟବସ୍ଥାର ପରିଚାଳନା ଲାଗି ଲକ୍ଷାଧିକ କୋଟି ଟଙ୍କା ଖର୍ଚ୍ଚ ହେଉଛି । ସରକାର ବି ଏଥିପାଇଁ ଉତ୍ତରଦାୟୀ । ଏହାସତ୍ତ୍ୱେ ମାମଲା ସଂଖ୍ୟା କମିବା ପରିବର୍ତ୍ତେ ବଢ଼ୁଛି । ମା’ ମଲା କଷ୍ଟ ଯେଭଳି ମାମଲା କଷ୍ଟ ତାହାଠାରୁ ବଳି ପଡୁଛି । ମାମଲା ସଂଖ୍ୟା ବଢ଼ୁଥିବା ଓ ଆଇନ ଶୃଙ୍ଖଳା ବିଗୁଡୁଥିବା କାରଣରୁ ସରକାର ଅଧିକ ସଂଖ୍ୟକ ବିଚାରାଳୟ ଓ ଥାନା, ଫାଣ୍ଡି ଖୋଲିବା ସହିତ ବିଚାରପତି, ପୋଲିସ ଓ ବିଚାରାଳୟ ଲାଗି ଅନ୍ୟାନ୍ୟ ପଦବୀ ମଧ୍ୟ ବଢ଼ାଇ ଚାଲିଛନ୍ତି । କିନ୍ତୁ ବାସ୍ତବରେ ଏହା ମାମଲା କମାଇବା ବଦଳରେ ବଢ଼ାଉଛି । କ୍ୟାନସର ଘା’ ଉପରେ ଯାଦୁ ମଲମ ଲଗାଇବା ଭଳି ଏ ଅବସ୍ଥା । ହୀରାକୁଦ ନଦୀବନ୍ଧର ସମସ୍ତ ଫାଟକ ବନ୍ୟା ସମୟରେ ଖୋଲିଦେଇ ତଳମୁଣ୍ଡରେ ୫/୧୦ଟି ବାଲିବସ୍ତା ଧରି ବନ୍ୟା ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରିବା ଯାହା, ମାମଲା ବୃଦ୍ଧି ପାଇଁ ସୁଯୋଗ ସୃଷ୍ଟିକରିବା ପରେ ଅଧିକ କୋର୍ଟ, କଚେରୀ, ଥାନା, ଫାଣ୍ଡି ଖୋଲିବା ତାହା ।
ଗାନ୍ଧୀଜୀଙ୍କ କଳ୍ପିତ ଗ୍ରାମ ସ୍ୱରାଜ ବ୍ୟବସ୍ଥାରେ ଗାଁର ବିବାଦ ଗାଁ ଭିତରେ ତୁଟିବା କଥା । ଛୋଟ ଛୋଟ ବିବାଦ ଗାଁରେ ତୁଟୁ ନଥିବାରୁ ତାହା ପରବର୍ତ୍ତୀ ସମୟରେ ଶାଖା ପ୍ରଶାଖା ମେଲାଇ ସମସ୍ୟାକୁ ଗମ୍ଭୀର କରୁଛି । ସରକାରୀ କଳରେ ସାଧାରଣ ଲୋକଙ୍କ ଅଭିଯୋଗର ତୁରନ୍ତ ଶୁଣାଣିକରି ତାହାର ସକାରାତ୍ମକ ପ୍ରତିକାର ଲାଗି ଥିବା ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ ଓ ନକାରାତ୍ମକ ହୋଇଥିବାରୁ ମାମଲା କମିବା ପରିବର୍ତ୍ତେ ବଢ଼ୁଛି । ଏ ପରିପ୍ରେକ୍ଷୀରେ ସାଧାରଣ ଲୋକଙ୍କ ଟିକସ ଓ ପ୍ରାୟ ୧୨୫ଲକ୍ଷ କୋଟି ଟଙ୍କାର ଋଣରେ ସମୃଦ୍ଧ ରାଜକୋଷରୁ ବିପୁଳ ଅର୍ଥ ବରବାଦ ହେଉଛି ଏବଂ ମାମଲାରେ ଛନ୍ଦି ହେଉଥିବା ଲୋକେ ମଧ୍ୟ ବର୍ଷ ବର୍ଷ ଧରି ଅର୍ଥ ଖର୍ଚ୍ଚ କରି କରି ସର୍ବସ୍ୱାନ୍ତ ହେଉଛନ୍ତି । ବିଳମ୍ବିତ ବିଚାର ପ୍ରକ୍ରିୟା ଓ ତ୍ରୁଟିପୂର୍ଣ୍ଣ ତଦନ୍ତ ତଥା ଦୁର୍ବଳ ମାମଲା ପରିଚାଳନା ଯୋଗୁଁ ସଂଖ୍ୟାଧିକ ଅପରାଧିକ ମାମଲାରେ ଅଭିଯୁକ୍ତ ଖସି ଯାଉଛନ୍ତି । ଅପରାଧର ଦୁନିଆରେ ପାଦ ଥାପିଥିବା ଲୋକକୁ ସଂସ୍କାରିତ କରିବାପରିବର୍ତ୍ତେ ତାକୁ ସେହି ମାର୍ଗରେ ଆଗେଇବା ପାଇଁ ସେୁ ଯାଗ ସୃଷ୍ଟି କରାଯାଉଛି ।
୧୮୫୭ର ସିପାହୀ ବିଦ୍ରୋହ ପରେ ଭାରତୀୟମାନଙ୍କୁ ଦମନ କରିବା ଲାଗି ବ୍ରିଟିଶ ସରକାର ପ୍ରଣୟନ କରିଥିବା ପୋଲିସ ଆଇନ ଓ ପିଙ୍ଗଳ କୋଡ୍ ସ୍ୱାଧୀନତାର ୭୫ ବର୍ଷରେ ବି ବଳବତ୍ତର ରହିଛି । ଏହାକୁ ବଦଳାଇବା ପାଇଁ ବାରମ୍ବାର ଆଇନ କମିଶନ ସୁପାରିସ୍ କରୁଥିବା ଓ ବିଭିନ୍ନ ମହଲରୁ ମତପ୍ରକାଶ ପାଉଥିବା ସତ୍ତ୍ୱେ ଭାରତରେ ଏବେ ବି ଏହି ଦମନମୂଳକ ଆଇନ ବ୍ୟବସ୍ଥା ରହିଛି । ନିକଟରେ ସୁପ୍ରିମକୋଟର୍ର ମୁଖ୍ୟ ବିଚାରପତି ଉଦ୍ବେଗର ସହ କହିଛନ୍ତି ଯେ ବ୍ରିଟିଶ ଅମଳର ଯେଉଁ ରାଜଦ୍ରୋହ ଆଇନ ଆଧାରରେ ତିଲକ ଓ ଗାନ୍ଧୀଙ୍କ ଭଳି ନେତାମାନଙ୍କୁ ଜେଲ୍ରେ ରଖାଯାଉଥିଲା, ସ୍ୱାଧୀନତା ପରେ ତାହା ବଳବତ୍ତର ଥିବା ପରିପ୍ରେକ୍ଷୀରେ ଏହାର ସଂଶୋଧନ / ପ୍ରତ୍ୟାହାର ଲାଗି ସରକାର ଚିନ୍ତା କରିବା କଥା । ତିଲକ କହୁଥିଲେ, ‘ସ୍ୱରାଜ ମୋର ଜନ୍ମଗତ ଅଧିକାର ଓ ମୁଁ ତାହା ନିଶ୍ଚୟ ହାସଲ କରିବି ।’ ଗାନ୍ଧୀ କହିଲେ, ‘ସ୍ୱରାଜ ଏକ ପବିତ୍ର ବୈଦିକ ଶବ୍ଦ । ନିଜ ଉପରେ ନିଜେ ରାଜତ୍ୱ କରିବା ଅର୍ଥାତ୍ ଶୃଙ୍ଖଳାର ସହ ନିଜକୁ ନିଜେ ନିୟନ୍ତ୍ରଣ କରିବା ହିଁ ପ୍ରକୃତ ସ୍ୱରାଜ ।’
ବ୍ୟକ୍ତି ଜୀବନର ଉନ୍ନତି ପାଇଁ ଗାନ୍ଧୀଜୀ ଏକାଦଶ ବ୍ରତ ଅନୁପାଳନ ପାଇଁ କହୁଥିଲେ । ଏହି ଏକାଦଶ ବ୍ରତ ହେଲା – ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ, ଅସଂଗ୍ରହ ଶରୀରଶ୍ରମ, ଅସ୍ୱାଦ, ସର୍ବତ୍ର ଭୟ ବର୍ଜନ ସର୍ବଧର୍ମ ସମାନତ୍ୱ, ସ୍ୱଦେଶୀ, ସ୍ପର୍ଶ ଭାବନା , ବିନମ୍ର ବ୍ରତ ଓ ନିଷ୍ଠା । ସେହିପରି ରାଷ୍ଟ୍ର ନିଜକୁ ଓ ତାହାର ଲୋକମାନଙ୍କୁ ୭ଟି ସାଂଘାତିକ ପାପଠାରୁ ଦୂରେଇ ରଖିବା ପାଇଁ ଗାନ୍ଧୀଜୀ ଚେତାବନୀ ଦେଇ ଆସୁଥିଲେ । ଏ ୭ଟି ପାପ ହେଲା – ନୀତି ବିହୀନ ରାଜନୀତି, ନୈତିକତା ବିହୀନ ବାଣିଜ୍ୟ ବ୍ୟବସାୟ, ଚରିତ୍ର ବିହୀନ ଶିକ୍ଷା, ଶ୍ରମ ବିହୀନ ସମ୍ପଦ, ବିବେକ ବିହୀନ ବିଳାସ, ମାନବିକତା ବିହୀନ ବିଜ୍ଞାନ ଓ ତ୍ୟାଗ ବିହୀନ ଉପାସନା । ଏହି ଦିଗଗୁଡିକ ପ୍ରତି ଦୃଷ୍ଟି ଦିଆଯାଇଥିଲେ ସମାଜରେ ବିଶେଷ ସଂଖ୍ୟାରେ ଅପରାଧ ଘଟନ୍ତା ନାହିଁ କି ତାହାର ନିରାକରଣ ଆଳରେ ଲକ୍ଷ ଲକ୍ଷ କୋଟି ଟଙ୍କା ବରବାଦ ହୁଅନ୍ତା ନାହିଁ ଅଥବା ଲୋକଙ୍କ ଧନ ଜୀବନ କି ମାନ ମର୍ଯ୍ୟାଦା ଲୁଣ୍ଠିତ ହୁଅନ୍ତା ନାହିଁ । ଗାନ୍ଧୀଜୀ ପୁଣି କହୁଥିଲେ ଯେ ଭଲ
ମଣିଷଟିଏ ହେବା ପାଇଁ ସତ୍ର ସରଳ ରେଖା ଉପରେ ନିଜର ଚିନ୍ତା, କାମ ଓ କଥାକୁ ୩ଟି ବିନ୍ଦୁରେ ରଖିବା କଥା ।
ସେଇଥିପାଇଁ ତ ସେ ସତ୍ୟକୁ ଭଗବାନ ଓ ଶ୍ରମକୁ ଶ୍ରେଷ୍ଠ ଉପାସନା ବୋଲି ମାନୁଥିଲେ । ଏବେ ବଜାରୀକରଣ ଅର୍ଥନୀତି ଓ ନୀତିହୀନ ବ୍ୟବସ୍ଥାରେ ହିଂସା, ଦ୍ୱେଷ, ପରଶ୍ରୀକାତରତା, ଅନୈତିକତା, ଦୁର୍ନୀତି, ମିଥ୍ୟାଚାର, ଭ୍ରଷ୍ଟାଚାର ଆଦି ବ୍ୟାଧିରେ ସମାଜ ସଂକ୍ରମିତ ଥିବାବେଳେ ଆମେ ସାଧାରଣ ଲୋକର ନ୍ୟାୟିକ ଅଧିକାର ପାଇଁ ଚିନ୍ତା କରିବା ବେଳେ ଏହି ସମସ୍ୟାର ଉପଚାର ଲାଗି କେବଳ ଗାନ୍ଧୀ ବିଚାର ହିଁ ଦିଗହରା ବ୍ୟବସ୍ଥା ଲାଗି ବତିଘର ଭଳି ପ୍ରତୀୟମାନ ହେଉଛି ।
ଇ -ମେଲ : prahalladsinha@gmail.com
ଫୋନ : ୯୪୩୭୦୧୭୩୯୫
Comments are closed.