Latest Odisha News

BREAKING NEWS

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା; ‘ଅଭିଯୁକ୍ତକୁ କଠୋର ଶାସ୍ତି ମିଳୁ’

ନୂଆଦିଲ୍ଲୀ: କୋଲକତା ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାକୁ ନେଇ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଏନେଇ ଫେଡେରେସନ ଅଫ ଅଲ୍ ଇଣ୍ଡିଆ ମେଡିକାଲ ଆସୋସିଏସନ ଆଜି ଦେଶ ବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି ।

ଏହାରି ଭିତରେ ଅଭିନେତ୍ରୀ ତଥା ବିଜେପି ନେତ୍ରୀ କଙ୍ଗନା ରାଣାୱତ୍‌ ପ୍ରତିକ୍ରିୟା ଦେଇଛନ୍ତି । ସେ ଘଟଣାକୁ ଦୁଃଖଦ ଓ ଅତି ଲଜ୍ଜା ଜନକ କହିବା ସହ ଏନେଇ ସୋସିଆଲ ମିଡିଆରେ ସେ ଏକ ପୋଷ୍ଟ ସେୟାର କରିଛନ୍ତି ।

ପୋଷ୍ଟରେ କଙ୍ଗନା ଲେଖିଛନ୍ତି ଯେ, କୋଲକାତାର ସରକାରୀ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କ ହତ୍ୟା ଭୟଙ୍କର ଓ ହୃଦୟ ବିଦାରକ ଅଟେ । ଶୁକ୍ରବାର ସକାଳେ ସେମିନାର ହଲ ଭିତରୁ ଜଣେ ମହିଳା ଡାକ୍ତରଙ୍କ ଅର୍ଦ୍ଧ ନଗ୍ନ ମୃତଦେହ ମିଳିଥିଲା । ତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା ଏବଂ ତାଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଥିଲା । ପ୍ରାଥମିକ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ, ହତ୍ୟା ପୂର୍ବରୁ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିବା ସହିତ ଅକଥନୀୟ ନିର୍ଯ୍ୟାତନା ଦେଇଛି ।

ସେ ଆହୁରି ଲେଖିଛନ୍ତି ଯେ, ମୋର ଆଶା ଯେ, ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ଅଭିଯୁକ୍ତ ଜଣଙ୍କୁ କଠୋରରୁ ଅତି କଠୋର ଦଣ୍ଡ ଦିଆଯିବା ଉଚିତ୍ ।

Comments are closed.