Latest Odisha News

BREAKING NEWS

ଇରାନର ଦାବି: ଆମେରିକାର ବିମାନ ଖସାଇଲୁ, ଆମେରିକା କହିଲା- ମିଛ!

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ତିକ୍ତତା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇରାନର ରାଷ୍ଟ୍ରୀୟ ଗଣମାଧ୍ୟମ ଦାବି କରିଛି ଯେ, ଇରାନ ସେନା ଆମେରିକାର ଏକ ବିମାନକୁ ଖସାଇ ଦେଇଛି। ଇରାନର ବୁଶେହର ପ୍ରଦେଶର ଜାମ୍ ଗଭର୍ଣ୍ଣରେଟ୍ (Jam governorate) ଅଞ୍ଚଳରେ ଏହି ଘଟଣା ଘଟିଥିବା ଦାବି କରାଯାଇଛି।

 

ତେବେ ଆମେରିକାର ସେନା ଏହି ଦାବିକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ (CENTCOM) ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର)ରେ ପୋଷ୍ଟ କରି ସ୍ପଷ୍ଟ କରିଛି ଯେ, “କୌଣସି ଆମେରିକୀୟ ବିମାନକୁ ଖସାଯାଇ ନାହିଁ। ଆମେରିକାର ସମସ୍ତ ବିମାନ ନିରାପଦ ଅଛନ୍ତି ଏବଂ ସେଗୁଡ଼ିକର ହିସାବ ଆମ ପାଖରେ ଅଛି।”

 

ଏହାପୂର୍ବରୁ ଇରାନର ଗଭର୍ଣ୍ଣର ମାସୁଦ ତଙ୍ଗେସ୍ତାନୀଙ୍କୁ ଉଦ୍ଧାର କରି ଇରାନର ଗଣମାଧ୍ୟମ ଏହି ଖବର ପ୍ରସାରଣ କରିଥିଲା ଯେ, ଏକ ‘ଶତ୍ରୁ ବିମାନ’କୁ ଚିହ୍ନଟ କରି ସଫଳତାର ସହ ନଷ୍ଟ କରିଦିଆଯାଇଛି ଏବଂ ସ୍ଥାନୀୟ ଅଞ୍ଚଳରେ ପରିସ୍ଥିତି ସ୍ୱାଭାବିକ ରହିଛି।

 

ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ଦିନ ହେବ ଇରାନ ଏବଂ ଆମେରିକା ମଧ୍ୟରେ କଥାବାର୍ତ୍ତା ଏବଂ ଆଲୋଚନା ଚାଲିଥିବା ନେଇ ଖବର ଆସୁଥିଲା। ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ମଧ୍ୟ କହିଥିଲେ ଯେ ଇରାନ ସହ ଆଲୋଚନାରେ ‘ଯଥେଷ୍ଟ ଅଗ୍ରଗତି’ ହୋଇଛି ଏବଂ ଇରାନ ମଧ୍ୟ ଚୁକ୍ତି କରିବାକୁ ଚାହୁଁଛି। ଏହିଭଳି ଏକ ସମୟରେ ଇରାନର ଏହି ଦାବି ଏବଂ ଆମେରିକାର ଖଣ୍ଡନ ପରିସ୍ଥିତିକୁ ପୁଣି ଥରେ ସରଗରମ କରିଦେଇଛି।

Leave A Reply

Your email address will not be published.