Latest Odisha News

BREAKING NEWS

ଗୁରୁବାରଠୁ ଭିମସାରରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ, ପ୍ରଭାବିତ ହେବ ରୋଗୀ ସେବା?

ବୁର୍ଲା: ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ରିସର୍ଚ୍ଚ (ଭିମସାର)ର ସ୍ନାତକୋତ୍ତର, କନିଷ୍ଠ ଡାକ୍ତର ଓ ଆବାସିକ ଡାକ୍ତରଙ୍କ ସମେତ ଡାକ୍ତରୀ ଛାତ୍ରଛାତ୍ରୀମାନେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଷ୍ଟାଇପେଣ୍ଡ ନ ମିଳିବା ଓ ସୁବିଧା ସୁଯୋଗ ମିଳୁନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

ସେମାନଙ୍କ ଦାବିକୁ ଅଣଦେଖା କରୁଥିବା ଅଭିଯୋଗ କରି ଡିନ୍ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଆନ୍ଦୋଳନକାରୀ। “ଆମ କଲେଜରେ ଅନେକ ସମସ୍ୟା ରହିଛି। ପଶ୍ଚିମ ଓଡ଼ିଶାର ସର୍ବପୁରାତନ ମହାବିଦ୍ୟାଳୟ ହୋଇଥିଲେ ମଧ୍ୟ ଏହା ଏବେ ବି ଅନେକ କଲେଜଠାରୁ ପଛରେ ରହିଛି। ହସ୍ପିଟାଲରେ କୌଣସି ଏମଆରଆଇ ସ୍କାନର ନାହିଁ। ଏକମାତ୍ର ସିଟି ସ୍କାନର ନିୟମିତ ଭାବରେ ଭାଙ୍ଗିଯାଇଛି। ସୁପରସ୍ପେଶାଲିଟି ବିଲ୍ଡିଂ, ଓଟି ଓ ଆଇସିୟୁ କମ୍ପ୍ଲେକ୍ସ କାମ ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଏହା ଆମକୁ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ପଠାଇବାକୁ ବାଧ୍ୟ କରୁଛି ବୋଲି ଆନ୍ଦୋଳନରତ ଜଣେ ଡାକ୍ତର ଅଭିଯୋଗ କରିଛନ୍ତି।

ଅନ୍ୟ ଜଣେ ଛାତ୍ର କହିଛନ୍ତି, ଗବେଷଣା ପ୍ରତିଷ୍ଠାନ ହୋଇଥିଲେ ମଧ୍ୟ ଡାକ୍ତରୀ ଗବେଷଣା ପାଇଁ କୌଣସି ସୁବିଧା ନାହିଁ। କଲେଜ ଆମକୁ ଠିକ୍ ସମୟରେ ମାସିକ ଷ୍ଟାଇପେଣ୍ଡ ମଧ୍ୟ ଦେଉନାହିଁ। ହୁଏତ ବିଳମ୍ବ ହୁଏ କିମ୍ବା ଆଦୌ ଆସେ ନାହିଁ । ପିଜି ଛାତ୍ରଛାତ୍ରୀଙ୍କୁ ଗତ ୬ ମାସ ହେଲା ଷ୍ଟାଇପେଣ୍ଡ ମିଳିନାହିଁ। କର୍ତ୍ତୃପକ୍ଷ ଆଦୌ ଛାତ୍ର ଅନୁକୂଳ ନୁହଁନ୍ତି। ସେମାନେ ଆମର ଦାବି ଆଦୌ ଶୁଣୁନାହାନ୍ତି। ଛାତ୍ରଛାତ୍ରୀଙ୍କ ସ୍କଲାରସିପ୍ କିମ୍ବା ଷ୍ଟଡି ଲୋନ୍ ସମ୍ପର୍କିତ କୌଣସି କଥା ସେମାନେ ଶୁଣୁନାହାନ୍ତି।

ଆଜିଠୁ ଡାକ୍ତରୀ ଛାତ୍ରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ଅନୁଷ୍ଠାନର କନିଷ୍ଠ ଡାକ୍ତରମାନେ ଷ୍ଟାଇପେଣ୍ଡ ଓ ଅନ୍ୟାନ୍ୟ ଅନିୟମିତତାକୁ ନେଇ ମାର୍ଚ୍ଚ ୮ ତାରିଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଦାବି ନେଇ ଡାକ୍ତରମାନେ ଗତ ୭ ତାରିଖରେ ଅନୁଷ୍ଠାନର ଡିନ୍ ପ୍ରଫେସର ଜୟଶ୍ରୀ ଦୋରାଙ୍କୁ ଘେରାଉ କରିଥିଲେ। କିନ୍ତୁ ଦୀର୍ଘ ସମୟ ଧରି ଆଲୋଚନା ସତ୍ତ୍ୱେ ଅଚଳାବସ୍ଥା ଜାରି ରହିଥିଲା। ସେମାନେ ହାତରେ କଳା ବ୍ୟାଜ୍ ପିନ୍ଧି ଥିଲେ ଏବଂ ସେମାନଙ୍କ ଦୁର୍ଦ୍ଦଶା ପାଇଁ ଡିନ୍ ଙ୍କୁ ଦାୟୀ କରିଥିଲେ।

Comments are closed.