Latest Odisha News

BREAKING NEWS

ବିଜେପୁର ଉପ-ନିର୍ବାଚନ: ଭୋଟଦାନ କେନ୍ଦ୍ରକୁ ଗଲେ ପୋଲିଂ ପାର୍ଟି

ଭୁବନେଶ୍ୱର: ଆଉ ମାତ୍ର ୨ ଦିନ ପରେ ହେବାକୁ ଥିବା ବିଜେପୁର ଉପ ନିର୍ବାଚନ ଲାଗି ପୋଲିଂ କର୍ମଚାରୀମାନେ ନିଜ ନିଜର ବୁଥ୍ ଅଭିମୁଖେ ଶନିବାର ଦିନ ଗସ୍ତ କରିଛନ୍ତି । ସେମାନେ ସନ୍ଧ୍ୟା ସୁଦ୍ଧା ନିଜ ନିଜ ବୁଥରେ ପହଞ୍ଚିଯିବେ ବୋଲି ଆଶା କରାଯାଉଛି ।

ପ୍ରାପ୍ତ ସୂଚନାନୁଯାୟୀ ପୋଲିଂ ଟିମ୍ ଆରଏମସି ଅଫିସରେ ପହଞ୍ଚି ଇଭିଏମ୍, ଭିଭିପିଏଟି ଓ ସୋଲାର ଲାଇଟ୍ ଗୁଡିକୁ ଗ୍ରହଣ କରିଛନ୍ତି । ଅପରପକ୍ଷରେ ଏହି ପୋଲିଂ ସାମଗ୍ରୀ ବଣ୍ଟନ ପ୍ରକ୍ରିୟାକୁ ନିଜେ ତଦାରଖ କରୁଛନ୍ତି ପଦ୍ମପୁର ସବ୍ କଲେକ୍ଟର ତନ୍ମୟ କୁମାର ଦରୱାନ୍ ।

ସ୍ୱାଧୀନ ତଥା ନିରପେକ୍ଷ ମତଦାନ ଲାଗି ପୋଲିଂ ବୁଥଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆରଏମସି କାର୍ଯ୍ୟାଳୟରୁ ମତଦାନ କେନ୍ଦ୍ର ଯାଏଁ ଏହି ପୋଲିଂ ଟିମକୁ ପୋଲିସର ସୁରକ୍ଷା ବଳୟରେ ନିଆଯିବ ।

ଆହୁରି ମଧ୍ୟ ସମୁଦାୟ ୨୮୫ ବୁଥରେ ପ୍ରାୟ ୧୩୫ଟି ବୁଥକୁ ସମ୍ବେଦନଶୀଳ ଭାବେ ଗ୍ରହଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବରଗଡ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ । ୨୮ଟି ବୁଥରେ ୱେବକାଷ୍ଟିଂ କରାଯିବ, ୧୬ଟିରେ ଭିଡିଓଗ୍ରାଫି ଓ୧୪ଟିରେ ସିସିଟିଭି ଖଞ୍ଜାଯିବ । ଏହାବ୍ୟତିତ ୭ଟି ବୁଥକୁ ମାଇକ୍ରୋ ଅବଜରଭରରେ ରଖାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଏପରିକି ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ପ୍ରତି ବୁଥରେ ହ୍ୱିଲ୍ ଚେୟାରର ବ୍ୟବସ୍ଥା କରାଯିବ । ଯେଉଁମାନଙ୍କୁ ୫୭୦ ଜଣ ସ୍ଥାନୀୟ ସ୍ୱେୟଂସେବକ ମାନେ ସହାୟତା ପ୍ରଦାନ କରିବେ ।

ଏହି ଉପ ନିର୍ବାଚନରେ ୧,୨୦,୨୩୫ ଜଣ ପୁରୁଷ, ୧,୧୨,୧୧୪ ଜଣ ମହିଳା, ୨୭୫୦ ଦିବ୍ୟାଙ୍ଗ ଏବଂ ୧୦ ଜଣ କିନ୍ନରଙ୍କ ସମେତ ମୋଟ୍ ୨,୩୨,୨୬୪ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ ।

Leave A Reply

Your email address will not be published.