Latest Odisha News

BREAKING NEWS

କାଳବୈଶାଖୀର ତାଣ୍ଡବ: ଅନୁଗୋଳରେ ଘର ଉପରେ ଗଛ ପଡି ମହିଳାଙ୍କ ମୃତ୍ୟୁ

ଅନୁଗୋଳ: କାଳବୈଶାଖୀ ପ୍ରଭାବରେ ଅନୁଗୋଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆଠମଲ୍ଲିକ ଥାନା ଅଧୀନ ନାରାୟଣପୁର ଗାଁରେ ବୁଧବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ପ୍ରବଳ ପବନ ଓ ବର୍ଷା ଯୋଗୁଁ ଏକ ଘର ଉପରେ ଗଛ ପଡିଯିବାରୁ ଜଣେ ମହିଳାଙ୍କର ପ୍ରାଣହାନି ଘଟିଛି।

 

ମୃତ ମହିଳା ଜଣକ ହେଉଛନ୍ତି ସେହି ଗାଁର ଦିନ ମଜୁରିଆ ଶୋଭାଗିନୀ ପ୍ରଧାନ। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ସନ୍ଧ୍ୟା ସମୟରେ ହଠାତ କାଳବୈଶାଖୀର ପ୍ରଭାବ ବଢିଯାଇଥିଲା। ଏହି ସମୟରେ ଶୋଭାଗିନୀ ନିଜ ଘର ଭିତରେ ଥିଲେ। ପ୍ରବଳ ପବନରେ ଏକ ବିଶାଳ ଗଛ ତାଙ୍କ ଘର ଉପରେ ଭୁଶୁଡି ପଡିବାରୁ ସେ ଭଙ୍ଗା ଘର ତଳେ ଚାପି ହୋଇଯାଇଥିଲେ।

 

ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଏବଂ ଗ୍ରାମବାସୀ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଆଠମଲ୍ଲିକ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 

ଏହି ଘଟଣା ପରେ ନାରାୟଣପୁର ଗାଁରେ ଶୋକର ଛାୟା ଖେଳିଯାଇଛି। ଅଳ୍ପ ସମୟ ମଧ୍ୟରେ କାଳବୈଶାଖୀ ପବନ ଗାଁରେ ବହୁତ କ୍ଷତି ଘଟାଇଛି। ଅନେକ ଘରର ଆଜବେଷ୍ଟସ ଓ ଟିଣ ଛପର ଉଡିଯାଇଥିବା ବେଳେ ବହୁ ଗଛ ଏବଂ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିବା ଦେଖିବାକୁ ମିଳିଛି। କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଏବଂ ମୃତ ମହିଳାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

 

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ ଅନୁଗୋଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ନେଇ ସତର୍କ ସୂଚନା ଜାରି କରାଯାଇଥିଲା। ପ୍ରଶାସନ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏବେ ପ୍ରଭାବିତ ଅଞ୍ଚଳରେ ସ୍ଥିତି ଉପରେ ନଜର ରଖାଯିବା ସହ କ୍ଷୟକ୍ଷତିର ଆକଳନ କରାଯାଉଥିବା ଜଣାପଡିଛି।

Leave A Reply

Your email address will not be published.