ମୁମ୍ବାଇ: ଶାହାରୁଖ ଖାଁ, ମାଧୂରୀ ଦୀକ୍ଷିତ ଓ କରିଶ୍ମା କାପୁର ଅଭିନୀତ ଦିଲ ତୋ ପାଗଲ ହୈ ଫିଲ୍ମ ବକ୍ସ ଅଫିସରେ ବଡ ହିଟ ସାବ୍ୟସ୍ତ ହୋଇଥିଲା । ଏହି ଫିଲ୍ମର ସରୋଜ ଖାଁଙ୍କ କୋରିଓଗ୍ରାଫି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଫିଲ୍ମ ଶୁଟିଂ ଅବସରରେ ଏ ଭଳି ଏକ ଘଟଣା ଘଟିଲା ଯାହା ପରେ କରିଶ୍ମା ଓ ସରୋଜ ଏକତ୍ର କାମ କରି ନ ଥିଲେ । ନିକଟରେ ସରୋଜଙ୍କ ଆସିଷ୍ଟାଂଟ କୋରିଓଗ୍ରାଫର ଏହାର କାରଣ ଉପରୁ ପରଦା ଉଠାଇଛନ୍ତି । ସେ କହିଛନ୍ତି ଶୁଟିଂରେ ଗୋଟିଏ ଗଛ ଉପରେ କିଛି ପୁଅ, ଝିଅ ଲୁଚି କରି ବସି ରହିଥିଲେ । କରିଶ୍ମା ଦୌଡିକି ସେହି ଗଛ ନିକଟକୁ ଆସିବାକୁ ଥିଲା । କରିଶ୍ମା ପଂହଚିବା ସମୟରେହଠାତ ଗଛର ଏକ ଡାଳ ଭାଙ୍ଗି ଯାଇଥିଲା ।
କରିଶ୍ମାଙ୍କ ଉପରେ ଜଣେ ଡ୍ୟାନ୍ସର ପଡି ଯାଇଥିଲେ । ସେ ଏ ନେଇ ରାଗି ଯାଇଥିଲେ । ତାଙ୍କୁ ଆଘାତ ଲାଗିଥିଲା ଏବଂ ସେ କ୍ରୋଧକୁ ନିୟନ୍ତ୍ରଣ କରିପାରି ନ ଥିଲେ । ସରୋଜଙ୍କୁ ଏହା ଭଲ ଲାଗି ନ ଥିଲା । ସେ ସର୍ବଦା ତାଙ୍କ ଟିମକୁ ନେଇ ପ୍ରୋଟେକ୍ଟିଭ ରହିଥାନ୍ତି । କରିଶ୍ମାଙ୍କୁ ସରୋଜ ଏହା ଏକ ଦୁର୍ଘଟଣା ବୋଲି ଯେତେ ବୁଝାଇଥିଲେ ମଧ୍ୟ ସେ ଶୁଣି ନ ଥିଲେ । ଶେଷରେ ସେ ସରୋଜଙ୍କୁ ମଧ୍ୟ ଗାଳି ମନ୍ଦ କରିଥିଲେ । ଏହା ପରେ ସରୋଜ ନିଷ୍ପତି ନେଇଥିଲେ ଆଉ କେବେ ହେଲେ କରିଶ୍ମାଙ୍କ ସହ କାମ କରିବେ ନାହିଁ । ଏକ ସାମାନ୍ୟ ଘଟଣାରୁ ଦୁଇଜଣ ଏକତ୍ର କାମ ନ କରିବା ଶେଷରେ ପ୍ରଶଂସକଙ୍କ କ୍ଷତି ଘଟାଇଥିଲା ।