ପାଟଣା: ବ୍ୟାଙ୍କ ଲୁଟ ପାଇଁ ଆସିଥିଲେ ସଶସ୍ତ୍ର ଡକାୟତ । ୩ ଜଣ ଡକାୟତଙ୍କ ହାତରେ ଥିଲା ଭୟଙ୍କର ମାରଣାସ୍ତ୍ର । ଦେଖିଲେ, ମହିଳା ସିପାହୀ ବସିଛନ୍ତି । ତେଣୁ ସହଜରେ ଲୁଟି ନେବେ ବ୍ୟାଙ୍କ । ହେଲେ ଘଟିଲା ଓଲଟା । ଦୁଇ ମହିଳା ସିପାହୀ ଏମାନଙ୍କୁ ଏମିତି ପାନେ ଦେଲେ ଯେ, ବ୍ୟାଙ୍କ ଲୁଟ ନିଶା ଉତୁରିଗଲା । ଘଟଣାଟି ଘଟିଛି ବିହାର ହାଜିପୁରରେ । ଏଠାରେ ଦୁଇ ମହିଳା ସିପାହୀ ବ୍ୟାଙ୍କ ଲୁଟେରାଙ୍କ ଉଦ୍ୟମକୁ ବିଫଳ କରି ଦେଇଛନ୍ତି । ଲୁଟେରାମାନେ ମହିଳା ସିପାହୀଙ୍କ ରାଇଫଲ ଲୁଟି ନେବାକୁ ଉଦ୍ୟମ କରିଥିଲେ । ହେଲେ ସେ ସବୁକୁ ବିଫଳ କରି ଦେଇଛନ୍ତି ।
ଏହି ଦୁଇ ମହିଳା ସିପାହୀଙ୍କ ମଧ୍ୟରୁ ଜଣେ ହେଲେ ଶାନ୍ତି କୁମାରୀ । ତାଙ୍କର କହିବା ଅନୁଯାୟୀ, ଆମେ ସେମାନଙ୍କ ସହ ବହୁତ ଲଢିବାକୁ ପଡିଲା । ଆମର ଏକମାତ୍ର ଲକ୍ଷ୍ୟ ଥିଲା ସେମାନଙ୍କୁ ବ୍ୟାଙ୍କ ଲୁଟିବାକୁ ଦେବୁନାହିଁ କିମ୍ବା ଆମା ହତିଆର ନେବାକୁ ଦେବୁନାହିଁ । ସେମାନେ ତିନି ଜଣ ଥିଲେ । ପ୍ରଥମେ ସେମାନେ ଜଣେ ସିପାହୀଙ୍କ ବନ୍ଧୁକ ନେଇ ଗଲେ । ସେ ଭୟଭୀତ ହୋଇ ଯାଇଥିଲେ । କିନ୍ତୁ ଶେଷ ପର୍ଯ୍ୟନ୍ତ ସେମାନେ ଲଢିଥିଲେ ଏବଂ ଲୁଟେରାମାନଙ୍କୁ ଭଗାଇବାରେ ସଫଳ ହୋଇଥିଲେ ।
ପ୍ରକୃତ ଘଟଣା ଥିଲା ଏମିତି । ସଦର ଥାନା ଅଞ୍ଚଳର ସେନ୍ଦୁଆରୀ ଚୌକ ନିକଟ ଏକ ଗ୍ରାମୀଣ ବ୍ୟାଙ୍କରେ ଘଟିଛି ଏହି ଘଟଣା । ବ୍ୟାଙ୍କର ସୁରକ୍ଷା ଦାୟିତ୍ୱରେ ଥିଲେ ଦୁଇ ମହିଳା ସିପାହୀ ଜୁହୀ କୁମାରୀ ଏବଂ ଶାନ୍ତି କୁମାରୀ । ଅପରାଧୀ ମୁହଁରେ ମାସ୍କ ଲଗାଇ ଆସିଥିଲେ । ସେମାନେ ଭିତରକୁ ପଶିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ମହିଳା ସିପାହୀମାନେ ତାଙ୍କୁ ଅଟକାଇ ପଚରା ଉଚରା କରିଥିଲେ । ଏହି ସମୟରେ ହଠାତ ସେମାନେ ମହିଳା ସିପାହୀଙ୍କୁ ବନ୍ଧୁକ ଦେଖାଇଲେ । ହେଲେ ଦୁଇ ମହିଳା ସିପାହୀ ତାଙ୍କ ଉପରେ ଝାମ୍ପି ପଡିଥିଲେ । ଏପରି ମୁହାଁମୁହିଁ ହେବା ଭିତରେ ସିପାହୀ ୨ ଜଣ ଆହତ ବି ହୋଇଥିଲେ । ଏହାର ସୁଯୋଗ ନେଇ ଲୁଟେରା ୩ ଜଣ ଫେରାର ହୋଇ ଯାଇଥିଲେ । କିନ୍ତୁ ବ୍ୟାଙ୍କ ଲୁଟ ଉଦ୍ୟମକୁ ବିଫଳ କରି ଦେଇଥିଲେ ।
Comments are closed.