ଧାରାବାହିକ ଉପନ୍ୟାସ : ଦେବୀ (୪୨)

0
62

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୨

ଦେବୀର ଗଣିତ ଭଲ ହୁଏନା। ହୁଏନା ବୋଇଲେ ସେ ଏ ଏକ ଦୁଇ ମିଶାଣ ହରଣ ଭିତରେ ସେ କେବେ ପଶି ପାରେନା। ଯଦି ବା ପଶେ ଆଉ ବାହାରିବା ପାଇଁ ଶକ୍ତି ନଥାଏ ତାର। ସେ ଗଣିତକୁ ଡରେ। ଏଇ ଗଣିତ ପାଇଁ ହିଁ ଦେବଭାଇ ତା ଜୀବନକୁ ଆସିଲେ।

ଦେବ ଭାଇଙ୍କୁ ସବୁ ଜଣା। ସେ ଆଖି ବୁଜି କହିପାରନ୍ତି ତା ବହିର ପଥର ଭଳି ପ୍ରଶ୍ନର ଉତ୍ତର। ସେ ଜାଣି ପାରନ୍ତି ଦେବୀର ଅଭିମାନ ଓ ରାଗ। ତାଙ୍କୁ ଜଣା କେମିତି ହସେଇ ହେବ ନହସିବାର ପ୍ରତିଜ୍ଞା କରିଥିବା ଦେବୀକୁ।

ଏଇ ହସ ଭିତରେ ଦେଇ ଦିନେ ଦେବ ଭାଇ ତା ହୃଦୟ ଭିତରେ ପଶିଗଲେ। ସେ ଜାଣି ନଥିଲା ପ୍ରେମ କଣ! କିନ୍ତୁ ସେ ଅନୁଭବ କଲା ତା ଭିତରେ ଆଉ ଏକ ସତ୍ତାକୁ। ତା ନିତ୍ୟ ନୈମିତ୍ତିକ ଜୀବନଚର୍ଯ୍ୟା ଭିତରେ ସେ ପ୍ରସ୍ତୁତ କଲା ନିଜକୁ ଏକ ପୁଜାରିଣୀ କରି।

ଦେବ ଭାଇ ତାଙ୍କ ଘରକୁ ଆସିଲେ ତାକୁ ଭାରି ଖୁସି ଲାଗେ।ହେଲେ ସେ କହି ପାରେନା।ତା ମନ ସମୁଦ୍ରରେ ଖୁସିର ଛୋଟ ସୁନାମୀ ଆସେ।ସେ ଖୁସିରେ ଖୁସିରେ ଓଦା ହୋଇଯାଏ। ଅଭଡ଼ାକୁ କୁହେ।

ଅଭଡ଼ା ତାର ଭରି ସିଆଣିଆ ଝିଅ।ସବୁ ବୁଝେ। ଦେବୀ କୁ ବୁଝାଏ। ଦୁଃଖ – ସୁଖରେ ଭାଗ ବାଣ୍ଟେ। ତା ଆଖିର ଲୁହରେ ଦେବୀ ଜଡସଡ ହୁଏ। ଦିନେ ଅଭଡ଼ା ଦେବୀକୁ ବୁଲେଇ ନିଏ ପାଖ ବଣ ଭିତରକୁ। ବଣ ଭିତରେ କାଇଁ କେତେ ବଣୁଆ ଫୁଲ।କେତେ ରଙ୍ଗର ପ୍ରଜାପତି। ଅଭଡ଼ା ବୁଝାଏ। ଆମ ଜନମ ହେଲା ଏଇ ବଣୁଆ ଫୁଲ ପରି।ଏଇ ଦୁଷ୍ଟ ପ୍ରଜାପତି ପାଇଁ ସାରା ଦେହରେ ରଙ୍ଗ ବୋଳେ।

ପ୍ରଜାପତି ଆସେ ।ମହୁ ଶୋଷି ଚାଲିଯାଏ। କିନ୍ତୁ ଯେତିକି ସମୟ ରୁହେ ସାରା ଜୀବନ ପାଇଁ ଏକ ଅମୂଲ୍ୟ ଅନୁଭବ ହୋଇ ରହିଯାଏ। ଦୁଃଖ ସୁଖ ଭରା ଜୀବନ ଯାତ୍ରାରେ ଏଇ ମଧୁର ଅନୁଭବ ହିଁ ହାତ ଧରି ନଈ ପାରି କରିଦିଏ।

ଆଜି ବହୁତ ମନେ ପଡୁଛି ଅଭଡ଼ା। କାହିଁ କେତେକାଳୁ ତା ସହିତ ଦେଖା ହୋଇନି। ଦେବୀର ଖୁବ୍ ମନେପଡେ ତା କଥା।ଝରକା ଫାଙ୍କରେ ଦିଶୁଥିବା ଆକାଶକୁ ସେ ପଚାରେ। କୁଆଡେ ଚାଲିଗଲା ସେ ଦିନ। କୁଆଡେ ହଜିଗଲେ ତାକୁ ରଶ୍ମିସ୍ନାନ କରେଇଥିବା ମଣିଷ ସବୁ। କମ କଷ୍ଟ ହୁଏ କି ! ସୁଖର ବନ୍ଦୀଶାଳରେ ସଂସାର ନାମକ ଚାରି ବାଇ ଚାରି ନିବୁଜ କୋଠରୀ ଭିତରୁ ସେ ସେଇ ଚେନାଏ ଆକାଶକୁ ହାତ ବଢାଏ। କେହି ମିଳନ୍ତି ନାହିଁ କେବଳ ଅତୀତର ଅସ୍ପଷ୍ଟ ବାଦଲ ଭିତରୁ ପିଲାଳିଆ ମୁହଁଟି କ୍ଷଣକ ପାଇଁ ଉକୁଟି ଉଠି ପୁଣି ବାଦଲ ଭିତରେ ମିଳେଇ ଯାଏ।

ଦେବୀକୁ ଗଣିତ ଆସେନା ବୋଲି ବୋଉ ଗରଗର ହୁଏ।ବଡ଼ ପାଟିରେ ସମସ୍ତଙ୍କୁ ଶୁଣେଇଲା ପରି କୁହେ – ଗଣିତ ନଜାଣିଲେ ଶାଶୂଘରେ ହୀନିମାନ ହେବୁ।ତୋ ପିଲାଙ୍କୁ କେମିତି ପାଠ ପଢେଇବୁ।

ଦେବୀ କୁ ଲାଜ ଲାଗେ।ସେ ମନେମନେ ହସେ,ପୁଣି ନିଜକୁ କୁହେ ତା ପାଇଁ କେହିଜଣେ ଅଛି ଯିଏ ତାକୁ ସବୁ ଶିଖେଇ ଦେବ। ହଠାତ୍ ଦେବ ଭାଇଙ୍କ ମୁହଁ ତା ଆଗରେ ହସିଉଠେ।

ଦିନେ ବୋଉ ପ୍ରସ୍ଥାବ ଦେଇଥିଲା ବାପାଙ୍କୁ। ତୁମେ ସେ ମହାନ୍ତି ଘର ଦେବକୁ ଟିକେ କହୁନ ଦେବୀକୁ ଟିକେ ଗଣିତ ପଢ଼େଇ ଦିଅନ୍ତା। ଆଜିକାଲିକା ଯୁଗରେ ଟିକେ ପାଠଶାଠ ନପଢ଼ିଲେ ଭଲ ପ୍ରସ୍ତାବ ମିଳିବା କଷ୍ଟ।

ବାପା ସବୁବେଳେ ଚୁପଚାପ୍। ବୋଉ ହଜାର ପଦ କହିଲେ ସେ ପଦେ କୁହନ୍ତି। ଦେବ ତ ସବୁଦିନ ବିନୟ ପାଖକୁ ଆସୁଛି।ତାକୁ ଟିକେ କହୁନ!

କ୍ରମଶଃ……