Latest Odisha News

‘୨ ଦିନରେ ପଦ ଛାଡିବି’: ବଡ ଘୋଷଣା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ୪୮ ଘଣ୍ଟା ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଆଜି ଏମିତି କିଛି ବଡ ଘୋଷଣା କରିଛନ୍ତି ନିଜେ କେଜ୍ରିଓ୍ବାଲ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରୁ ବାହାରିବାର ଦିନକ ପରେ ଏପରି କିଛି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ । ଖାଲି ସେତିକି ନୁହେଁ ଏହା ସହିତ ସେ ଆମ ଆଦମି ପାର୍ଟିର ଆଗାମୀ ଭବିଷ୍ୟତକୁ ଜନତାଙ୍କ ହାତକୁ ଟେକି ଦେଇଛନ୍ତି ।

ତେବେ ଦିଲ୍ଲୀ ରାଜନୀତିର ଉଷ୍ମତା ଏବେ ବଢିଛି । କେଜ୍ରିଓ୍ବାଲଙ୍କ ଜେଲରୁ ବାହାରିବା ପରେ ନୈତିକତା ଦୃଷ୍ଟିରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଜୋର ଦାର ସ୍ବର ଉତ୍ତୋଳନ କରିଥିଲା । ଆଉ ଆଜି ତାହା ଉପରେ ଏକ ପ୍ରକାର ସମ୍ମତି ଜଣାଇ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି କେଜ୍ରିଓ୍ବାଲ । ନିଜେ ନିଜ ଆଡୁ ଦୁଇ ଦିନ ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ଛାଡିବେ ବୋଲି ଘୋଷଣା କରିଛନ୍ତି କେଜ୍ରିଓ୍ବାଲ । ଏନେଇ କେଜ୍ରିଓ୍ବାଲ କହିଛନ୍ତି, ଆଜିଠୁ ୨ ଦିନ ପରେ ମୁଁ ଇସ୍ତଫା ଦେବାକୁ ଯାଉଛି । ଯେପର୍ଯ୍ୟନ୍ତ ଜନତା ତାଙ୍କ ରାୟ ଦେଇ ନାହାନ୍ତିଯେ କେଜ୍ରିଓ୍ବାଲ ବିଶ୍ବସ୍ତ, ଯେ ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଚୌକିରେ ବସିବି ନାହିଁ । ମୁଁ ଓ ସିସୋଦିଆ ଜନତାଙ୍କ ପାଖକୁ ଯିବୁ, ସେମାନେ ଯାହା ନିଷ୍ପତ୍ତି ନେବେ ସେଇଆ ହେବ । ଜନତା ନିଜ ନିଷ୍ପତ୍ତି ନଜଣାଇବା ଯାଏଁ ମୁଁ ମୁଖ୍ୟମନ୍ତ୍ରୀ ଗାଦିରେ ବସିବି ନାହିଁ ବୋଲି କହିଛନ୍ତି କେଜ୍ରିଓ୍ବାଲ । ଏହା ସହିତ ମନୀଷ ସିସୋଦିଆ ମଧ୍ୟ ମୁଖ୍ୟମନ୍ତ୍ରୀ ହେବେନାହିଁ ବୋଲି କହିଦେଇଛନ୍ତି କେଜ୍ରିୱାଲ । ଯେପର୍ଯ୍ୟନ୍ତ ନିର୍ବାଚନ ନହୋଇଛି ସେପର୍ଯ୍ୟନ୍ତ ଆପ୍‌ର ଅନ୍ୟ କୌଣସି ନେତା କାମଚଳା ମୁଖ୍ୟମନ୍ତ୍ରୀ ଭାବେ ପଦ ସମ୍ଭାଳିବେ ।

ଏଥିସହିତ ନଭେମ୍ବରରେ ମହାରାଷ୍ଟ୍ର ସହ ଦିଲ୍ଲୀ ନିର୍ବାଚନ କରିବାକୁ ଦାବି କରିଛନ୍ତି କେଜ୍ରିଓ୍ବାଲ । ଏନେଇ କେଜ୍ରିଓ୍ବାଲ କହିଛନ୍ତି, ଯଦି ଆପଣମାନଙ୍କୁ ଲାଗୁଛି କେଜ୍ରିଓ୍ବାଲ ବିଶ୍ବସ୍ତ, ତାହାଲେ ଭରି ଭରି ଭୋଟ ଦିଅ । ଫେବୃୟାରୀରେ ନିର୍ବାଚନ । ମୋଦ ଦାବି ନିର୍ବାଚନ ଶୀଘ୍ର କରାଯାଉ । ମହାରାଷ୍ଟ୍ର ନିର୍ବାଚନ ନଭେମ୍ବରରେ ହେବାକୁ ଥିବା ବେଳେ ଏହା ସହ ଦିଲ୍ଲୀ ନିର୍ବାଚନ ମଧ୍ୟ ହେଉ । ନୂଆ ମୁଖ୍ୟମନ୍ତ୍ରୀ ଚୟନ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ହେଉ ବୋଲି ଦାବି କରିଛନ୍ତି କେଜ୍ରିଓ୍ବାଲ ।

ଏଥିସହିତ ବିଜେପିର ଇସ୍ତଫା ଦାବିକୁ ବି କଡା ଜବାବ ଦେଇଛନ୍ତି କେଜ୍ରିଓ୍ବାଲ । ଏନେଇ କେଜ୍ରିଓ୍ବାଲ କହିଛନ୍ତି, ମୁଁ ଦେଶର ଗଣତନ୍ତ୍ରକୁ ବଞ୍ଚାଇବାକୁ ଇସ୍ତଫା ଦେଇନଥିଲି । ଯଦି ମୁଁ ଇସ୍ତଫା ଦେଇଥାନ୍ତି, ତାହାଲେ ଏମାନେ(ବିଜେପି) ଜଣ ଜଣ କରି ସମ୍ତଙ୍କୁ ଜେଲରେ ଭର୍ତ୍ତି କରାଇଦେଇଥାନ୍ତେ । କାରଣ ପୂର୍ବରୁ ମଧ୍ୟ ସେମାନେ ସିଦ୍ଧରମୈୟା(କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ), ପିନାରାଇ ବିଜନ(କେରଳ ମୁଖ୍ୟମନ୍ତ୍ରୀ) ଏବଂ ମମତା ଦିଦି(ପଶ୍ଚିମବଙ୍ଗ ମୁଖ୍ରମନ୍ତ୍ରୀ ମମତା ବାନାର୍ଜୀ) ସମସ୍ତଙ୍କ ବିରୋଧରେ ମାମଲା କରିଛନ୍ତି । ମୁଁ ଦେଶର ସମସ୍ତ ଅଣ-ବିଜେପି ମୁଖ୍ୟମନ୍ତ୍ରୀମାନଙ୍କୁ କହିବାକୁ ଚାହୁଁଛି, ଯଦି ମୁଖ୍ୟମନ୍ତ୍ରୀ ଥିବା ବେଳେ ସେମାନେ ତୁମ ଉପରେ କେସ୍ କରୁଛନ୍ତି, ତାହାଲେ ପଦରୁ ଜମାବି ଇସ୍ତଫା ଦିଅନ୍ତୁ ନାହିଁ । ଏହା ତାଙ୍କର ଷଡଯନ୍ତ୍ର । ଯାହାର ମୁକାବିଲା କରିବାର ଶକ୍ତି ଆପ ପାଖରେ ଅଛି ବୋଲି କହିଛନ୍ତି କେଜ୍ରିଓ୍ବାଲ  ।

ତେବେ ଶୁକ୍ରବାର ୬ମାସ ପରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସୁୂପ୍ରମିକୋର୍ଟ । ଏହାପରେ ଶନିବାର ଜେଲରୁ ଘରକୁ ଫେରବା ପରେ ଆଜି ଆପ କାର୍ଯ୍ୟାଳୟରେ ଆପ ନେତା, ମନ୍ତ୍ରୀ ଓ କର୍ମକର୍ତ୍ତାଙ୍କୁ ଭେଟିବା ସହିତ ସେମାନଙ୍କ ସହ ଆଲୋଚନା କରି ଦୁଇ ଦିନ ଭିତରେ ମୁଖ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି ।

Comments are closed.