ଭୁବନେଶ୍ବର: ଭରତପୁର ଥାନା ଘଟଣାରେ ଦସ୍ତାବିଜ୍ ଦାଖଲ କରିପାରିଲାନି କ୍ରାଇମବ୍ରାଞ୍ଚ । ଯେଉଁକାରଣରୁ ଆଜି ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଦ୍ବାରା ହେବାକୁ ଥିବା ଶୁଣାଣି ସ୍ଥଗିତ ରଖାଯାଇଛି । ଯାହା ଆସନ୍ତା ୧୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।
ତେବେ ଶୁକ୍ରବାର କ୍ରାଇମବ୍ରାଞ୍ଚ ପକ୍ଷରୁ ଭରତପୁର ଥାନା ଘଟଣାର ତଦନ୍ତ ସଂକ୍ରାନ୍ତ ଦସ୍ତାବିଜ ଓ ଭିଡ଼ିଓ ଦାଖଲ ଲାଗି ଦିନଧାର୍ଯ୍ୟ ହୋଇଥିଲା। ତଦନ୍ତକାରୀ ସଂସ୍ଥା ଦସ୍ତାବିଜ ଦାଖଲ କରିନପାରିବାରୁ ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା । ପୁନଶ୍ଚ ଆସନ୍ତା ୧୮ ତାରିଖକୁ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଛି । ଉକ୍ତ ଦିନ ଉଭୟପକ୍ଷଙ୍କ ଓକିଲ କାହାକୁ ଜେରା କରିବେ ସେମାନଙ୍କ ତାଲିକା ଦେବେ। ଆବଶ୍ୟକ ସ୍ଥଳେ ଜେରା ମଧ୍ୟ କରିବେ ବୋଲି କମିସନଙ୍କ ସଚିବ ଶୁଭେନ୍ଦୁ ମହାନ୍ତି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ ମାରିବା ସହ ଦୁର୍ବ୍ୟବହାର କରିବାର ଅଭିଯୋଗ ହୋଇଥିଲା । ସେହି ରାତିରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ କାର୍ରେ ଘରକୁ ଫେରୁଥିବା ବେଳେ ଚନ୍ଦକା-ପଥରଗାଡ଼ିଆ ରାସ୍ତାରେ କିଛି ଯୁବକଙ୍କ ସହ ତୁତୁମେଁମେଁ ହୋଇଥିଲା। ଏହାକୁ ନେଇ ସେନା ଅଧିକାରୀ ଓ ବାନ୍ଧବୀ ଅଭିଯୋଗ କରିବାକୁ ଭରତପୁର ଥାନାକୁ ଯାଇଥିବା ବେଳେ ଥାନା ଅଧିକାରୀ ସେମାନଙ୍କ କଥା ନଶୁଣି ଓଲଟା ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଘଟଣାରେ ଥାନା ଅଧିକାରୀଙ୍କ ସମେତ ୫ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ହାତକୁ ଯିବା ପରେ ମୁଖ୍ୟମନ୍ତ୍ରୀ ମାମଲାର ନ୍ୟାୟିକ ତଦନ୍ତ ନିର୍ଦେଶ ଦେଇଥିଲେ।
Comments are closed.