Latest Odisha News

BREAKING NEWS

କର୍ଣ୍ଣାଟକ କାଣ୍ଡରେ ନୂଆ ମୋଡ: ମାତ୍ର ୧୦୦ ଟଙ୍କା ପାଇଁ ଗଣଦୁଷ୍କର୍ମ!

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଓଡ଼ିଆ ଯୁବକ ବିଭାସଙ୍କୁ ହତ୍ୟା ଘଟଣାରେ ଆସିଛି ନୂଆ ମୋଡ । କୁହାଯାଉଛି ଯେ, ୧୦୦ ଟଙ୍କା ପାଇଁ ଘଟିଛି ଏଭଳି ଲୋମହର୍ଷଣକାରୀ କାଣ୍ଡ । ସେପଟେ କର୍ଣ୍ଣାଟକ ଗଣଦୁଷ୍କର୍ମ କାଣ୍ଡର ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଏବେ ମଧ୍ୟ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି । ଉକ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।

ପୋଲିସର ସୂଚନା ଅନୁସାରେ, ଦୁଷ୍କର୍ମର ଶିକାର ହୋଇଥିବା ମହିଳା ଜଣଙ୍କ ଇସ୍ରାଏଲ ପର୍ଯ୍ୟଟକ ବୋଲି ଜଣାପଡିଛି । ଗଣଦୁଷ୍କର୍ମର ଶିକାର ହୋଇଥିବା ଇସ୍ରାଏଲୀ ମହିଳାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଗତ ଗୁରୁବାର ରାତିରେ ଜଣେ ଇସ୍ରାଏଲୀ ମହିଳା ପର୍ଯ୍ୟଟକ ଓ ଅନ୍ୟ ୩ ପୁରୁଷ ପର୍ଯ୍ୟଟକ, ସେମାନଙ୍କ ହୋମ୍ ଷ୍ଟେ ମାଲିକାଣୀଙ୍କ ସହ ମିଶି କର୍ଣ୍ଣାଟକ କୋପାଲ ଜିଲ୍ଲାର ତୁଙ୍ଗଭଦ୍ରା ବାମ କେନାଲ କୂଳରେ ଭ୍ରମଣ କରୁଥିଲେ । ୫ ଜଣ ଯାକ ସନାପୁର ପାଖ କେନାଲ କୂଳରେ ଚାଲୁଥିବା ବେଳେ ହଠାକ୍ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ପର୍ଯ୍ୟଟକମାନଙ୍କୁ ପଚାରିଥିଲେ କେଉଁଠି ପେଟ୍ରୋଲ ମିଳିବ । ଏଥିସହ ପ୍ରତି ପର୍ଯ୍ୟଟକଙ୍କଠାରୁ ୧୦୦ ଟଙ୍କା ଲେଖାଏଁ ମାଗିଥିଲେ । ପର୍ଯ୍ୟଟକମାନେ ଟଙ୍କା ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ୩ ଜଣ ପୁରୁଷ ପର୍ଯ୍ୟଟକଙ୍କୁ କେନାଲ ଭିତରକୁ ଠେଲି ଦେଇ, ଦୁଇ ମହିଳା ପର୍ଯ୍ୟଟକଙ୍କ ସହ ଜବରଦସ୍ତ ଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତମାନେ ।

ତେବେ କେନାଲରେ ପଡିଥିବା ୩ ପର୍ଯ୍ୟଟକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡିଥିଲା । ମୃତ ଯୁବକ ଜଣଙ୍କ ହେଉଛନ୍ତି ଓଡିଶା କନ୍ଧମାଳ ଦାରିଙ୍ଗିବାଡି ଅଞ୍ଚଳର ବିଭାସ ନାୟକ। କନ୍ଧମାଳର ମଡରେଟର ବିଜୟ ନାୟକଙ୍କ ପୁଅ ବିଭାସ, ଦିଲ୍ଲୀର ଷ୍ଟିଫେନ ହସ୍ପିଟାଲରେ ଚାକିରି କରୁଥିଲେ। ସେ ତାଙ୍କ ତିନିଜଣ ସାଙ୍ଗଙ୍କ ସହ କର୍ଣ୍ଣାଟକ ବୁଲିବା ପାଇଁ ଯାଇଥିଲେ। କେନାଲ ଭିତରେ ପଡ଼ିଥିବା ଅନ୍ୟ ୨ଜଣଙ୍କ ମଧ୍ୟରୁ ଜଣେ ଆମେରିକୀୟ ନାଗରିକ ଡାନିଏଲ ଏବଂ ଅନ୍ୟ ଜଣେ ମହାରାଷ୍ଟ୍ରର ପଙ୍କଜ । ସେମାନେ ଦୁହେଁ କୌଣସି ମତେ ପହଁରି ପହଁରି କୂଳକୁ ଚାଲି ଆସିଥିଲେ । କିନ୍ତୁ ବିଭାସ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି କରିବା ପରେ ଶନିବାର ସକାଳୁ ବିଭାସଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ତେବେ କର୍ଣ୍ଣାଟକ କାଣ୍ଡକୁ ନେଇ ବିଶ୍ବ ଦରବାରରେ ଲଜ୍ଜିତ ହୋଇଛି ଭାରତ । ଜଣେ ଇସ୍ରାଏଲ ଯୁବତୀଙ୍କୁ ଗଣଦୁଷ୍କର୍ମ ସହ ଆମେରିକାର ଯୁବକଙ୍କୁ ଆକ୍ରମଣ ସମସ୍ତଙ୍କୁ ସ୍ତବ୍ଧ କରିଛି ।

Comments are closed.