ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସତ୍ତ୍ୱାଧିକାର ନେଇ ଆଇନ ମନ୍ତ୍ରୀଙ୍କୁ ଅନ୍ତରିଣ ରିପୋର୍ଟ ପ୍ରଦାନ କଲେ ଜଷ୍ଟିସ୍ ଡିପି ଚୌଧୁରୀ କମିଟି
ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି, ସେବାପୂଜା, ବିଧି ଏବଂ ପର୍ବପର୍ବାଣିକୁ ଶୃଙ୍ଖଳିତ କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ମନ୍ଦିରର ରେକର୍ଡ ଅଫ୍ ରାଇଟସ୍ର ଅନୁଧ୍ୟାନ ଓ ବିଶ୍ଳେଷଣ କରିବା ପାଇଁ ଦୁଇ ଜଣିଆ କମିଟି ଗଠିତ ହୋଇଥିଲା । ଏହି ଦୁଇ ଜଣିଆ କମିଟି ଆଜି ଅପରାହ୍ନରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଅନ୍ତରିଣ ରିପୋର୍ଟ ପ୍ରଦାନ କରିଛନ୍ତି ।
ଅବସରପ୍ରାପ୍ତ ଜଷ୍ଟିସ ଡ. ଦୁର୍ଗା ପ୍ରସନ୍ନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ସଦସ୍ୟ ଥାଇ ଗଠିତ ଦୁଇଜଣିଆ କମିଟି ମନ୍ଦିର, ନିଯୋଗ, ସେବାପୂଜା ବାବଦରେ ଥିବା ବିଭିନ୍ନ ପୁରାତନ ନଥିକୁ ଅନୁଧ୍ୟାନ ସହ ମନ୍ଦିର ସହିତ ସଂଶ୍ଳିଷ୍ଟ ସେବାୟତ, ନିଯୋଗ ଆଦିଙ୍କ ସହ ଆଲୋଚନା କରି ପ୍ରସ୍ତୁତ ଏହି ଅନ୍ତରିଣ ରିପୋର୍ଟ ପ୍ରଦାନ କରିଛନ୍ତି ।
ଏହି ରିପୋର୍ଟକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗ୍ରହଣ କରିବା ଅବସରରେ କହିଲେ ଯେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ହେଉଛନ୍ତି ସାରା ଓଡ଼ିଶା ତଥା ଦେଶର କୋଣ ଅନୁକୋଣରେ ଥିବା ଶ୍ରଦ୍ଧାଳୁଙ୍କ ଲାଗି ପ୍ରତ୍ୟକ୍ଷ ଠାକୁର । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରତି ଥିବା ଓଡ଼ିଶାବାସୀଙ୍କ ଭକ୍ତି ଓ ଭାବାବେଗକୁ ସମ୍ମାନ ଜଣାଇ ତାଙ୍କ ନୀତିକାନ୍ତି ଓ ସେବାପୂଜାକୁ ଖୁବ୍ ଶୀଘ୍ର ଶୃଙ୍ଖଳିତ ହେବାକୁ ଯାଉଛି ।
ଆଗାମୀ ଦିନରେ ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ କମିଟି ଦେଇଥିବା ସମସ୍ତ ପ୍ରସ୍ତାବକୁ ଅନୁଶୀଳନ କରି ବିଭିନ୍ନ ନୀତିକାନ୍ତି, ପର୍ବପର୍ବାଣି, ଯାନିଯାତ୍ରା, ସେବା ଆଦିକୁ ଶୃଙ୍ଖଳିତ ତଥା ସୁନ୍ଦର ଭାବେ ପରିଚାଳନା କରିବା ସମ୍ଭବ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।
ଏହି ଅବସରରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।