ନୂଆଦିଲ୍ଲୀ: ଫେବୃୟାରୀ ୧୯ରୁ ଆରମ୍ଭ ହେବାକୁ ଯାଉଥିବା ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି । ଏହି ଦଳରେ କରୁଣ ନାୟାରଙ୍କୁ ସାମିଲ କରା ନ ଯିବା ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା । ଘରୋଇ କ୍ରିକେଟରେ କରୁଣ ଆକର୍ଷଣୀୟ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଏବେ କରୁଣ ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଚୟନ କମିଟି ମୂଖ୍ୟ ଅଜିତ ଅଗକର ଏ ସମ୍ପର୍କରେ ମୋତେ ବୁଝାଇ ସାରିଛନ୍ତି । ଅଗରକର କହିଥିଲେ, ଏ ଭଳି ପ୍ରଦର୍ଶନ ଜଣେ ଖେଳାଳିଙ୍କ କ୍ୟାରିୟରରେ ବାରମ୍ବାର ଆସି ନ ଥାଏ । ତେବେ ଟିମରେ ୧୫ଜଣ ଖେଳାଳି ଚୟନ ହୋଇପାରିବେ । ମିଡିଲ ଅର୍ଡରରେ କରୁଣଙ୍କୁ ଫିଟ କରିବା ସମ୍ଭବପର ନ ଥିଲା ।
କରୁଣ କହିଛନ୍ତି, ମୋତେ ଦଳର କାହିଁକି ଚୟନ କରା ନ ଗଲା ସେ ନେଇ ସ୍ପଷ୍ଟ ମତ ରଖାଯାଇଛି । ଯାହା ଫଳରେ ମୋ ମନରୁ ଦ୍ୱନ୍ଦ୍ୱ ଦୂର ହୋଇଛି । ଏହା ଦ୍ୱାରା ପରୋକ୍ଷରେ ମୋତେ ଆଗକୁ ଭଲ ପ୍ରଦର୍ଶନ କରିବା ପାଇଁ ମନୋବଳ ବୃଦ୍ଧି କରିବ । ଚୟନ କମିଟି ମୋ ପ୍ରଦର୍ଶନରେ ପ୍ରଭାବିତ ହେବା ନିଶ୍ଚିତ ଭାବେ ଜଣେ ଖେଳାଳିଙ୍କ ପାଇଁ ସନ୍ତୋଷଜନକ ଖବର ବୋଲି ସେ କହିଛନ୍ତି । ସେ ଘରୋଇ କ୍ରିକେଟରେ ୭ଟି ମ୍ୟାଚରେ ୭୫୨ ରନ ସଂଗ୍ରହ କରିଥିଲେ । ୨୦୧୭ରେ ସେ ଭାରତ ପକ୍ଷରୁ ଶେଷ ଥର ପାଇଁ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।
Comments are closed.