Latest Odisha News

BREAKING NEWS

କାର୍ତ୍ତିକ ମାସ ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ

ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ଚଳିତବର୍ଷ କାର୍ତ୍ତିକ ବ୍ରତ ଓ ବାଳଧୂପ ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ଭୋର ୪ଟା ରୁ ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ । ଭକ୍ତ ଓ ହବିଷ୍ୟାଳୀଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି ଅରବିନ୍ଦ ପାଢୀ ।

କାର୍ତ୍ତିକ ମାସପରେ ନାଟମଣ୍ଡପରେ ଧାଡି ଦର୍ଶନ କରାଯିବ । ଖୁବଶୀଘ୍ର ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ଏସଓପି ଜାରି ହୋଇଛି । ଶ୍ରୀମନ୍ଦିର ଭିତରେ ଶ୍ରୀମନ୍ଦିର କର୍ମଚାରୀ ଏବଂ ପୋଲିସ କର୍ମଚାରୀଙ୍କ ପାଇଁ ସ୍ମାର୍ଟ ଫୋନ୍ ବ୍ୟବହାର ଉପରେ କଟକଣା ଲାଗୁ ହୋଇଛି । ଖୁବଶୀଘ୍ର ଗୋଟିଏ ଗାଇଡଲାଇନ୍ ଆସିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଶ୍ରୀମନ୍ଦିର ଠାକୁରଙ୍କ ଶୃଙ୍ଖଳିତ ନୀତି କାନ୍ତି ନେଇ ପ୍ରତ୍ୟେକ ବୁଧବାର ଏକ ବୈଠକ ଅନୁଷ୍ଠିତ ହେବ। ଏନେଇ ଏକ କମିଟି ଗଠନ କରାଯାଇଛି । ସେହିପରି ଏମାର ମଠରୁ ଉଦ୍ଧାର ହୋଇଥିବା ରୂପା ଇଟା ଶ୍ରୀମନ୍ଦିର ପ୍ରଶାସନକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ । ଏହି ମାମଲା କୋର୍ଟରେ ଥିବାରୁ ସରକାରଙ୍କୁ ଏନେଇ ଅବଗତ କରାଯିବ ।

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ଛତିଶା ନିଯୋଗ ସେବାୟତ ପ୍ରତିନିଧି, ପରିଚାଳନା କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Comments are closed.