Latest Odisha News

ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ୟେଦିୟୁରାପ୍ପା

ବେଙ୍ଗାଲୁରୁ: କିଛିଦିନ ଧରି କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ସଙ୍କଟର ପରିସମାପ୍ତି ହେବାକୁ ଯାଉଛି, ବରିଷ୍ଠ ବିଜେପି ନେତା ବି ଏସ ୟେଦିୟୁରାପ୍ପା ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି । ଗଣମାଧ୍ୟମର ସୂଚନା ଅନୁଯାୟୀ ଆଜି ସକାଳେ ୟେଦିୟୁରାପ୍ପା ରାଜଭବନ ଯାଇ ରାଜ୍ୟପାଳ ବାଜୁ ଭାଇ ବାଲ୍ଲାଙ୍କୁ ଭେଟି ସରକାର ଗଢିବାକୁ ବିଧିବଦ୍ଧ ଭାବେ ଦାବି କରିଥିଲେ । ତେବେ ଏସମ୍ପର୍କରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କୌଣସି ଘୋଷଣା ହୋଇନଥିଲେ ମଧ୍ୟ ଦଳୀୟ ନେତା ୟେଦିୟୁରାପ୍ପା ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଘୋଷଣା କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠ ଦଳ ଭାବେ ସାମ୍ନାକୁ ଆସିଥିଲେ ମଧ୍ୟ ସରକାର ଗଠନ କରିବା ଲାଗି ଆବଶ୍ୟକୀୟ ନମ୍ବର ହାସଲ କରିପାରିନଥିଲା । ଏହାପରେ କଂଗ୍ରେସ-ଜେଡ଼ିଏସ ମେଣ୍ଟ ପକ୍ଷରୁ ଏଚ ଡ଼ି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

କିଛିସପ୍ତାହ ପୂର୍ବରୁ ଏହି ମେଣ୍ଟର ୧୫ ଜଣ ଅସନ୍ତୁଷ୍ଟ ବିଧାୟକ ଇସ୍ତଫା ପ୍ରଦାନ କରିବାପରେ ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଥିଲା କର୍ଣ୍ଣାଟକ ବିଧାନସଭା । କୁମାରସ୍ୱାମୀ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହୋଇ ସଂଖ୍ୟାଗରିଷ୍ଠତା ହରାଇଥିଲେ । ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ପରେ ରାଜ୍ୟରେ କିଛିକାଳ ରାଷ୍ଟ୍ରପତି ଶାସନ ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା ।

ତେବେ ଶୁକ୍ରବାର ଦିନ ବିଜେପି ରାଜ୍ୟ ମୁଖିଆ ୟେଦିୟୁରାପ୍ପା ରାଜ୍ୟପାଳଙ୍କୁ ଭେଟିବା ସମ୍ପର୍କୀତ ଏକ ବିଜ୍ଞପ୍ତି ରାଜଭବନ କାର୍ଯ୍ୟାଳୟରେ ପ୍ରକାଶିତ ହୋଇଛି । ଏହି ବିଜ୍ଞପ୍ତିରେ ଶୁକ୍ରବାର ସନ୍ଧ୍ୟାରେ ଶପଥଗ୍ରହଣ ଉତ୍ସବ ହେବା ସହିତ ଜୁଲାଇ ୩୧ ତାରିଖ ଦିନ ନୂଆ ସରକାରଙ୍କୁ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ ପଡ଼ିବ ବୋଲି ପ୍ରକାଶିତ ହୋଇଛି ।

Leave A Reply

Your email address will not be published.