ହରିୟାଣା: ସୈତାନ ସାଜିଲା ବାପା । ଦେଢ଼ ବର୍ଷର ଝିଅକୁ କେନାଲକୁ ଫିଙ୍ଗି ଦେଇ ଚାଲିଗଲା ବାପା । ସେପଟେ ମା’କୁ କାହାକୁ କିଛି ନଜଣେଇବାକୁ ଧମକ ବି ଦେଲା । ହେଲେ କୁହନ୍ତି ନା ଯାହାକୁ ରଖିବେ ଅନନ୍ତ, ତାର କି କରିପାରେ ବଳବନ୍ତ । ଠିକ ସମୟରେ ଜଣେ କାଉଡ଼ିଆ କେନାଲ୍ ମଧ୍ୟକୁ ଡ଼େଇଁ ବଞ୍ଚାଇଦେଲେ ୧୮ମାସ ଶିଶୁର ଜୀବନ । ହରିୟାଣାର କୁରୁକ୍ଷେତ୍ରରେ ଦେଖିବାକୁ ମିଳିଛି ଏହି ଅଭାନୀୟ ଘଟଣା। ମାମଲା ପରେ ଅଭିଯୁକ୍ତ ବାପାକୁ ଗିରଫ କରିଛି ସ୍ଥାନୀୟ ପୋଲିସ ।
ଖବର ଅନୁଯାୟୀ, ହରିୟାଣାର କୁରୁକ୍ଷେତ୍ରର ପେହୱା ଅଞ୍ଚଳର ବାସିନ୍ଦା ବଲକର୍ ସିଂ ନିଜର ସାନ ଝିଅକୁ ସରସ୍ୱତୀ ନଦୀର ଶାଖା କେନାଲକୁ ଫିଙ୍ଗି ଦେଇଥିଲେ । ଶିଶୁକୁ କେନାଲକୁ ଫିଙ୍ଗି ବାଇକରେ ଫେରାର ହୋଇଯାଇଥିଲେ ବାପା । ମାତ୍ର ସେ ଫିଙ୍ଗିବା ବେଳେ ସେଠାରେ ଉପସ୍ଥିତ ଥିବା ଜଣେ କାଉଡ଼ିଆ ତୁରନ୍ତ ଶିଶୁକୁ ଉଦ୍ଧାର କରି ରାଓଗଡ଼ ଗାଁରେ ଥିବା ଏକ କବାଡ଼ିଆ କେନ୍ଦ୍ରକୁ ନେଇ ଯାଇଥିଲେ। କେନ୍ଦ୍ରର ପ୍ରଭାରୀ ପିଲାଟିକୁ ରଖିବା ପରେ ପୋଲିସକୁ ସୂଚନା ଦେଇଥିଲେ । କାଣ୍ତ ଘଟାଇବା ପରେ ସ୍ୱାମୀ ସ୍ତ୍ରୀକୁ ଘଟଣା ସମ୍ପର୍କରେ ଜଣାଇଥିଲା ଏବଂ ଯଦି ସେ ଘଟଣା ବିଷୟରେ କାହାକୁ କୁହନ୍ତି, ତେବେ ତାଙ୍କୁ ବି ଜୀବନରୁ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲା । ସ୍ତ୍ରୀ ଘରକୁ ଫେରିବା ପରେ ଏ ବିଷୟରେ ନିଜ ଶାଶୁ ଓ ସମ୍ପର୍କୀୟଙ୍କୁ ଜଣାଇଥିଲେ । ଘଟଣାର ମାମାଲା ରୁଜୁ ହେବା ପରେ ପୋଲିସ ବାପା ବଲକର ଓ ତା’ ଭାଇ କୁଲଦୀପଙ୍କୁ ଗିରଫ କରିଛି । ପୋଲିସ କହିବା ଅନୁସାରେ, ଅଭିଯୁକ୍ତର ୨ ଝିଅ ହୋଇଥିବାରୁ ସେ ଦୁଇ ଜଣଙ୍କୁ ମାରିଦେବାକୁ ଚାହୁଁଥିଲା।
Comments are closed.