Latest Odisha News

BREAKING NEWS

କାଳିଆ: ଆର୍ଥିକ ସହାୟତା ରାଶି ଜାନୁଆରୀ ୨୫ରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ

ଭୁବନେଶ୍ୱର : ଓଡିଶା ସରକାର ‘କାଳିଆ’ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା ) ଯୋଜନା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ଜାନୁଆରୀ ୨୫ ତାରିଖ ଦିନ ଆର୍ଥିକ ସହାୟତା ପ୍ରଦାନ କରିବେ ।

ଏସମ୍ପର୍କରେ ରାଜ୍ୟ ସଚିବାଳୟ ଠାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ପରେ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ରାଜ୍ୟ ସରକାର ଏହି ଅର୍ଥରାଶି ଯୋଗାଇ ଦେବା ପରେ ହିତାଧିକାରୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବ ।

ପ୍ରାଥମିକ ପର୍ଯ୍ୟାୟରେ ୨୨ଲକ୍ଷ ହିତାଧିକାରୀମାନଙ୍କ ମଧ୍ୟରେ ୧୨-୧୪ ଲକ୍ଷ ହିତାଧିକାରୀମାନଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ । ତେବେ ପ୍ରଥମ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହୋଇଥିବା ହିତାଧିକାରୀ ମାନଙ୍କ ଚୂଡାନ୍ତ ତାଲିକା ଆସନ୍ତା ଜାନୁଆରୀ ୨୨ ତାରିଖରେ ଘୋଷଣା କରାଯିବ ବୋଲି ସେ କହିଛନ୍ତି ।

ଏହି ଯୋଜନାରେ ନାମ ପଞ୍ଜିକରଣ ଲାଗି ଏପର୍ଯ୍ୟନ୍ତ ପ୍ରାୟ ୬୬ ଲକ୍ଷ ହିତାଧିକାରୀ ସରକାରଙ୍କ ନିକଟକୁ ଦରଖାସ୍ତ ଦ୍ୱାରା ଆବେଦନ କରିଛନ୍ତି । ଏହି ଆବେଦନ ପତ୍ର ଗୁଡିକୁ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ଗୁଡିକୁ ଯାଞ୍ଚ ନିମନ୍ତେ ପଠାଯିବା ପରେ ସମସ୍ତ ଚୂଡାନ୍ତ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶିତ ହେବ ।

ଏହି କାଳିଆ ଯୋଜନାରେ ସମସ୍ତ ହିତାଧିକାରୀଙ୍କୁ ସାମିଲ କରିବା ନିମନ୍ତେ ରାଜ୍ୟ ସରକାର ଚାଷୀ ମାନଙ୍କୁ ‘ଗ୍ରୀନ୍ ଫର୍ମ’ ମାଧ୍ୟମରେ ଜାନୁଆରୀ ୧୦ ତାରିଖ ମଧ୍ୟରେ ଆବେଦନ କରିବାକୁ ପୂର୍ବରୁ ଘୋଷଣା କରିଥିଲେ ।

ତେବେ ପରବର୍ତ୍ତୀ ସମୟରେ ଏହି ପ୍ରଥମ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ପାଇଁ ହିତାଧିକାରୀଙ୍କ ପାଇଁ ଆବେଦନ ତାରିଖ ଜାନୁଆରୀ ୧୫ ତାରିଖକୁ ବୃଦ୍ଧି କରିଥିଲେ ।

ଏହି କାଳିଆ’ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ ଚାଷୀ, କୃଷି ଶ୍ରମିକ, ଭାଗଚାଷୀ ତଥା ଅସମର୍ଥ କୃଷି ପରିବାର ବିଭିନ୍ନ ସୁବିଧା ଓ ସହାୟତା ପାଇ ପାରିବେ । କୃଷକ ଏବଂ ଭୂମିହୀନ ଶ୍ରମିକଙ୍କ ପାଇଁ ଜୀବନବୀମା ସୁବିଧା ମଧ୍ୟ ରହିଛି ।

Leave A Reply

Your email address will not be published.