Latest Odisha News

୧୨ ଲକ୍ଷ ଲାଞ୍ଚ ନେଇ ଗିରଫ ହେଲେ କରଞ୍ଜିଆ ତହସିଲଦାର

ଭୁବନେଶ୍ୱର:ଲାଞ୍ଚ ନେବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ  । ତହସିଲଦାର ନାୟକ ଜଣେ ବ୍ୟକ୍ତିଙ୍କଠାରୁ ୨ଟି ଚେକରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରା ପଡିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, କରଞ୍ଜିଆ ତହସିଲ ଅଧୀନ ଚଢ଼େଇଭୋଳ ନିକଟ ୪୯ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ବେଳେ  ପ୍ରକାଶ ଚନ୍ଦ୍ର ପଟ୍ଟୱାରୀ ନାମକ ଜଣେ ବ୍ୟକ୍ତି ତାଙ୍କର ଜମି ହରାଇଥିଲେ । ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତାଙ୍କୁ କ୍ଷତିପୂରଣ ବାବଦରେ ୫୧ ଲକ୍ଷ ୭୫ ହଜାର ଟଙ୍କା ମିଳିଥିଲା । ଏହି   କ୍ଷତିପୂରଣ ରାଶି ମଞ୍ଜୁର ହେବା ପରେ କରଞ୍ଜିଆ ତହସିଲ ମାଧ୍ୟମରେ ତାଙ୍କ ପ୍ରଦାନ ପାଇଁ ନିର୍ଦ୍ଦେଶ ରହିଥିଲା।

ହେଲେ ଏହି ଟଙ୍କା ଦେବା ପାଇଁ ତହସିଲଦାର ତାଙ୍କୁ ଲାଞ୍ଚ ମାଗିଥିଲେ । ଏହି ଟଙ୍କା ପ୍ରଦାନ ପାଇଁ ତହସିଲଦାର  ପ୍ରକାଶ ପଟ୍ଟୱାରୀଙ୍କ  ୧୨ ଲକ୍ଷ ଟଙ୍କା  ମାଗିଥିଲେ। ଏପରିକି ଧରପଗଡ଼ରୁ ବର୍ତ୍ତିବା ପାଇଁ ବ୍ଲାଙ୍କ୍‌ ଚେକ୍‌ ମାଧ୍ୟମରେ ସେ ଏହି ଲାଞ୍ଚ ଦାବି କରିଥିଲେ। ଏଥିପାଇଁ ଶ୍ରୀ ପଟ୍ଟୱାରୀ ପ୍ରଥମେ ୨ ଲକ୍ଷ ଓ ପରେ ୧୦ ଲକ୍ଷ ଟଙ୍କାର ଦୁଇଟି ଚେକ୍‌ ଦେଇଥିଲେ।

କିନ୍ତୁ ଏ ନେଇ ସେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ  ଭିଜିଲାନ୍ସ  କେସ୍‌ ନଂ ୫/୨୩ରେ ଏକ ମାମଲା ରୁଜୁ କରିଥିଲେ ।  ସହ ବାରିପଦା ଭିଜିଲାନ୍ସ ସ୍ବତନ୍ତ୍ର ଅଦାଲତରେ ସର୍ଚ୍ଚ ୱାରେଣ୍ଟ ପାଇଁ ଆବେଦନ କରିଥିଲା। ଏହି ଆଧାରରେ ଆଜି ମୟୂରଭଞ୍ଜ, କଟକ ଓ ଭୁବନେଶ୍ୱର ଭିଜିଲାନ୍ସର ୪ଟି ଟିମ୍‌ କରଞ୍ଜିଆ ତହସିଲ କାର୍ଯ୍ୟାଳୟ, ତହସିଲଦାରଙ୍କ ସରକାରୀ ବାସଭବନ, ଭଦ୍ରକ ଜିଲ୍ଲା ହସ୍ପିଟାଲ ନିକଟସ୍ଥ ପୈତୃକ ଘର ଓ କରଞ୍ଜିଆ ଚଢ଼େଇଭୋଳଠାରେ ଥିବା ଏକ ଘରେ ଚଢ଼ଉ କରିଥିଲେ।  ଚଢାଉରେ ଜଣେ ଅତିରିକ୍ତ ଏସ୍‌ପି, ୭ ଜଣ ଡିଏସ୍‌ପି, ୩ ଜଣ ଇନ୍ସପେକ୍ଟରଙ୍କ ସମେତ ଭିଜିଲାନ୍ସର ଏକାଧିକ ଅଧିକାରୀ ଓ କର୍ମଚାରୀ  ସାମିଲ ହୋଇଥିଲେ। ସୋମବାର ସକାଳ ସାଢ଼େ ୭ଟାରୁ ରାତି ଯାଏ ଚଢ଼ଉ କରିଥିଲେ ।
ଏହି ଚେକ୍‌ ଦୁଇଟିକୁ ବ୍ୟାଙ୍କରେ ଜମା କରିବା ପାଇଁ ତହସିଲଦାର ଶ୍ରୀ ନାୟକ ନିଜ ସହଯୋଗୀ  ଅଥର୍‌ ଅଲ୍ଲୀଙ୍କ ଦ୍ୱାରା ବ୍ୟାଙ୍କରେ ଜମା କରିଥିଲେ। ଭିଜିଲାନ୍ସ ତହସିଲଦାର ଶ୍ରୀ ନାୟକଙ୍କୁ ଗିରଫ କରିଥିବାବେଳେ ଅଥର୍‌ ଫେରାର୍‌ ଅଛନ୍ତି ।

ଚାଲର୍ସ ନା‌ୟକଙ୍କ ନିଜ ଘର ଭଦ୍ରକ ଜିଲ୍ଲାରେ। ପୂର୍ବରୁ ସେ ଭଦ୍ରକ ଜିଲ୍ଲାର ଧାମନଗର ତହସିଲଦାର ଓ ବାଲେଶ୍ବର ଜିଲ୍ଲାର ରେମୁଣା ତହସିଲଦାର ଭାବେ କାର୍ଯ୍ୟ କରିଥିଲେ

Leave A Reply

Your email address will not be published.