ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖୀର ତାଣ୍ଡବ। ଆହୁରି ୫ ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏହି ୫ ଦିନ ରାଜ୍ୟରେ କାଳବୈଶାଖୀର ପ୍ରକୋପ ଜାରି ରହିବ। ରାଜ୍ୟର କେତେକ ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ଏନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନାଗିରି, ବାଲେଶ୍ୱର, ରାୟଗଡ଼ା, ଗଜପତି, ଭଦ୍ରକ, ନବରଙ୍ଗପୁର ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ଦୁଇ ଦିନ ପରେ ରାଜ୍ୟରେ ଦିନ ତାପମାତ୍ରା ବଢ଼ିବ। ପ୍ରାୟ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିପାରେ। ଏମିତି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ପଶ୍ଚିମ ଓଡ଼ିଶାରେ ତାତିର ତାଉ ଦେଖିବାକୁ ମିଳିଛି। ବିଶେଷକରି ଟିଟିଲାଗଡ଼ରେ ୪୦ ଡିଗ୍ରି ଛୁଇଁଲାଣି ତାତି।
ରବିବାର ରାଜ୍ୟର ୨୩ଟି ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ଏଥିରୁ ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୦.୮ ଡିଗ୍ରୀ ଛୁଇଁଥିଲା। ଭବାନୀପାଟଣାରେ ୩୯.୮, ଝାରସୁଗୁଡ଼ା ଓ ସୋନପୁରର ତାପମାତ୍ରା ୩୯.୪ ଡିଗ୍ରୀ ରହିଥିଲା। ସେହିପରି ବଲାଙ୍ଗିରରେ ୩୮.୮, ସମ୍ବଲପୁରରେ ୩୮.୭, ହୀରାକୁଦ ଓ ତାଳଚେରରେ ୩୮.୬ ଏବଂ ରାଉରକେଲାରେ ଦିନର ତାପମାତ୍ରା ୩୮.୨ ଡିଗ୍ରୀ ରହିଥିଲା।