Latest Odisha News

BREAKING NEWS

କନ୍ଧମାଳରେ ସକ୍ରିୟ ଗଞ୍ଜାମର ଲୁଟେରା ଗ୍ୟାଙ୍ଗ, ୨ ମହିଳାଙ୍କ ସହ ୬ ଗିରଫ

ବାଲିଗୁଡ଼ା: ଲୁଟର ଦୁଇ ଦିନ ମଧ୍ୟରେ ପୋଲିସକୁ ସଫଳତା । ବନ୍ଧା ହେଲେ ଲୁଟେରା । ଗତ ୩ ତାରିଖରେ ଜନୈକ ବ୍ୟବସାୟୀଙ୍କ ଠାରୁ ଦିନ ଦ୍ୱିପ୍ରହରରେ ଫୁଲବାଣୀ ସହରରୁ ବ୍ଲାକ୍ ପଲସରରେ ଦୁଇ ଦୁର୍ବୃତ୍ତ ୧୭ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ କରିଥିଲେ । ଏହି ମାମଲାରେ ପୋଲିସ ୬ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ୭ ଲକ୍ଷ ୫୦ ହଜାର ଟଙ୍କା, ୭ଟି ମୋବାଇଲ ଏବଂ ବାଇକ୍ ଜବତ କରିଛି ।

୩ ତାରିଖରେ ଫୁଲବାଣୀର ବ୍ୟବସାୟୀ ଅଶ୍ୱିନୀ କୁମାର ପାତ୍ର ଏବଂ ତାଙ୍କ ସହଯୋଗୀ ଟଙ୍କା ଜମା ପାଇଁ ଆକ୍ସିସ୍ ବ୍ୟାଙ୍କକୁ ଯିବା ବେଳେ ବାଇକରେ ଆସି ଟଙ୍କା ଛଡ଼ାଇ ନେଇଥିଲେ ଦୁଇ ଦୁର୍ବୃତ୍ତ । ଏନେଇ ପୋଲିସରେ ଅଭିଯୋଗ ପରେ ଛାନଭିନ୍ ଆରମ୍ଭ ହୋଇଥିଲା । ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚେକିଂ ସହ ସୀମାରେ ବ୍ଲକିଂ କରିଥିଲା ।

କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଓ କଳାହାଣ୍ଡି ପୋଲିସର ସହଯୋଗରେ ପ୍ରସ୍ତୁତ ପୋଲିସ ବ୍ଲୁ ପ୍ରିଣ୍ଟରେ ୬ ଲୁଟେରା ଧରା ପଡ଼ିଛନ୍ତି । ଲୁଟେରା ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରୁ ଆସି ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଲୁଟ୍ କରୁଥିଲେ ଏହି ଗ୍ୟାଙ୍ଗ୍ । ଉଭୟଙ୍କ ନାଁରେ ପୂର୍ବରୁ ନୟାଗଡ଼, ଭଦ୍ରକ, ସମ୍ବଲପୁର ଜିଲ୍ଲାରେ ବହୁ ମାମଲା ରହିଛି ।

ଲୁଟ୍ ପରେ ଦୁଇ ଲୁଟେରାକୁ ଖସାଇବାରେ ସାମିଲ୍ ଥିବା ୪ ଜଣ ସହଯୋଗୀଙ୍କୁ ଧରିଛି ପୋଲିସ । ଗିରଫ ଲୁଟେରାଙ୍କ ଠାରୁ ୭ ଲକ୍ଷ ୫୦ ହଜାର ଟଙ୍କା, ୭ଟି ମୋବାଇଲ୍, ଗୋଟିଏ କାର୍ ଓ ପଲସର ବାଇକ୍ ଜବତ କରିଛି । ଲୁଟେରା ଗ୍ୟାଙ୍ଗରେ ୨ ଜଣ ମହିଳା ଓ ୪ ଜଣ ପୁରୁଷ ରହିଛନ୍ତି ।

Leave A Reply

Your email address will not be published.