Latest Odisha News

ଟ୍ରମ୍ପଙ୍କ ପାରସ୍ପରିକ ଆମଦାନୀ ଶୁଳ୍କ, ଭାରତ ଉପରେ କି ପ୍ରଭାବ?

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଘୋଷଣା, ବଢିଲା ଭାରତର ଚିନ୍ତା । ଭାରତ ସମେତ ସବୁ ବ୍ୟବସାୟିକ ଭାଗିଦାର ଦେଶଙ୍କ ଉପରେ ପାରସ୍ପରିକ ଶୁଳ୍କ ଲାଗୁ କରିବା ସଂପର୍କିତ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ବାକ୍ଷର କରିଛନ୍ତି ଟ୍ରମ୍ପ । ଏହାର ପ୍ରଭାବ ବିଶ୍ବର ବିଭିନ୍ନ ଦେଶର ଆର୍ଥିକ ସ୍ଥିତି ଉପରେ ପଡିପାରେ । ବ୍ୟବସାୟ ମାମଲାରେ ନିରପେକ୍ଷତା ସହ ପାରସ୍ପରିକ ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିବା ଟ୍ରମ୍ପ କହିଛନ୍ତି । ତେବେ ଏହି ନିଷ୍ପତ୍ତି ଯୋଗୁଁ ଆମେରିକା ଓ ଏହାର ବ୍ୟବସାୟିକ ଭାଗିଦାର ଦେଶଙ୍କ ମଧ୍ୟରେ ସମସ୍ୟା ଦେଖା ଦେଇପାରେ । ଯାହାର ପ୍ରଭାବ ବିଶ୍ବ ବ୍ୟାପାର ଓ ଅର୍ଥବ୍ୟବସ୍ଥା ଉପରେ ପଡିବ।

ପାରସ୍ପରିକ ଆମଦାନୀ ଶୁଳ୍କ କ’ଣ?

ପାରସ୍ପରିକ ଆମଦାନୀ ଶୁଳ୍କ ହେଉଛି ଏକ ବାଣିଜ୍ୟ ନୀତି । ଏଥିରେ ଗୋଟିଏ ଦେଶ ଅନ୍ୟ ଦେଶ ଉପରେ ଯେତିକି ଟାରିଫ ଲଗାଏ, ସମାନ ଟାରିଫ ଅନ୍ୟ ଦେଶ ମଧ୍ୟ ସେହି ଦେଶ ଉପରେ ଲଗାଏ । ପାରସ୍ପରିକ ଆମଦାନୀ ଶୁଳ୍କ ଲାଗୁ କରିବା ପରେ ଆମେରିକା ସାମଗ୍ରୀ ଉପରେ ଯେଉଁ ଦେଶ ଯେତିକି ଆମଦାନୀ ଶୁଳ୍କ ଲଗାଇବ, ଆମେରିକା ମଧ୍ୟ ସେହି ଦେଶର ସାମଗ୍ରୀ ଉପରେ ସମାନ ଆମଦାନୀ ଶୁଳ୍କ ଲଗାଇବ । ଏହା ଆମେରିକାର ବ୍ୟବସାୟିକ ରଣନୀତିର ଅଂଶବିଶେଷ । ଏହାଦ୍ବାରା ଆର୍ଥିକ ଓ ରାଷ୍ଟ୍ରୀୟ ସୁରକ୍ଷା ମଜବୁତ ହେବ ବୋଲି ହ୍ବାଇଟ୍ ହାଉସ ପକ୍ଷରୁ କୁହାଯାଇଛି ।

ଭାରତ ଉପରେ କି ପ୍ରଭାବ?

ପାରସ୍ପରିକ ଆମଦାନୀ ଶୁଳ୍କର ପ୍ରଭାବ ଭାରତ ଉପରେ ପଡିବ । ଭାରତରେ ଟାରିଫ ହାର ଅଧିକ ରହିଥିବା ବେଳେ ପାରସ୍ପରିକ ଆମଦାନୀ ଶୁଳ୍କ ଯୋଗୁଁ ଦେଶ କ୍ଷତି ସହିବ । କାରଣ ଆମେରିକା ଅପେକ୍ଷା ଆମଦାନୀ ଉପରେ ଭାରତ ୧୦ପ୍ରତିଶତରୁ ଅଧିକ ଶୁଳ୍କ ଆଦାୟ କରୁଛି । ଆମେରିକାର ନୂଆ ଟାକ୍ସ ନୀତିର ପ୍ରଭାବ ଭାରତର ଅଟୋମୋବାଇଲ୍, ଲୁଗା, ଖାଦ୍ୟ ସାମଗ୍ରୀ, ଜୁଏଲରୀ ଓ ଅନ୍ୟ ଉଦ୍ୟୋଗ ଉପରେ ପଡିବ । ଭାରତ ଟାରିଫ୍ ହ୍ରାସ କଲେ ଦେଶର ରାଜସ୍ବ ପ୍ରଭାବିତ ହେବ । ତେବେ ଭାରତ ୩୦ରୁ ଅଧିକ ଉତ୍ପାଦ ଉପରେ ଟାରିଫ କମ୍ କରିବାକୁ ଚିନ୍ତା କରୁଛି । ଏହାସହ ଆମେରିକାଠାରୁ ପ୍ରତିରକ୍ଷା ଓ ଶକ୍ତି ସଂପର୍କିତ ସାମଗ୍ରୀ ଆମଦାନୀ କରିବ । ତେବେ ଟାରିଫ ବୃଦ୍ଧି ଉଭୟ ବାଣିଜ୍ୟ ଓ ଉଭୟ ଦେଶର ଖାଉଟିଙ୍କ ଉପରେ ପ୍ରଭାବ ପକାଇବ ।

ଭାରତର ଟାରିଫକୁ ସମାଲୋଚନା

ନିର୍ବାଚନ ପ୍ରଚାର ସମୟରେ ବି ପାରସ୍ପରିକ ଆମଦାନୀ ଶୁଳ୍କ ଲାଗୁ ଉପରେ ଗୁରୁତ୍ବ ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ । ପୂର୍ବରୁ ମଧ୍ୟ ଭାରତର ଆମଦାନୀ ଶୁଳ୍କ ହାରକୁ ସମାଲୋଚନା କରିଥିଲେ । ଏବେ ଭାରତରେ ଟାକ୍ସ ଓ ଟାରିଫ ଏତେ ଅଧିକ ଯେ, ହାର୍ଲେ ଡେଭିଡସନ୍ ମୋଟର ସାଇକେଲ୍ ବିକ୍ରି କରିପାରୁନଥିଲା । ଫଳରେ ଏହା ବିକ୍ରି କରୁଥିବା କମ୍ପାନୀକୁ ଭାରତରେ ଫ୍ୟାକ୍ଟ୍ରି ଖୋଲିବାକୁ ପଡିଲା ବୋଲି ଟ୍ରମ୍ପ କହିଛନ୍ତି । ସେହିପରି ଆମେରିକାରେ ଫ୍ୟାକ୍ଟ୍ରି ଖୋଲି କମ୍ପାନୀ ମେଡିକାଲ ଉପକରଣ, ଅଟୋମୋବାଇଲସ, ଚିପ୍ସ ଓ ସେମିକଣ୍ଡକ୍ଟର ଭଳି ଉତ୍ପାଦ ନିର୍ମାଣ କରିପାରିବେ ବୋଲି ଟ୍ରମ୍ପ କହିଛନ୍ତି ।

ଚୀନ୍-ଆମେରିକା ଟାରିଫ୍ ଯୁଦ୍ଧ

ଡୋନାଲଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଚୀନ୍ ସହ ଆମେରିକାର ଟାରିଫ ଯୁଦ୍ଧ ଜୋରଦାର ହୋଇଛି । ଡୋନାଲଡ ଟ୍ରମ୍ପ କାନାଡା ଓ ମେକ୍ସିକୋ ଉପରେ ୨୫ପ୍ରତିଶତ ଓ ଚୀନ୍ ଉପରେ ୧୦ପ୍ରତିଶତ ଶୁଳ୍କ ଲଗାଇଥିଲେ। ତେବେ ପରେ କାନାଡା ଓ ମେକ୍ସିକୋ ଉପରେ କଟକଣାକୁ ମାସେ ଯାଏଁ ସ୍ଥଗିତ ରଖିଥିଲେ । ତେବେ ଆମେରିକା ଉପରେ ଚୀନ୍ ପାଲଟା ଟିକସ ଲଗାଇଥିଲା । ଆମେରିକାର କୋଇଲା ଓ ଏଲଏନଜି ଉତ୍ପାଦ ଉପରେ ୧୫ପ୍ରତିଶତ ଶୁଳ୍କ ଏବଂ ଅଶୋଧିତ ତୈଳ, କୃଷି ଉପକରଣ, ବଡ କାର ଗୁଡିକ ଉପରେ ୧୦ପ୍ରତିଶତ ଶୁଳ୍କ ଲଗାଇବାକୁ ଚୀନ୍ ଘୋଷଣା କରିଥିଲା । ଏହାସହ ଆମେରିକୀୟ ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ ଗୁଗଲ ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା । ଏବେ ପାରସ୍ପରିକ ଆମଦାନୀ ଶୁଳ୍କ ଲାଗୁ କରିବା ନେଇ ଟ୍ରମ୍ପ ନିଷ୍ପତ୍ତି ନେବା ପରେ ଏହାର ପ୍ରଭାବ ସାରା ବିଶ୍ବର ବାଣିଜ୍ୟ ଓ ବିଭିନ୍ନ ଦେଶର ଅର୍ଥନୈତିକ ସ୍ଥିତି ଉପରେ ପଡିବ ।

Comments are closed.