Latest Odisha News

BREAKING NEWS

ସଙ୍କଟରେ ଗଜରାଜ

ଭୁବନେଶ୍ୱର : ବିପର୍ଯ୍ୟସ୍ତ ଅବସ୍ଥାରେ ହାତୀ ପଲ । କହିବାକୁ ଗଲେ ଏବେ କିଛି ଦିନ ହେଲା ଯେମିତି ହାତୀଙ୍କୁ ପଡ଼ିଛି ଶନିଦଶା । ଗୋଟିଏ ପରେ ଗୋଟିଏ ହାତୀର ମୃତ୍ୟୁ ହୋଇ ଚାଲିଥିବା ବେଳେ କିଛି ହାତୀ ବିପଦ ମୁହଁରେ ପଡିି ଛଟପଟ ହେଉଛନ୍ତି । କେଉଁଠି ହାତୀ ଦାନ୍ତ ପାଇଁ ହାତୀକୁ ହତ୍ୟା କରାଯାଉଛି ତ ଆଉ କେଉଁଠି ଗର୍ଭଯନ୍ତ୍ରଣା ସହିନପାରି ହାତୀର ମୃତ୍ୟୁ ହେଉଛି ।

କଟକ ମୁଣ୍ଡଳି ବ୍ରୀଜ୍ ଉପରମୁଣ୍ଡରେ ଥିବା ମହାନଦୀ ପଠାରୁ ୪ ମାସର ହାତୀ ଛୁଆର ମୃତଦେହ ଉଦ୍ଧାର କରିଛି ବନବିଭାଗ । ଆଠଗଡ ଡିଏଫଓଙ୍କ ସହ ରେଞ୍ଜର ଓ ପ୍ରାଣୀ ଚିକିତ୍ସକ ଦେଶୀ ଡଙ୍ଗାରେ ନଦୀ ପାର ହୋଇ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ସେଠାରେ ହାତୀଛୁଆର ଶବ ବ୍ୟବଚ୍ଛେଦ କରାଯାଇ ପୋତାଯାଇଛି । ଗତକାଲି ୧୭ ରୁ ଅଧିକ ହାତୀପଲ ମହାନଦୀ ପାର ହେଉଥିବା ବେଳେ ନଦୀର ସୁଅରେ ଭାସି ଯାଇଥିଲେ ।

ସେପଟେ କଳାହାଣ୍ଡି,ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ବେଡା ଲଖମନ ଜଙ୍ଗଲରେ ଏକ ମାଈ ହାତୀର ମୃତ ଦେହ ଠାବ ହୋଇଛି । ଘଟଣାସ୍ଥଳରେ ବନ ବିଭାଗ ସହ ବନ୍ୟପ୍ରାଣୀ ଚିକିତ୍ସକ ପହଞ୍ଚି ମୃତ ମାଈ ହାତୀ ମୃତ୍ୟୁର କାରଣ ଖୋଜିଛନ୍ତି । ମୃତ୍ୟୁର କାରଣ ଜଣା ପଡି ନ ଥିବା ବେଳେ ମାଈ ହାତୀ ଗର୍ଭବତୀ ଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ଶବ ବ୍ୟବଚ୍ଛେଦ ପରେ ସମସ୍ତ ବିଷୟ ଜଣାପଡିବ ବୋଲି ବନ ବିଭାଗ କହିଛି ।

ଏପଟେ, ମୁଣ୍ଡଳିରେ ଫସି ରହିଥିବା ହାତୀର ପତ୍ତା ମିଳୁନି । ଜୀବନ ବଞ୍ଚାଇବା ପାଇଁ ଘଣ୍ଟା ଘଣ୍ଟା ଧରି ସଂଘର୍ଷ କରୁଥିବା ହାତୀର କୌଣସି ଖୋଜ ଖବର ନାହିଁ । ଗତକାଲି ଦିନ ତମାମ ହାତୀଟି ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିବା ବେଳେ ରାତିରେ ବନବିଭାଗ ନିଆଁ ହୁଳା ଦେଖାଇ ହାତୀକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲେ ।

ମହାନଦୀର ମୁଣ୍ଡଳିଠାରେ ଦୀର୍ଘ ଘଣ୍ଟା ଜୀବନ ସହ ସଂଘର୍ଷ ପରେ ହାତୀଟି ବ୍ରିଜ୍ ତଳକୁ ବର୍ତ୍ତମାନ ଭାସି ଯାଇଛି । କୂଳକୁ ଆଣିବାକୁ ବନବିଭାଗ ଚେଷ୍ଟା କରୁଥିବା ବେଳେ ହାତୀଟି ତଳକୁ ଭାସି ଯାଇଥିବା ସୂଚନା ଦେଇଛନ୍ତି ଆଠଗଡ଼ ରେଞ୍ଜର ଆଇସା ଅଖତରି ନିଶା । ତେବେ ହାତୀର କୌଣସି ପତ୍ତା ମିଳୁନଥିବା ବେଳେ ପ୍ରଶ୍ନ ଉଠୁଛି ହାତୀ ସୁରକ୍ଷିତ ଅଛି କି ନାହିଁ । ସେହିପରି କଟକ ମୁଣ୍ଡଳିରୁ ଗତକାଲି ଖସି ଆସିଥିବା ହାତୀପଲ ଆତଙ୍କ ଚଳାଇଛନ୍ତି ।

Leave A Reply

Your email address will not be published.