ପୁରୀ/ଭୁବନେଶ୍ୱର: ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ କାର୍ତ୍ତିକ ମାସକୁ ସବୁଠୁ ପବିତ୍ର ମାସ ଭାବେ ବିବେଚନା କରାଯାଇଥାଏ । ସେହି ପରିପ୍ରେକ୍ଷୀରେ ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ମାସ ଏବଂ ହବିଷ୍ୟାଳୀମାନେ ଆରମ୍ଭ କରିଛନ୍ତି ବ୍ରତ ।
ପୁରୀ ଶ୍ରୀମନ୍ଦିରର ଆଖପାଖ ଅଞ୍ଚଳରେ ଶ୍ରୀଜୀଉଙ୍କ ଦର୍ଶନ ଲାଗି ବ୍ରତଧାରୀ ହବିଷ୍ୟାଳୀଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ସମଗ୍ର ପୁରୀ ସହରର ବିଭିନ୍ନ ସ୍ଥାନମାନଙ୍କରେ ହବିଷ୍ୟାଳୀମାନେ ଶ୍ରୀରାଧା ଦାମୋଦର ପୂଜାର୍ଚ୍ଚନା କରିବା ନେଇ ପୂର୍ବରୁ ସ୍ୱତନ୍ତ୍ର ପ୍ରସ୍ତୁତି ସରିଛି । ହବିଷ୍ୟାଳୀମାନେ ଆଜିଠୁ ତୁଳସୀ ମୂଳରେ ଶ୍ରୀରାଧା ଦାମୋଦରଙ୍କୁ ପୂଜା ଉପାସନା କରିବା ସହିତ ବ୍ରତ ସମୟରେ ଉପବାସ କରିବେ ।
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏଥିଲାଗି ପୂର୍ବରୁ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ସହିତ ହବିଷ୍ୟାଳୀଙ୍କ ସୁବିଧା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।
ପୁରୀ ଜିଲ୍ଲା ପ୍ରଶାସନ ଏନେଇ ବେଶ୍ ତତ୍ପରତା ପ୍ରକାଶ କରିବା ସହିତ ହବିଷ୍ୟାଳୀଙ୍କ ବିଭିନ୍ନ ଆନୁଷଙ୍ଗିକ ସୁବିଧା ଲାଗି ରେଲୱେ ଯାତ୍ରୀ ନିବାସ, ରେଳବାଇ କଲ୍ୟାଣ ମଣ୍ଡପ, ଶ୍ରୀଜଗନ୍ନାଥବଲ୍ଲଭ ବ୍ୟାଖ୍ୟାନ କେନ୍ଦ୍ର ସହିତ ପୁରୀ ପୌରସଂସ୍ଥା କଲ୍ୟାଣ ମଣ୍ଡପଠାରେ ସ୍ୱତନ୍ତ୍ର ହବିଷ୍ୟାଳୀ କେନ୍ଦ୍ରମାନ ଖୋଲା ରହିଛି ।
ଏହି କାର୍ତ୍ତିକ ମାସ ଆରମ୍ଭରେ ହବିଷ୍ୟ ବ୍ରତଧାରିଣୀମାନେ ବଡ଼ି ଭୋରରୁ ସ୍ନାନ ଶୌଚ ସମାପ୍ତ କରିବା ପୂର୍ବକ ଏକ ସଂକଳ୍ପ କରି ଶ୍ରୀରାଧା ଦାମୋଦରଙ୍କ ବ୍ରତ ଆରମ୍ଭ କରିଥାଆନ୍ତି । ଏହାପରେ ତୁଳସୀ ଚଉଁରା ମୂଳରେ ସମସ୍ତ ବ୍ରତଧାରୀ ସାମୁହିକ ଭାବେ ଏକତ୍ରିତ ହୋଇ ଧର୍ମ ପୁସ୍ତକ ପାଠ କରିଥାଆନ୍ତି । ଚଉଁରା ମୂଳରେ ଆଧ୍ୟାତ୍ମିକତାର ସହିତ ପୂଜାର୍ଚ୍ଚନା କରିବାର ବିଧି ପାଳନ କରିଥାଆନ୍ତି ସମସ୍ତ ହବିଷ୍ୟାଳୀ । ଏହି ପରିପ୍ରେକ୍ଷୀରେ ହବିଷ୍ୟାଳୀମାନେ ଦେହରେ ଏବଂ ମଥାରେ ଚିତା ଚନ୍ଦନ ତିଳକ ଲଗାଇବାର ପରମ୍ପରା ରହିଛି ।
Comments are closed.