Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ରୋଡ ସୋ ବେଳେ ଧାଇଁ ଆସିଲେ ଯୁବକ

ନୂଆଦିଲ୍ଲୀ : ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଛି । କର୍ଣ୍ଣାଟକର ଦେବନଗରରେ ରୋଡ ସୋ ବେଳେ ତବାରିକେଡ ଡେଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଡ଼କୁ ଧାଇଁ ଆସିଥଲେ ଜଣେ ଯୁବକ । ତେବେ କୌଣସି କ୍ଷତି କରିବା ଆଗରୁ ଯୁବକକୁ କାବୁ କରିନେଇଥିଲା ପୋଲିସ । ୩ ମାସ ମଧ୍ୟରେ ଏପରି ଘଟଣା ୨ ଥର ଘଟିଥିବା ବେଳେ ଯୁବକକୁ ସୁରକ୍ଷା ଏଜେନ୍ସି ପଚରାଉଚରା କରୁଛି  ।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ କର୍ଣ୍ଣାଟକ ଗସ୍ତରେ ଯାଇ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ପରେ ଏକ ରୋଡ୍ ସୋ’ର ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ ପାଇଁ ତିନିରୁ ଚାରି ସ୍ତରର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ବ୍ୟାରିକେଡ୍ ମଧ୍ୟ ରଖାଯାଇଥିଲା । ହେଲେ ବ୍ୟାରିକେଡ୍ ଡେଇଁ ରାସ୍ତାକୁ ନଆସିବାକୁ ଲୋକଙ୍କୁ ପୂର୍ବରୁ କୁହାଯିବା ସତ୍ତ୍ୱେ ଅଜଣା ଯୁବକ ଜଣକ ପ୍ରଧାନମନ୍ତ୍ରୀଙ୍କ ଆଡ଼କୁ ହଠାତ୍‌ ଧାଇଁ ଆସିଥିଲା । ସୁରକ୍ଷାକର୍ମୀମାନେ ମଧ୍ୟ ସଙ୍ଗେ ସଙ୍ଗେ ଯୁବକଙ୍କୁ କାବୁ କରିଥିଲେ ।

ତେବେ ଏହାପୂର୍ବରୁ ଜାନୁଆରୀ ମାସରେ କର୍ଣ୍ଣାଟକର ହୁବଲିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାକୁ ନେଇ ଏକ ମାମଲା ସାମ୍ନାକୁ ଆସିଥିଲା। ପିଏମ ମୋଦୀ ଯୁବ ମହୋତ୍ସବର ଉଦଘାଟନ କରିବାକୁ ଆସିଥିଲେ । ପରେ ସେ ଏକ ରୋଡ୍ ସୋ କରୁଥିଲେ ସେହି ସମୟରେ ଜଣେ ଯୁବକ ତାଙ୍କ କାର ସମ୍ମୁଖକୁ ଦୌଡ଼ି ଆସି ଆସି ତାଙ୍କୁ ଫୁଲ ହାର ପିନ୍ଧାଇବାକୁ ଚେଷ୍ଟା କରିଥିଲା । ତେବେ ସୁରକ୍ଷା କର୍ମୀ ତୁରନ୍ତ ଯୁବକଙ୍କୁ ଅଟକାଇଥିଲେ । ଏହି ଘଟଣାର ୩ ମାସ ନ ପୁରୁଣୁ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଦେଖାଯିବା ଏକ ବଡ଼ ତ୍ରୁଟି ବୋଲି କୁହାଯାଉଛି । ସେପଟେ ସୁରକ୍ଷାରେ ଏହି ତ୍ରୁଟିକୁ ଅସ୍ବୀକାର କରିଛନ୍ତି  କର୍ଣ୍ଣାଟକ ADGP  ।


ଉଲ୍ଲେଖଯୋଗ୍ୟ, ପୂର୍ବରୁ ପଞ୍ଜାବର ଫେରୋଜପୁରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାକୁ ନେଇ ଏକ ମାମଲା ସାମ୍ନାକୁ ଆସିଥିଲା। ସ୍ଥିତି ଏତେ ଖରାପ ହୋଇଥିଲା ଯେ ମୋଦୀଙ୍କୁ ତାଙ୍କ ରାଲି ବାତିଲ କରିବାକୁ ପଡିଥିଲା । ସେତେବେଳେ କିଛି ଲୋକ ଭାରତ ଜନତା ପାର୍ଟିର ପତାକା ଧରି ମୋଦୀ ଜିନ୍ଦବାଦର ସ୍ଲୋଗାନ ଦେଇ ପ୍ରଧାନମନ୍ତ୍ରୀଙ୍କ କାର ନିକଟରେ ପହଞ୍ଚିଥିଲେ । ସେତେବେଳେ ପଞ୍ଜାବ ପୋଲିସର ସୁରକ୍ଷା କାହିଁକି ନଥିଲା ? ପରେ ପଞ୍ଜାବ ସିଏମଙ୍କୁ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବାକୁ ପଡିଥିଲା।

Leave A Reply

Your email address will not be published.