Latest Odisha News

କାପଡ଼ାଗୁନ୍ଦା ଓ ଇଡ଼ତାଲକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା

ରାୟଗଡ଼ା: ରାୟଗଡ଼ା ଜିଲା ନିୟମଗିରିରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ହାତବୁଣା ଶାଲ୍ କାପଡ଼ାଗୁନ୍ଦା ଏବଂ ଗୁଣପୁର ଲାଞ୍ଜିଆ ସୌରାଙ୍କ ଚିତ୍ରକଳା ଇଡିତାଲକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା । ଓଡ଼ିଶାର ୭ଟି ସାମଗ୍ରୀ ମଧ୍ୟରୁ କାପଡ଼ାଗୁନ୍ଦା ଜିଆଇ ଟ୍ୟାଗ୍‌କୁ କେନ୍ଦ୍ର ସରକାର ପକ୍ଷରୁ ଏହି ମାନ୍ୟତା ମିଳିଛି । କାପଡ଼ାଗୁନ୍ଦା ଜିଆଇ ଟ୍ୟାଗ୍ ମାନ୍ୟତା ସାର୍ଟିଫିକେଟ ନମ୍ବର ୫୪୧ ଏବଂ ଇଡିତାଲ ସାର୍ଟିଫିକେଟ ନମ୍ବର ୫୪୭ ରହିଥିବା ସୂଚନା ମିଳିଛି । ଏହି ମାନ୍ୟତା ପାଇଁ ରାୟଗଡ଼ା ଜିଲାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ଜିଲାବାସୀ ଡଙ୍ଗରିଆ କନ୍ଧ ଓ ଲାଞ୍ଜିଆ ସୌରାଙ୍କ ଭୂୟସୀ ପ୍ରଶଂସା କରିଛନ୍ତି ।

ନିୟମଗିରିରେ ବସବାସ କରୁଥିବା ଏହି ଆଦିମ ଜନଜାତି ଡ଼ଙ୍ଗରିଆମାନେ ଏକ ସ୍ୱତନ୍ତ୍ର ଶାଲ୍ ପରିଧାନ କରିଥାନ୍ତି । ଏହାକୁ ସେମାନେ ନିଜେ ହାତରେ ବୁଣିବା ସହ ବିଭିନ୍ନ ରଙ୍ଗବେରଙ୍ଗ ଆକୃତି ଦେଇଥାନ୍ତି । ଉକ୍ତ ଶାଲ୍‌କୁ କାପଡ଼ାଗୁନ୍ଦା ବୋଲି କୁହାଯାଏ । ଏହି କାପଡ଼ାଗୁନ୍ଦାକୁ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ବେଶ୍ ପସନ୍ଦ କରିଥାନ୍ତି । ଯାହାଫଳରେ ଏମାନଙ୍କର କାରୁକାର୍ଯ୍ୟ ବର୍ତ୍ତମାନ ବିଶ୍ୱରେ ଏକ ପରିଚୟ ସୃଷ୍ଟି କରିପାରିଛି । ଏବେ ଏହି ଶାଲ୍ ବିଶ୍ୱରେ ଲୋକପ୍ରିୟତା ହାସଲ କରିଛି । ୨୦୨୧ ଅଗଷ୍ଟ ୩ରେ କାପଡ଼ାଗୁନ୍ଦା ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଆବେଦନ କରାଯାଇଥିଲା । ସେହିଭଳି ଗୁଣପୁର ଲାଞ୍ଜିଆ ସୌରାଙ୍କ ଇଡିତାଲ ଚିତ୍ରକଳାକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ୨୦୨୨ ଏପ୍ରିଲ ୧୩ ତାରିଖରେ ଆବେଦନ ହୋଇଥିଲା । ଇଡିତାଲ ମଧ୍ୟ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି ।

Leave A Reply

Your email address will not be published.