Latest Odisha News

BREAKING NEWS

ଇନ୍ଦିରା ଗାନ୍ଧିଙ୍କ ବିରୋଧରେ ମାନହାନିକର ମନ୍ତବ୍ୟ ଦେଇ ପୁଣି ଅଡୁଆରେ କଙ୍ଗନା

ନୂଆଦିଲ୍ଲୀ : ପୁଣି ବିବାଦରେ କଙ୍ଗନା ରାଣାଓ୍ବତ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ବିରୋଧରେ ନକରାତ୍ମକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି କଙ୍ଗନା । ସେ କହିଛନ୍ତି, ଇନ୍ଦିରା ନିଜ ଜୋତାରେ ମଶାଙ୍କୁ ଦଳିବା ପରି ଶିଖମାନଙ୍କୁ ଦଳି ଦେଇଥିଲେ । ଆଉ ଆଜି ସରକାରଙ୍କ ଉପରେ ଖଲିସ୍ତାନୀ ଆତଙ୍କବାଦୀମାନେ ଚାପ ପ୍ରୟୋଗ କରୁଛନ୍ତି । ନିଜ ଇଚ୍ଛାନୁସାରେ ପରିଚାଳିତ କରିବାକୁ ଚାହୁଁଛନ୍ତି । ମାତ୍ର ଆମେ ଜଣେ ମହିଳାଙ୍କୁ ଭୁଲି ଯିବା ଉଚିତ ହେବ ନାହିଁ । ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଜଣକ ନିଜ ଜୋତାରେ ସେମାନଙ୍କୁ ଦଳି ଦେଇଥିଲେ । ସେ ଦେଶ ଲାଗି କେତେ କ୍ଷତି କରିଛନ୍ତି ତାହା ବଡ କଥା ନୁହେଁ ବରଂ ସେ ମଶାଙ୍କୁ ଦଳିବା ପରି ସେମାନଙ୍କୁ ଦଳି ଦେଇଥିଲେ । ବର୍ତ୍ତମାନ ବି ସେମାନେ ଏହି ଘଟଣାରେ ଶିହରି ଉଠୁଛନ୍ତି ।

ତେବେ କଙ୍ଗନାଙ୍କ ଏପରି ମନ୍ତବ୍ୟକୁ ନେଇ ପ୍ରତିବାଦ କରିଛି ଅକାଳୀ ଦଳ । ଦଳର ନେତା ମନଜିନ୍ଦର ସିଂ ସିର୍ସା କଙ୍ଗନାଙ୍କ ବିରୋଧରେ ଦିଲ୍ଲୀର ମନ୍ଦିର ମାର୍ଗ ଥାନାରେ ମାମଲା ରୁଜୁ କରିଛନ୍ତି । ଦିଲ୍ଲୀ ଶିଖ୍ ଗୁରୁଦ୍ବାର ପରିଚାଳନା କମିଟିର ସଭାପତି ଥିବା ମନଜିନ୍ଦର କହିଛନ୍ତି କଙ୍ଗନା ଚାଷୀ ଆନ୍ଦୋଳନକୁ ଉଦ୍ଦେଶ୍ୟମୂଳକ ଭାବେ ଖଲିସ୍ଥାନୀ ଆନ୍ଦୋଳନ ଭାବେ ଅଭିହିତ କରିଛନ୍ତି । ଇନ୍ଦିରା ଗାନ୍ଧିଙ୍କ ଏକ ଫଟୋ ସେୟାର କରି ସେ କହିଛନ୍ତି- ଖଲିସ୍ତାନୀ ଆନ୍ଦୋଳନ ବୃଦ୍ଧି ସହ ଇନ୍ଦିରାଙ୍କ କାହାଣୀ ପୂର୍ବ ତୁଳନାରେ ଅଧିକ ଯଥାର୍ଥ ରହିଛି । ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ବିଜେପି ସରକାରଙ୍କୁ ଖୋଲାଖୋଲି ସମର୍ଥନ କରି ଚର୍ଚ୍ଚାରେ ଥିବା କଙ୍ଗନାଙ୍କ ଏହି ମନ୍ତବ୍ୟ ପୁଣି ଚର୍ଚ୍ଚାର କାରଣ ହୋଇଛି ।

Leave A Reply

Your email address will not be published.