ମୁମ୍ବାଇ: ରାଜେଶ ଖାନ୍ନା, ଅମିତାଭ ବଚ୍ଚନ ଓ ଶାହାରୁଖ ଖାଁଙ୍କ ପରି ସୁପରଷ୍ଟାରଙ୍କ ସହ କାମ କରିଥିବା ନିର୍ମାତା ଓ ନିର୍ଦ୍ଦେଶକ କେସି ବୋକାଡିୟା ଏବେ ତାଙ୍କ ଆଗାମୀ ଫିଲ୍ମ ନେଇ ଅଡୁଆରେ ପଡିଛନ୍ତି । ସେନ୍ସର ବୋର୍ଡ ତାଙ୍କର ତିସରୀ ବେଗମ ଫିଲ୍ମରୁ ଜୟ ଶ୍ରୀ ରାମ ହଟେଇବା ପାଇଁ କହିଛନ୍ତି । ତେବେ ଏହାକୁ ମାନିବାକୁ ବୋକାଡିୟା ରାଜି ହୋଇ ନାହାନ୍ତି । ସେ କହିଛନ୍ତି ମରିଯିବି ପଛେ ଜୟ ଶ୍ରୀ ରାମ ଶବ୍ଦ ଫିଲ୍ମରୁ ହଟେଇବି ନାହିଁ । ତିସରୀ ବେଗମକୁ ସେନ୍ସର ବୋର୍ଡ ଆପତିଜନକ ଦର୍ଶାଇ ସାର୍ଟିଫିକେଟ ଦେବାକୁ ମନା କରି ଦେଇଥିଲା । ପରେ ଏ ସାର୍ଟିଫିକେଟ ଓ ୧୪ କଟ ସହ ଏହାକୁ ରିଲିଜ କରିବା ପାଇଁ ବୋକାଡିୟାଙ୍କୁ କୁହାଯାଇଥିଲା ।
ସେ ସବୁ କିଛି ମାନିବାକୁ ରାଜି ଅଛନ୍ତି କିନ୍ତୁ ଜୟ ଶ୍ରୀ ରାମ ଶବ୍ଦ ହଟେଇବେ ନାହିଁ ବୋଲି କହିଛନ୍ତି । ଏହା ଆମ ଆସ୍ଥା ଓ ବିଶ୍ୱାସର ପ୍ରତୀକ । ୪୦ ବର୍ଷରେ ୬୦ରୁ ଊର୍ଦ୍ଧ୍ୱ ଫିଲ୍ମ କରିଥିବା ବୋକାଡିୟା କହିଛନ୍ତି ମୋତେ କେବେ ହେଲେ ସେନ୍ସର ବୋର୍ଡ ଏ ଭଳି ହଇରାଣ କରି ନ ଥିଲା । ମୋ ଲଢ଼େଇ ଜାରୀ ରହିବ ବୋଲି ସେ କହିଛନ୍ତି ।
Comments are closed.