Latest Odisha News

BREAKING NEWS

“ମୁଁ ବି ଷ୍ଟ୍ରଗଲ୍ କରିଛି” କରିନା କାପୁର ଖାନ୍ !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ନେପୋଟିଜିମ୍‌କୁ ନେଇ ବଲିଉଡରେ ନିଆଁ ଲାଗିଥିଲା । ଏ ନେଇ କିଛି ଷ୍ଟାର୍ ସଫେଇ ରଖିଥିଲାବେଳେ ଅଧିକାଂଶ ଚୁପ୍ ରହିବାକୁ ପସନ୍ଦ କରିଥିଲେ । ତେବେ ଶେଷରେ ମୁହଁ ଖୋଲିଛନ୍ତି ପଟୌଦୀ ଖାନଦାନର ବୋହୁ କରିନା କାପୁର ଖାନ । ଏକ ଇଣ୍ଟରଭ୍ୟୁରେ ବେଶ କିଛି ପ୍ରଭାବି ଯୁକ୍ତି ରଖିଛନ୍ତି ବଲିଉଡ ବେବୋ ।

ଫିଲ୍ମ ରିଫ୍ୟୁଜିରେ ଡେବ୍ୟୁ କରିଥିବା କରିନା ଚଳିତବର୍ଷ ବଲିଉଡରେ ୨୦ ବର୍ଷ ପୂରଣ କରିଛନ୍ତି । ଏହି ଅବସରରେ ବର୍ଖା ଦତ୍ତଙ୍କୁ ସେ ଏକ ସାକ୍ଷାତକାର ଦେଇଥିଲେ । କରିନାଙ୍କ ଅନୁଯାୟୀ ଆଜି ସେ ଯେଉଁ ପୋଜିସନ୍‌ରେ ଅଛନ୍ତି, ସେଥିପାଇଁ ସେ ନେପୋଟିଜିମ୍‌ର ସାହାରା ନେଇନାହାନ୍ତି । ବଲିଉଡ ଏକ ବିରାଟ ଇଣ୍ଡଷ୍ଟ୍ରୀ । ଏଠି କାହାକୁ ବି ଟାର୍ଗେଟ୍ କରିବା ବେଶ ସହଜ । ଏ କଥା ସତ ଯେ କାପୁର ଖାନଦାନରେ ଜନ୍ମିତ କରିନାଙ୍କ ପାଇଁ ଅର୍ଥାଭାବ କେବେ ବି ବାଧକ ସାଜିନଥିଲା । ହେଲେ ଫିଲ୍ମ ପାଇବା ପାଇଁ ସେ କେବେ ବି ନିଜ ଫ୍ୟାମିଲି ବ୍ୟାକଗ୍ରାଉଣ୍ଡର ସାହାରା ନେଇନଥିବା କହିଥିଲେ ।

କରିନା ଏପରି ବି କହିଥିଲେ ଯେ ଫ୍ୟାନମାନେ ହିଁ ଜଣକୁ ଷ୍ଟାର ବନାଇବା ସହ ତାଙ୍କୁ ଫ୍ଲପ୍ ସାବ୍ୟସ୍ତ କରିଥାନ୍ତି । ପ୍ରଥମେ ସେହିମାନେ ହିଁ ଜଣେ ଷ୍ଟାର କିଡକୁ ଷ୍ଟାର ବନାଇଥାନ୍ତି । ହେଲେ ଏବେ ଷ୍ଟାର୍ କିଡ୍‌ଙ୍କ ଫିଲ୍ମକୁ ବୟକଟ୍ କରିବା ଭଳି ମାନସିକତାକୁ ସେ ବଝିପାରିନାହାନ୍ତି ବୋଲି କହିଛନ୍ତି । ଯେଉଁଠି ଅକ୍ଷୟ, ଶାହରୁଖ ଓ ଆୟୁସ୍ମାନଙ୍କ ଭଳି ଆକ୍ଟରଙ୍କୁ ଦର୍ଶକ ପସନ୍ଦ କରିଥିଲେ, ସେଠି ଆଲିୟା ଓ ବରୁନ୍‌ଙ୍କ ଭଳି ଆକ୍ଟରଙ୍କୁ ବି ଲୋକେ ଗ୍ରହଣ କରିଥିଲେ । ହେଲେ କୌଣସି ଘଟଣା ପାଇଁ ଷ୍ଟାର୍ କିଡ୍‌ଙ୍କ ବିରୋଧୀ ସ୍ଲୋଗାନକୁ କରିନା ସହଜରେ ଗ୍ରହଣ କରିପାରିନାହାନ୍ତି ।

ତାଜା ସ୍ଥିତିରେ ତୈମୁର ଓ ସୈଫଙ୍କ ସହ ଘରେ ସମୟ ଅତିବାହିତ କରୁଛନ୍ତି କରିନା । ନିକଟରେ ପୂରା ପରିବାର ସହ ସେ ରକ୍ଷା ବନ୍ଧନ ବି ପାଳନ କରିଥିଲେ । ତେବେ ଫିଲ୍ମ ମାମଲାରେ ଆଗାମୀ ଦିନରେ କରିନାଙ୍କୁ ଆମିର ଖାନଙ୍କ ସହ ଫିଲ୍ମ ଲାଲ୍ ସିଂହ ଚଢାରେ ଦେଖିବାକୁ ମିଳିବ ।

Leave A Reply

Your email address will not be published.