Latest Odisha News

ହକି ବିଶ୍ୱକପ ଟିକଟ ନପାଇ ଉତ୍ତ୍ୟକ୍ତ ଦର୍ଶକଙ୍କ କାଉଣ୍ଟରରେ ଭଙ୍ଗାରୁଜା

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆସନ୍ତା ୨୮ ତାରିଖରୁ ଆରମ୍ଭ ହେଉଥିବା ବିଶ୍ୱକପ ହକି ପ୍ରତିଯୋଗିତାର ଉଦଘାଟନୀ ମ୍ୟାଚର ଟିକଟ ନପାଇବାରୁ କେତେକ ଦର୍ଶକ ହତାଶ ହୋଇ ଭଙ୍ଗାରୁଜା କରିଥିଲେ । ଫଳରେ ଉତ୍ତ୍ୟକ୍ତ ଦର୍ଶକଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସକୁ ଲାଠି ଚାଳନା କରିବାକୁ ପଡ଼ିଥିଲା ।

ମିଳିଥିବା ସୂଚନାନୁଯାୟୀ, ଗୁରୁବାର ସକାଳେ କଳିଙ୍ଗ ଷ୍ଠାଡ଼ିୟମରେ ନଂ ଗେଟର ଟିକଟ କାଉଣ୍ଟରରେ ପୂର୍ବଦିନ ରାତିରୁ ଦର୍ଶକ ମାନେ ଟିକଟ ଲାଗି ଧାଡ଼ି କରିଥିଲେ । ପୂର୍ବରୁ ଟିକଟ ବିକ୍ରିନେଇ ଘୋଷଣା ହୋଇଥିଲେ ମଧ୍ୟ ୧୫ ତାରିଖ ଦିନ କାଉଣ୍ଟରରେ ଟିକଟ ନାହିଁ ବୋଲି ଘୋଷଣା ହୋଇଥିଲା । ପରେ ଷ୍ଟାଡ଼ିୟମ କର୍ତ୍ତୃପକ୍ଷ କାଉଣ୍ଟର ନିକଟ କାନ୍ଥରେ ଟିକଟ ନଥିବା ନେଇ ଏକ ନୋଟିସ ଲଗାଇ ଦେଇଥିଲେ । ଏଥିରେ ଧାଡ଼ିରେ ଛିଡ଼ା ହୋଇଥିବା ଦଶର୍କମାନେ ହତାଶ ହୋଇ ଉତ୍ତ୍ୟକ୍ତ ଭାବେ ଟିକଟ କାଉଣ୍ଟରରେ ଭଙ୍ଗାରୁଜା କରିଥିଲେ ।

ଅବଶ୍ୟ ପୂର୍ବରୁ କ୍ରୀଡ଼ା ସଚିବ ବିଶାଲ ଦେବ ସୂଚନା ଦେଇଥିଲେ, ନଭେମ୍ବର ୧୫ ତାରିଖରେ ଉଦଘାଟନୀ ମ୍ୟାଚର ଅଫଲାଇନ ଟିକେଟ ଉପଲବ୍ଧ ହେବ ।

ଏସମ୍ପର୍କରେ ଷ୍ଠାଡ଼ିୟମ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେମାନେ ଟିକଟ ବିକ୍ରି ସମ୍ପର୍କରେ ଜାଣନ୍ତି ନାହିଁ ବୋଲି କହିଛନ୍ତି ।

ଏଯାଏଁ ମିଳିଥିବା ରିପୋର୍ଟ ଅନୁସାରେ ଉତ୍ସାହୀ ଦର୍ଶକମାନେ ଉଦଘାଟନୀ ମ୍ୟାଚର ଟିକଟ ପାଇବାକୁ ଷ୍ଟାଡ଼ିୟମ ନିକଟରେ ଗହଳି କରିଛନ୍ତି । ସେମିଫାଇନାଲ ଓ ଫାଇନାଲ ଟିକଟ ସରିଯାଇଥିବାର ସୂଚନା ମିଳିଛି, ତେବେ ଅନ୍ୟ ମ୍ୟାଚଗୁଡ଼ିକର ଟିକଟ ବିକ୍ରି ଆରମ୍ଭ ହୋଇଛି ।

Leave A Reply

Your email address will not be published.