Latest Odisha News

କାହାର ହେବ କନ୍ଧମାଳ, ମେଣ୍ଟ ହେଲେ କାହା ଖାତାକୁ ଯିବ ସିଟ୍?

ଭୁବନେଶ୍ୱର: କାହାର ହେବ କନ୍ଧମାଳ ? ମେଂଟ ହେଲେ କାହା ଖାତାକୁ ଯିବ ସିଟ୍ ? ବିଜେଡି ନା ବିଜେପି ? ଅଚ୍ୟୁତ ସାମନ୍ତଙ୍କୁ ରିପିଟ୍ କରିବ କି ବିଜେଡି ? ନା ସବୁଥର ପରି ନୂଆ ଚେହେରା ଉପରେ ଲଗାଇବ ବେଟ୍ ? ମୋଦିଙ୍କ ମିଶନ ୪ଶୋ ପାର ପାଇଁ କନ୍ଧମାଳରୁ ପ୍ରାର୍ଥୀ ଓହ୍ଲାଇବ କି ବିଜେପି ? ଯଦି ଲଢେ, କିଏ ହେବେ ଗେରୁଆ ଦଳର ଚେହେରା ?

ନିର୍ବାଚନମଣ୍ଡଳୀ ଗଠନ ପରଠୁ ବିଜେଡିର ଗଡ ରହିଛି କନ୍ଧମାଳ । ପ୍ରତିଥର ନୂଆ ସିପାହୀ ଓହ୍ଲାଇଛି ଦଳ । ଆଉ ଦଳର ଏକ୍ସପେରିମେଂଟକୁ ମିଳିଛି ଜନତାଙ୍କ ସମର୍ଥନ । ୨୦୦୯ରେ ରୁଦ୍ରମାଧବ ରାୟ କନ୍ଧମାଳରେ ଉଡାଇଥିଲେ ସବୁଜ ବାନା । ୨୦୧୪ରେ ହେମେନ୍ଦ୍ର ସିଂ ବିଜେଡି ଟିକେଟରୁ ବାଜି ମାରିଥିଲେ । ହେମେନ୍ଦ୍ରଙ୍କ ଦେହାନ୍ତ ପରେ ଉପନିର୍ବାଚନରେ ତାଙ୍କ ପତ୍ନୀ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ପ୍ରତ୍ୟୁଷାଙ୍କୁ ବି ମିଳିଥିଲା କନ୍ଧମାଳ ଜନତାଙ୍କ ସ୍ନେହ । ୨୦୧୯ରେ ବିଜେଡିର ନିଜ ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରି କନ୍ଧମାଳ ମଇଦାନକୁ ଓହ୍ଲାଇଥିଲା । ଆଉ ଅଚ୍ୟୁତ ବି ମାରିଥିଲେ ବିଜୟର ଚଉକା ।

କିଟ୍‌, କିସ ପରି ଶିକ୍ଷାନୁଷ୍ଠାନ ଓ କିମ୍ସ ଭଳି ହସପିଟାଲର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ଉପାନ୍ତ ଅଂଚଳର ଅନେକ ଗରିବ ପିଲାଙ୍କୁ ମାଗଣାରେ ପଢାଉଥିବା ଅଚ୍ୟୁତଙ୍କ ପାଇଁ କନ୍ଧମାଳବାସୀଙ୍କର ରହିଛି ସ୍ୱତନ୍ତ୍ର ସମ୍ମାନ । ଗତଥର ଏହା ଭୋଟରେ ବି ରୂପାନ୍ତର ହୋଇଥିଲା । ଅଚ୍ୟୁତ ସାମନ୍ତଙ୍କୁ ୪ଲକ୍ଷ ୬୧ ହଜାର ୬୭୯ ଭୋଟ୍ ମିଳିଥିଲା । ପ୍ରାୟ ଦେଢ ଲକ୍ଷ ଭୋଟରେ ବିଜେପି ପ୍ରାର୍ଥୀ ଐର ଖାରବେଳ ସ୍ୱାଇଁଙ୍କୁ ପରାସ୍ତ କରିଥିଲେ ଅଚ୍ୟୁତ । ସାଂଗଠନିକ ଦକ୍ଷତା ପାଇଁ ଅଚ୍ୟୁତଙ୍କୁ ପୁଣି ବିଜେଡି ରିପିଟ୍ କରିପାରେ ବୋଲି ଚର୍ଚ୍ଚା ହେଉଛି । ସେପଟେ ଗତ ୩ଟି ନିର୍ବାଚନରେ ଭୋଟ୍ ପର୍ସେଂଟେଜ ବଢାଇ ଦ୍ୱିତୀୟ ସ୍ଥାନରେ ରହିଥିବା ବିଜେପି କନ୍ଧମାଳ ପାଇଁ କନଫ୍ୟୁଜ ରହିଛି ।

ବାଲେଶ୍ୱରରୁ ଲଢିବାକୁ ଐର ଖାରବେଳ ସ୍ୱାଇଁ ଇଚ୍ଛା ପ୍ରକାଶ କରିଥିବା ବେଳେ ସେଠି ପ୍ରତାପ ଷଡଙ୍ଗୀଙ୍କୁ ବଦଳାଇବା ମୁଡରେ ନାହିଁ ବିଜେପି । କନ୍ଧମାଳ ପାଇଁ ଐର ଖାରବେଳ ସ୍ୱାଇଁଙ୍କ ସହ ବିଜେପି ମୁଖପାତ୍ର ଲକ୍ଷ୍ମଣ ପଣ୍ଡାଙ୍କ ନାଁ ଚର୍ଚ୍ଚା ହେଉଛି । ପୂର୍ବରୁ ଆରଏସଏସରେ ଥିବା ଲକ୍ଷ୍ମଣ ପଣ୍ଡା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ । ତାଙ୍କ ନାଁରେ ବେଟ୍ ଲଗାଇପାରେ ବିଜେପି । ସେପଟେ କନ୍ଧମାଳରେ ଲଗାତର ଖସିଚାଲିଛି କଂଗ୍ରେସ ଗ୍ରାଫ୍ । ତେଣୁ ଚବିଶରେ ହାତର ସିପାହୀ କିଏ ହେବେ ତାକୁ ନେଇ ସସପେନ୍ସ ଲାଗି ରହିଛି ।

ବାଲିଗୁଡା, ଜି.ଉଦୟଗିରି, ଫୁଲବାଣୀ, କଂଟାମାଲ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର ବିଧାନସଭା କ୍ଷେତ୍ରକୁ ନେଇ ରହିଛି କନ୍ଧମାଳ ଲୋକସଭା ଆସନ । ଆଦିବାସୀ କଲ୍ୟାଣ, ପର୍ଯ୍ୟଟନ ବିକାଶ, ମେଡିକାଲ କଲେଜ ସାଙ୍ଗକୁ ଶିକ୍ଷା, ସ୍ୱାସ୍ଥ୍‌୍ୟର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଲୋକପ୍ରିୟ ଯୋଜନାକୁ ଅସ୍ତ୍ର କରିବ ବିଜେଡି । ବିଜେପି କେନ୍ଦ୍ରର ସଫଳ ସ୍କିମ ଗଣାଇବ ତ କଂଗ୍ରେସ ସାଧିବ ସମସ୍ୟାର ଶର । ମେଂଟ ରୂପରେଖ ସ୍ପଷ୍ଟ ହୋଇନଥିବା ବେଳେ କାହା ଖାତାକୁ କନ୍ଧମାଳ ଲୋକସଭା ଆସନ ଯିବ ଜଣାପଡୁନି । କନ୍ଧମାଳ ବିଜେଡି ଖାତାକୁ କଲେ ଅଚ୍ୟୁତ ରିପିଟ୍ ହେବା ନେଇ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.