Latest Odisha News

BREAKING NEWS

ସାତକୋଶିଆରେ କାହ୍ନା ମହାବଳ ବାଘର ମୃତ୍ୟୁ !

ଅନୁଗୁଳ : ବାଘୁଣୀ ‘ସୁନ୍ଦରୀ’କୁ ନେଇ ଚର୍ଚ୍ଚା ଥମିନଥିଲାବେଳେ ‘କାହ୍ନା ବ୍ୟାଘ୍ର ପ୍ରକଳ୍ପ’ରୁ ସାତକୋଶିଆ ଅଣାଯାଇଥିବା ମହାବଳ ବାଘର ମୃତ୍ୟୁ ଘଟିଛି । ସାତକୋଶିଆ କୋର୍ ଅଞ୍ଚଳରୁ ବାଘର ଦେହ ଠାବ କରାଯାଇଛି ।

ଉକ୍ତ ବାଘକୁ ଦୀର୍ଘ ୫ମାସ ହେବ ଟ୍ରାକିଂ କରାଯାଉଥିବାବେଳେ ହଠାତ୍ ବାଘର ଚଳନ ଠପ୍ ହୋଇଯାଇଥିଲା । ଅନେକ ସମୟ ଯାଏଁ ଟ୍ରାକିଂ ଉପକରଣରେ ବାଘ କେଉଁଆଡେ ଚଳପ୍ରଚଳ ନକରିବାରୁ ବନ ବିଭାଗର ସନ୍ଦେହ ବଢିଥିଲା । ପରବର୍ତ୍ତୀ ସମୟରେ ଘଞ୍ଚ ଜଙ୍ଗଲରେ ବାଘକୁ ଖୋଜାଖୋଜି କରୁଥିବାବେଳେ ବିଳମ୍ବିତ ରାତିରେ ମହାବଳର ମୃତଦେହକୁ ବନ ବିଭାଗ ଠାବ କରିଥିଲା । ମୃତଦେହକୁ ଜବତ କରି ବନବିଭାଗର ବରିଷ୍ଠ ଅଧିକାରୀମାନେ ଛାନଭିନ୍ ଆରମ୍ଭ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ହିନ୍ଦୋଳ ଓ ନରସିଂହପୁର ସୀମା ରାଇଗୁଡା ଜଙ୍ଗଲରୁ ଏହି ବାଘର ମୃତଦେହ ଠାବ କରାଯାଇଥିବା ବେଳେ ବାଘର ବେକରେ ଗଭୀର ଆଘାତ ଲାଗିଥିବା ନେଇ ଜଣାପଡିଥିଲା । ଫଳରେ ବାଘଟିକୁ କେହି ଜଙ୍ଗଲୀ ଜନ୍ତୁ ଆକ୍ରମଣ କରିଥିବା ଯୋଗୁଁ ତାର ମୃତ୍ୟୁ ଘଟିଥିବାନେଇ ସନ୍ଦେହ ପ୍ରକାଶ କରାଯାଉଛି ।

୩ ବର୍ଷୀୟ ମହାବଳ ବାଘ ମହାବୀରକୁ ଜୁନ୍ ୨୧ ତାରିଖରେ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଅଣାଯାଇଥିଲା । ପାଖାପାଖି ୨ ସପ୍ତାହ ଯାଏଁ ଏନକ୍ଲୋଜରରେ ରହିଲା ପରେ ଜୁଲାଇ ୭ ତାରିଖରେ ଏନକ୍ଲୋଜରରୁ ମୁକୁଳିଥିଲା ।

ଅନ୍ୟପକ୍ଷରେ ଏଯାବତ୍ ବାଘ ମୃତ୍ୟୁର ସଠିକ୍ କାରଣ ଜଣାପଡିନାହିଁ । ତେବେ ରାଜ୍ୟ ସରକାର ମହାବଳ ବାଘର ବଂଶ ବୃଦ୍ଧି ପାଇଁ ଯୋଜନା କରୁଥିବାବେଳେ ସାତକୋଶିଆରେ ମହାବଳ ବାଘର ମୃତ୍ୟୁ ଘଟଣା ପରେ ଏହି ଯୋଜନା କେଉଁ ଆଡକୁ ଗତି କରିବ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିବ ।

ଆହୁରି ମଧ୍ୟ ମହାବଳ ବଂଶ ବିସ୍ତାର ପାଇଁ ସାତକୋଶିଆରେ ୬ଟି ମହାବଳ ଛାଡିବାକୁ ଯୋଜନା କରାଯାଇଥିଲା । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ମହାବଳ ଓ ପରେ ବାଘୁଣୀ ‘ସୁନ୍ଦରୀ’କୁ ଅଣାଯାଇଥିଲା । ପରବର୍ତ୍ତୀ ସମୟରେ ଆଉ ୪ଟି ମହାବଳକୁ ଅଣାଯିବାର ଯୋଜନା ରହିଥିଲା ।

Leave A Reply

Your email address will not be published.