Latest Odisha News

BREAKING NEWS

ଶ୍ରୀଜୀଉଙ୍କ ମାର୍କଣ୍ଡରେ କାଳୀୟଦଳନ ଏକାଦଶୀ ନୀତି

“ କାଳୀୟ ବିଷଧର ଗଞ୍ଜନ ଜନ ରଞ୍ଜନ
ଯଦୁକୁଳ ନଳୀନ ଦିନେଶ
ଜୟ ଜୟ ଦେବ ହରେ ”

କବି ଶ୍ରୀଜୟଦେବଙ୍କ ବିରଚିତ ଗୀତଗୋବିନ୍ଦରେ ଶ୍ରୀକୃଷ୍ଣଙ୍କୁ “କାଳୀୟବିଷଧର” ଗନ୍ଜନ ବୋଲି ସମ୍ବୋଧନ କରିଛନ୍ତି । କାରଣ, ପ୍ରଭୁ କୃଷ୍ଣଚନ୍ଦ୍ର କାଳୀୟ ନାଗକୁ ଲାନ୍ଛିତ ଓ ପରାଜିତ କରିବା ସହିତ କାଳିନ୍ଦୀ ହ୍ରଦକୁ ତା’ର ପ୍ରଖର ବିଷଜ୍ୱାଳାରୁ ମୁକ୍ତ କରିଥିଲେ । ଏହା କାଳୀୟ ଦଳନ ବେଶ ଭାବରେ ପ୍ରସିଦ୍ଧ ।

ଆଜି ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଅତିସୁନ୍ଦର କାଳୀୟଦଳନ ନୀତି ଅନୁଷ୍ଠିତ ହୋଇଛି । ମହାପ୍ରଭୁ କାଳୀୟଦଳନ ବେଶରେ ଦର୍ଶନ ଦେଇଛନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାଳୀୟଦଳନ ବେଶ ଓ ଧେନୁକାସୁର ବଧ ନୀତି ଅନୁଷ୍ଠିତ ହୋଇଛି । ମାର୍କଣ୍ଡେଶ୍ୱର ପୁଷ୍କରିଣୀରେ କାଳୀୟଦଳନ ନୀତି ଗରୁଡଙ୍କ ଦ୍ଵାରା ସମାପନ ହୋଇଛି ।

ଶ୍ରୀମନ୍ଦିରରେ କାଳୀୟଦଳନ ଏକାଦଶୀ ନୀତି :-

ଆଜି କାଳୀୟଦଳନ ଏକାଦଶୀରେ ଆଜ୍ଞାମାଳ ପାଇ ଶ୍ରୀମଦନମୋହନ, ରାମ କୃଷ୍ଣ ଲୋକନାଥ ରୋଡ ସ୍ଥିତ ଲବଣୀ ଖିଆ ମଣ୍ଡପକୁ ଯାଇଥାନ୍ତି । ସେଠାରେ ମହାଭୋଇ (ଗଉଡ଼) ସେବକ ଘର ବୋହୂମାନେ ଠାକୁରଙ୍କୁ ବନ୍ଦାପନା କରିବା ସହ ଲବଣୀ ଖୁଆଇଥାନ୍ତି ।

ଏହି ଦିନ ମହାପ୍ରଭୁଙ୍କୁ କେବଳ ମହାଭୋଇ (ଗଉଡ଼) ଘର ବୋହୂମାନେ ସେବା କରିପାରିଥାନ୍ତି । ସେମାନେ ସେବା କରିବା ପୂର୍ବରୁ ଗୀତ ଗୋବିନ୍ଦ ଖଣ୍ଡୁଆ ପରିଧାନ କରିଥାନ୍ତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରି ଭିତରେ ପାଣି ପଡ଼ିଲେ ଓ ଦକ୍ଷିଣ ଘର ଭୋଗ ସରିଲେ ଶ୍ରୀମଦନମୋହନ ଓ ରାମକୃଷ୍ଣ ରତ୍ନ ସିଂହାସନକୁ ବିଜେ କରନ୍ତି । ପୂଜାପଣ୍ଡା ତିନି ମୂର୍ତ୍ତିଙ୍କୁ ଆଜ୍ଞାମାଳ ଦେବା ପରେ (ମହାଜନେ) ପୁଷ୍ପାଳକଙ୍କ ହାତରେ ବିଜେ ହୋଇ ଝୁଲଣ ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିରାଜିତ ହୋଇଥାନ୍ତି । ତତ୍ପରେ ବଡ଼ଦେଉଳକୁ ବେଢାଏ ବୁଲି ଲୋକନାଥ ରୋଡ୍ ସ୍ଥିତ ଲବଣୀଖିଆ ମଣ୍ଡପକୁ ବିଜେ କରନ୍ତି ଓ ବନ୍ଦାପନା, ଶୀତଳ ଭୋଗ ଇତ୍ୟାଦି ନୀତି ସମାପନ ପରେ ମାର୍କଣ୍ଡ ପୁଷ୍କରିଣୀଠାରେ କାଳୀୟଦଳନ ଲୀଳା ହୁଏ । ସେଠାରେ ଶୀତଳ ଭୋଗ ଓ ବନ୍ଦାପନା ହୋଇ ବାହୁଡା ବିଜେ ପୂର୍ବକ ଶ୍ରୀମନ୍ଦିରର ଜୟ ବିଜୟ ଦ୍ୱାର ଠାରେ ଏକାଦଶୀ ଭୋଗ ଓ ବନ୍ଦାପନା ହୋଇ ଦକ୍ଷିଣୀ ଘରକୁ ବିଜେ କରନ୍ତି । ପରେ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାଡ଼ରେ କାଳୀୟଦଳନ ବେଶ ହୁଏ ।

ବେଶ ହୋଇ ସନ୍ଧ୍ୟାଧୂପ ପାଣି ପଡ଼ିଲା ପରେ ଜଗନ୍ନାଥ ବଲ୍ଲଭ ମଠରୁ ଆସିଥିବା ବଡ଼ ଅମୃତ ଲଡୁ ଖୁଣ୍ଟିଆ ସେବକଙ୍କଠାରୁ ନେଇ ପୁଷ୍ପାଳକ ଶ୍ରୀହସ୍ତରେ ଲାଗି କରନ୍ତି । ମଧ୍ୟାହ୍ନ ଧୂପ ପରେ ରତ୍ନ ସିଂହାସନ ଉପରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳୀୟଦଳନ ବେଶରେ ସୁସଜ୍ଜିତ କରାଯାଇଥାଏ । ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର କାଷ୍ଠ ନିର୍ମିତ ଶ୍ରୀଭୁଜ ଓ ଶ୍ରୀପୟର ଯୁକ୍ତ ହୋଇଥାନ୍ତି । ବେଶ ପୂର୍ବରୁ ଦରଜି ଓ ମହାରଣା, ଚିତ୍ରକାର ଓ ସୋଲ ଶିଳ୍ପୀମାନଙ୍କ ଦ୍ୱାରା ବେତ, ସୂତା ଓ କନାରେ ପ୍ରସ୍ତୁତ ପ୍ରାୟ ୩୦ ଫୁଟ୍ ଲମ୍ବର ଏକ ବିରାଟକାୟ ସପ୍ତ ଫେଣିଆ କାଳୀୟ ସର୍ପ ବା ନାଗଟି ଚାରିଟି ଅଂଶରେ ବିଭକ୍ତ ଅଟେ । ୨ଟି ଅଂଶ ଗଣ୍ଡି, ୧ଟି ଅଂଶ ମୁଣ୍ଡ ଓ ୧ଟି ଅଂଶ ଲାଞ୍ଜ ।

ସର୍ପଟିର ସମଗ୍ର ଶରୀର କଳା କନାରେ ଆବୃତ ହୋଇଥିବାବେଳେ ଶରୀରର କାତିଗୁଡ଼ିକ ନିମନ୍ତେ ଧଳା କନା ବ୍ୟବହୃତ ହୋଇଥାଏ । ସର୍ପଟିର ଏହି ୪ଟି ଅଂଶ ପୁଷ୍ପାଳକ ସେବକମାନଙ୍କଦ୍ୱାରା ରତ୍ନ ସିଂହାସନ ଉପରକୁ ଯାଇଥାଏ । ସେଠାରେ ସମ୍ପୂର୍ଣ୍ଣ ଶରୀରଟିକୁ ଖଞ୍ଜାଯାଇ ସପ୍ତ ଫେଣିଆ ମସ୍ତକଟି ଶ୍ରୀଜଗନ୍ନାଥଙ୍କ ଶ୍ରୀପୟର ତଳେ ରଖାଯାଏ ଓ ଅବଶିଷ୍ଟ ଅଂଶ ଠାକୁରଙ୍କ ସମଗ୍ର ଶରୀରକୁ ଆବୃତ କରି ଅର୍ଥାତ୍, ଉପର ଦେଇ ବାମ ହସ୍ତରେ ପୁଚ୍ଛଟି (ଲାଞ୍ଜ) ରହିଥାଏ । ସୁଭଦ୍ରା ଦେବୀ ସାଧାରଣ ବେଶ ଧାରଣ କରିଥାନ୍ତି । ଶ୍ରୀବଳଭଦ୍ରଙ୍କ ଦୁଇ ପାର୍ଶ୍ବରେ ଗୋଟିଏ ଲେଖାଏଁ ଗାଈ, ବାଛୁରୀ (କାଷ୍ଠ ନିର୍ମିତ) ଦଣ୍ଡାୟମାନ ଭଙ୍ଗୀରେ ରହିଥାନ୍ତି ।

କିମ୍ବଦନ୍ତୀ ଅନୁଯାୟୀ, ରମଣକ ଦ୍ଵିପ ଥିଲା କାଳୀୟ ବା କାଳୀୟ ନାଗର ବାସସ୍ଥାନ । ପକ୍ଷୀରାଜ ଗରୁଡ ମହାରାଜଙ୍କ ଭୟରେ ସେ ସପରିବାର ନିଜର ବାସସ୍ଥାନ ଛାଡ଼ି, ବୃନ୍ଦାବନର ଯମୁନା ନଦୀରେ ଆଶ୍ରୟ ନେଇଥିଲା । ସୌରଭି ନାମକ ଜଣେ ରୁଷିଙ୍କ ଶାପରୁ ପକ୍ଷୀରାଜ ଗରୁଡ ଶାପଗ୍ରସ୍ତ ଥିଲେ । ଶାପ ଅନୁଯାଇ ବୃନ୍ଦାବନ ଆସିଲେ ତାଙ୍କର ମୃତ୍ୟୁ ହେବ । ତେଣୁ କାଳୀୟ ନିର୍ଭୟରେ ଯମୁନାରେ ବାସ କରୁଥିଲା । ତା’ ବିଷ ପ୍ରଭାବରେ ଯମୁନା ଜଳ କୃଷ୍ଣ ବର୍ଣ୍ଣ ଧାରଣ କରିଥିଲା । ତୀରରେ ଏକ କଦମ୍ବ ଗଛ ଛଡା ଆଉ କିଛି ଉଧେଇପାରୁ ନ ଥିଲା ।

ବୃନ୍ଦାବନବାସୀ ପାଣିରେ ପଶିବାକୁ ଭୟ କରୁଥିଲେ । ଦିନେ କୃଷ୍ଣ ଗୋପାଳ ବନ୍ଧୁ ମାନଙ୍କ ମେଳରେ ଯମୁନା କୂଳରେ ଖେଳୁଥିବା ବେଳେ ପେଣ୍ଡୁଟି ପାଣିରେ ପଡ଼ିଗଲା । କୃଷ୍ଣ ସଙ୍ଗେ ସଙ୍ଗେ ଯମୁନାଜଳରେ ପଶିଲେ । ପଶୁ ପଶୁ ଶ୍ରୀକୃଷ୍ଣଙ୍କୁ ଭିଡ଼ିନେଲା କାଳୀୟ ନାଗ । ଏହା ଦେଖି ଗୋପାଳ ପିଲା ଯାଇଁ ଭୟରେ ନନ୍ଦରାଜାଙ୍କୁ ଜଣାଇ ଦେଲେ । ଏକଥା ଶୁଣି ଯଶୋଦା ଓ ନନ୍ଦରାଜା ଯମୁନା ତଟକୁ ଧାଇଁଲେ । କିନ୍ତୁ, ଏପଟେ ଶ୍ରୀକୃଷ୍ଣଙ୍କୁ କାଳୀୟ ନାଗ କାବୁ କରିବାରେ ବିଫଳ ହେଲା । ଓଲଟା ଶ୍ରୀକୃଷ୍ଣ କାଳୀୟକୁ ଦଲନ କରିବା ସହ ତା ଉପରେ ନୃତ୍ୟ ଆରମ୍ଭ କରିଦେଲେ । ବିଶ୍ୱ ବ୍ରହ୍ମାଣ୍ଡର ବୋଝ ଯେପରି ତା ଉପରେ ପଡ଼ିଗଲା ।

ପ୍ରଭୁଙ୍କ ପାଦର ଆଘାତେ ଫଣାରୁ ରକ୍ତ ସ୍ରାବ ହେଲା । ପ୍ରାଣ ଯିବା ଅବସ୍ଥା ପହଞ୍ଚିବାରୁ ନାଗ ପତ୍ନୀ ମାନେ ସ୍ୱାମୀର ଜୀବନ ଦାନ ପାଇଁ ପ୍ରଭୁଙ୍କୁ ପାର୍ଥନା କଲେ । ଭଗବାନ କୃଷ୍ଣ ସନ୍ତୁଷ୍ଟ ହୋଇ, ତାକୁ ଜୀବନ ଦାନ ଦେବା ସହ ସେହି ଯମୁନା ନଦୀ ଛାଡିବା ପାଇଁ ନିର୍ଦେଶ ଦେଇଥିଲେ ଏବଂ କାଳୀୟ ଗରୁଡ଼କୁ ଭୟ କରୁଥିବାରୁ ଭଗବାନ ଶ୍ରୀକୃଷ୍ଣ କହିଥିଲେ କି କାଳୀୟ ତୋ ଶିରରେ ମୁଁ ମୋର ଶ୍ରୀଚରଣ ସ୍ଥାପିଛି ଗରୁଡ଼ ମୋ ଚରଣ ଦେଖି ତୁମର କୌଣସି କ୍ଷତି କରିବ ନାହିଁ । ସେଇ ଦିନକୁ ସ୍ମରଣ ରଖି ଆଜିବି ସେଇ ଭଗବାନ ଗୋବିନ୍ଦ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ନୀଳାଚଳରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ କାଳୀୟ ଦଲନ ବେଶ ହେଉ ଅଛନ୍ତି ।

ଏ ସଂପର୍କରେ ଭାଗବତରେ କୁହାଯାଇଛି :
“ତୋର ମୋହର ଏ ଚରିତ ।
ଯେ ସୁମରିବ ଅବିରତ ।।
ସର୍ପ ବିଘାତେ ନାହିଁ ବାଧା ।
ଯେଜନ ସୁମରେ ତ୍ରିସଂଧ୍ୟା ।”

(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.