ମୁମ୍ବାଇ: ଆଜିକାଲି ଫିଲ୍ମ ଏମର୍ଜେନ୍ସି କୁ ନେଇ ବେଶ ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ । ଦୀର୍ଘଦିନ ଧରି ଏହି ଫିଲ୍ମର ସୁଟିଂ ଚାଲିଥିଲା । ଇତିମଧ୍ୟରେ କଙ୍ଗନା ଏହାର ସୁଟିଂ ଶେଷ କରିଛନ୍ତି । ସୁଟିଂ ଶେଷ ହେବା ପରେ କଙ୍ଗନା ସୋସିଆଲ ମିଡିଆରେ ଏକ ଲମ୍ବା ଚଉଡା ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ଏଇ କିଛି ଦିନ ହେବ ସେ ସାମ୍ନା କରି ଆସୁଥିବା ସଂଘର୍ଷ, ବେଦନା ସବୁକିଛି ସେୟାର କରିଛନ୍ତି । କଙ୍ଗନାଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
କଙ୍ଗନା କହିଛନ୍ତି, ଫିଲ୍ମ ଏମର୍ଜେନ୍ସି ପାଇଁ ତାଙ୍କୁ ନିଜ ସମ୍ପତ୍ତିକୁ ବନ୍ଧକ ରଖିବାକୁ ପଡିଛି । ଏପରିକି ଇନଷ୍ଟାରେ କଙ୍ଗନା ଏମରଜେନ୍ସି ଫିଲ୍ମର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । କଙ୍ଗନା ଫଟୋ ସେୟାର କରି ଲେଖିଛନ୍ତି, ଜଣେ ଅଭିନେତ୍ରୀ ଭାବେ ମୁଁ ଏମର୍ଜେନ୍ସି ଶେଷ କରିଛି । କିନ୍ତୁ ମୋ ଜୀବନର ସବୁଠାରୁ ଗୌରବର ମୁହୂର୍ତ୍ତର ଶେଷ ହୋଇଯାଇଛି । ହୁଏତ ଲାଗିବ ମୁଁ ଖୁବ ସହଜରେ ଏହାକୁ ସାରି ଦେଇଛି । କିନ୍ତୁ ସତ ଏହାଠାରୁ ବହୁତ ଦୂରରେ । ଏହି କାମ ପାଇଁ ମୋତେ ମୋର ସବୁ ସମ୍ପତ୍ତିକୁ ବନ୍ଧକ ରଖିବାକୁ ପଡ଼ିଛି । ପ୍ରଥମ ସେଡ୍ୟୁଲ ସମୟରେ ଡେଙ୍ଗୁ ସହ ଲଢିବାକୁ ପଡ଼ିଲା । ଏସବୁ ଥିଲା ମୋ ପାଇଁ ଗମ୍ଭୀର ପରୀକ୍ଷା । ଏମିତି ଅନେକ କିଛି ସମସ୍ୟା ଦେଇ ମୋତେ ଏଠାରେ ପହଞ୍ଚିବାକୁ ପଡିଛି ।
କଙ୍ଗନା ଲେଖିଛନ୍ତି, ସୋସିଆଲ ମିଡିଆରେ ମୋ ଭାବନାକୁ ମୁଁ ଖୋଲାଖୋଲି ସେୟାର କରିଥାଏ । କିନ୍ତୁ ଏ ସବୁ ମୁଁ ସେୟାର କରି ନ ଥିଲି । କାରଣ ମୁଁ ଚାହୁଁ ନ ଥିଲି ଲୋକେ ବିନା କାରଣରେ ଚିନ୍ତା କରନ୍ତୁ । ତା ଛଡା ଯେଉଁମାନେ ମୋର କଷ୍ଟ, ଦୁଃଖ ଓ ସମସ୍ୟା ଦେଖିବାକୁ ଚାହାନ୍ତି ଏବଂ ମୋତେ ଅସୁବିଧାରେ ପକାଇବାକୁ ଚାହାନ୍ତି ମୁଁ ସେମାନଙ୍କ ସହ ମୋ ଦୁଃଖର ସୁଖ ବାଣ୍ଟିବାକୁ ଚାହିଁ ନ ଥିଲି ।
ପୋଷ୍ଟର ଶେଷରେ ଭାଗରେ କଙ୍ଗନା ଲେଖିଛନ୍ତି, ଯାହା ଦିଆଯାଇଛି ତାହା ପାଇବାକୁ ଆପଣଙ୍କୁ କଠିନ ପରଶ୍ରମ କରିବାକୁ ପଡିବ । ଯଦି ଆପଣ ଯୋଗ୍ୟ ତେବେ ନିଜ ସୀମା ବାହାରେ ଆପଣଙ୍କୁ ପରଖାଯିବ । ଏଥିପାଇଁ ଭାଙ୍ଗି ପଡ଼ିବା ଉଚିତ ନୁହେଁ । ଯେ ପର୍ଯ୍ୟନ୍ତ ଆପଣ କରି ପାରିବେ ସେ ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖନ୍ତୁ । ଏହା ମୋର ପୁନର୍ଜନ୍ମ । ମୁଁ ଏବେ ଜୀବିତ ଥିବା ପରି ଅନୁଭବ କରୁଛି । ଏମିତି ଅନୁଭବ ମୋର ପୂର୍ବରୁ କେବେ ଆସି ନ ଥିଲା ।
ଶେଷରେ ସେ ତାଙ୍କ ଟିମକୁ ଧନ୍ୟବାଦ ଦେଇଛନ୍ତି । ଫ୍ୟାନ୍ସମାନଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ମୁଁ ଏବେ ସୁରକ୍ଷିତ ସ୍ଥାନରେ ଅଛି । ମୁଁ ଯଦି ସୁରକ୍ଷିତ ନ ଥାନ୍ତି ତେବେ ଏହା ସେୟାର କରି ନ ଥାନ୍ତି । ଏଥିସହିତ କଙ୍ଗନା ସମସ୍ତଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି । ସୋସିଆଲ ମିଡିଆରେ କଙ୍ଗନାଙ୍କର ଏହି ପୋଷ୍ଟ ଭାଇରାଲ ହୋଇଛି ।
ଏଠି କହିରଖିବୁ, ଫିଲ୍ମ ‘ଏମରଜେନ୍ସି’ରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ମହିମା ଚୌଧୁରୀ ପୁପୁଲ ଜୟକାର ଚରିତ୍ରରେ, ଅନୁପମ ଖେର୍ଙ୍କୁ ରାଜନେତା ଜୟପ୍ରକାଶ ନାରାୟଣଙ୍କ ଭୂମିକା ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ନଜର ଆସିବେ ଶ୍ରେୟସ ତଲପଡେ।
View this post on Instagram
Comments are closed.