Latest Odisha News

BREAKING NEWS

ମୁଣ୍ଡରେ କାର୍ଟୁନ୍ ଗଳାଇ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ, ଜାଣନ୍ତୁ କାହିଁକି ଏମିତି ହେଲା !

ବେଙ୍ଗାଲୁରୁ: କଲେଜରେ ଚାଲିଛି ପରୀକ୍ଷା, କିନ୍ତୁ ସବୁ ଛାତ୍ରଛାତ୍ରୀଙ୍କ ମୁଣ୍ଡରେ ଗଳାଯାଇଥିଲା ଗୋଟିଏ ଲେଖାଏଁ ବଡ଼ କାର୍ଟୁନ୍ । ଶ୍ରେଣୀଗୃହରେ ପିଲାମାନଙ୍କ ମୁଣ୍ଡରେ ବଡ଼ କାର୍ଟୁନ ରହିଥିଲେ ମଧ୍ୟ ଧିରସ୍ଥିର ଭାବେ ପିଲାଏ ପରୀକ୍ଷା ଦେଉଥାଆନ୍ତି । ପରୀକ୍ଷାକେନ୍ଦ୍ରରେ ପ୍ରବଳ କପି ହେଉଥିବା ଯୋଗୁଁ କଲେଜ କର୍ତ୍ତୃପକ୍ଷ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ପରେ ଜଣାପଡ଼ିଥିଲା ।

ଏହି ଘଟଣାଟି ବିଷୟରେ ଜଣା ପଡ଼ିଥିଲା ଯେତେବେଳେ ମୁଣ୍ଡରେ କାର୍ଟୁନ ପିନ୍ଧା ଛାତ୍ରଛାତ୍ରୀଙ୍କ ଫଟୋ ଫେସବୁକ୍ ଏବଂ ୱାଟ୍ସଆପ୍ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଲା ।

ସବୁଠାରୁ ମଜାର କଥା ହେଲା, ଅକ୍ଟୋବର ୧୬ ତାରିଖ ଦିନ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରମାନେ ମୁଣ୍ଡରେ ଗୋଟିଏ ଲେଖାଏଁ କାର୍ଟୁନ୍ ଗଳାଇ ଆସିଛନ୍ତି । ମୁଣ୍ଡରେ କାର୍ଟୁନ୍ ଗଳାଇଥିବା ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଦେଖି ସେଠାରେ ଉପସ୍ଥିତ ରହିଥିବା ଦେଖଣାହାରି ତାଜୁବ୍ ହୋଇଯାଇଥିଲେ । ଯେକେହି ଏହା ଦେଖୁଥିଲେ ମଧ୍ୟ ଅନୁମାନ କରିପାରୁନଥିଲେ ସେଠାରେ ଘଟଣା କ’ଣ ଘଟିଛି!

ତେବେ ଗଣମାଧ୍ୟମ ରିପୋର୍ଟରୁ ଯାହା ଜଣାପଡ଼ିଛି, କପି ନକରି ପାରିବା ଲାଗି ଛାତ୍ରଛାତ୍ରୀଙ୍କଠାରେ ଏପରି ଗବେଷଣା କରାଯାଇଛି । ପିଲାମାନଙ୍କ ମୁଣ୍ଡରେ ବିରାଟ କାର୍ଟୁନ ଗଳାଇଦେଲେ ପାଖ ପିଲାର କୌଣସି ଲେଖା କିମ୍ବା ଉତ୍ତର ପରିକ୍ଷାର୍ଥୀ ଦେଖିପାରିବେ ନାହିଁ ।

କର୍ଣ୍ଣାଟକ ପ୍ରି-ୟୁନିଭର୍ସିଟି ଡ଼େପୁଟି ଡ଼ାଇରେକ୍ଟର୍ ଏସସି ପିରଜାଦେ ଏକ ଭାଇରାଲ୍ ୱାଟ୍ସଆପ୍ ମେସେଜରୁ ଏହା ଦେଖି ତୁରନ୍ତ କଲେଜ ମଧ୍ୟକୁ ଧସେଇ ପଶିଥିଲେ । ଏହି ପେଟି ଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ମୁଣ୍ଡରୁ ତୁରନ୍ତ କାଢିନେବାକୁ ଆଦେଶ ଦେଇଥିଲେ ଡ଼େପୁଟି ଡ଼ାଇରେକ୍ଟର୍ ପିରଜାଦେ । ଏପରିକି ସେ କଲେଜ କର୍ତ୍ତୃପକ୍ଷଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଛନ୍ତିି ।

“ମୁଁ ଯେତେବେଳେ କଲେଜ ଭିତରକୁ ପଶିଗଲି, ଅଧିକାଂଶ ଛାତ୍ରଛାତ୍ରୀ ମୁଣ୍ଡରେ କାର୍ଟୁନ ପିନ୍ଧିଥିବାର ଦେଖିଥିଲି । କଲେଜ ପ୍ରଶାସକଙ୍କୁ ଏପରି କାହିଁକି ହୋଇଛି ବୋଲି ପ୍ରଶ୍ନ କରିଥିଲି । ମାତ୍ର, ଆଶ୍ଚର୍ଯ୍ୟର କଥା କଲେଜର ଡ଼େପୁଟି ଡ଼ାଇରେକ୍ଟର ଏମବି ସତୀଶ୍ କହିଥିଲେ, କପିରୁ ବର୍ତ୍ତିବା ଲାଗି ଆମେ ଏପରି ଏକ ପରୀକ୍ଷାମୂଳକ ଭାବେ ପିଲାମାନଙ୍କୁ କାର୍ଟୁନ ପିନ୍ଧାଇଛୁ । ଏହା ପୂର୍ବରୁ ବିହାରର ଏକ କଲେଜରେ ହୋଇଛି, ଆମେ ସେଠୁ ଦେଖି ଏହା କରିଛୁ । ପିଲାମାନଙ୍କଠାରୁ ପୂର୍ବରୁ ସେମାନଙ୍କର ସମ୍ମତି ଗ୍ରହଣ କରିବା ପରେ ଆମେ ଏହି ପଦକ୍ଷେପ ନେଇଛୁ ବୋଲି ସତୀଶ୍ କହିଥିଲେ ।”

କର୍ଣ୍ଣାଟକ ଡ଼େପୁଟି ଡ଼ାଇରେକ୍ଟର୍ ପିରଜାଦେ କଲେଜ କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀମାନଙ୍କ୍ୁ ଏପରି ନ’କରିବାକୁ ପରାମର୍ଶ ଦେଇ କହିଛନ୍ତି, ଏହାସବୁ ଅମାନବୀକତା, ଏପରି କୋମଳମତୀ ଛାତ୍ରଛାତ୍ରୀଙ୍କଠାରେ କରିବା ଉଚିତ୍ ନୁହେଁ ।

Leave A Reply

Your email address will not be published.