ବେଙ୍ଗାଲୁରୁ: ନୂତନ ପ୍ରକାରର କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଭାରତ ସମ୍ପୂର୍ଣ୍ଣ ସତର୍କ ସୂଚନା ଜାରି କରିଛି। କର୍ଣ୍ଣାଟକ ସରକାର ମଧ୍ୟ ଏ ବିଷୟରେ ସଚେତନ ହୋଇଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ରାଜ୍ୟରେ ରାତ୍ରୀ କର୍ଫ୍ୟୁ ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ, ରାତି ୧୦ ଟାରୁ ସକାଳ ୬ ଟା ମଧ୍ୟରେ କର୍ଫ୍ୟୁ ଲାଗୁ କରାଯାଇଛି। ଏହା ଆଜି ରାତିରୁ ଆରମ୍ଭ ହେବ ଯାହା ଜାନୁୟାରୀ ୨ ପର୍ଯ୍ୟନ୍ତ ଜାରି ରହିବ। ଏହାପୂର୍ବରୁ ବ୍ରିଟେନରେ ଏକ ନୂଆ କରୋନା ଷ୍ଟ୍ରେନ୍କୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ରାତ୍ରି କର୍ଫ୍ୟୁ ଲାଗୁ କରିଛନ୍ତି।
ତେବେ ମଙ୍ଗଳବାର ଦିନ ୟେଦୁରୁପ୍ପା କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ରାତ୍ରି କର୍ଫ୍ୟୁ ଲାଗୁ କରିବାର କୌଣସି ଆବଶ୍ୟକତା ନଥିଲା। ଚେନ୍ନାଇରେ ବ୍ରିଟେନରୁ ଆସିଥିବା ଜଣେ ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଆମକୁ ଅତିରିକ୍ତ ସତର୍କ ହେବା ଆବଶ୍ୟକ। ବାହାରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ବିମାନବନ୍ଦରରେ ପରୀକ୍ଷା କରାଯିବ। କର୍ଣ୍ଣାଟକରେ ଏହି ଭୂତାଣୁ ବିସ୍ତାର ନହେବା ପାଇଁ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରାଯାଇଛି ଏବଂ ସରକାରଙ୍କ ଦ୍ବାରା ତଦାରଖ କରାଯାଉଛି।