Latest Odisha News

BREAKING NEWS

ଘର ଖାଦ୍ୟ ଆସିଲେ ଫେରାଇ ଦିଅନ୍ତି, ଜାଣିଶୁଣି ନିଜ ଓଜନ ହ୍ରାସ କରୁଛନ୍ତି କେଜ୍ରିୱାଲ: ତିହାର ଜେଲ ରିପୋର୍ଟ

ନୂଆଦିଲ୍ଲୀ: ତିହାର ଜେଲରେ ଅବସ୍ଥାପିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ନେଇ ଆମ୍ ଆଦମୀ ପାର୍ଟି କ୍ରମାଗତ ଭାବରେ ଦାବି କରୁଛି। ଆପ୍ ଅଭିଯୋଗ କରିଛି ଯେ ଗତ କିଛି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କର ଓଜନ ହ୍ରାସ ହୋଇଛି। ତାଙ୍କ ଓଜନ ୮ କିଲୋଗ୍ରାମ ହ୍ରାସ ପାଇଛି ଏବଂ ସୁଗାର ଲେବେଲ ମଧ୍ୟ ବହୁତ ଅଧିକ ରହିଛି।

ବର୍ତ୍ତମାନ ତିହାର ଜେଲ ପ୍ରଶାସନ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ କିଛି ଖୁଲାସା କରିଛି ଏବଂ ଆପ୍ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି। ଜେଲ ପ୍ରଶାସନର ରିପୋର୍ଟ ଅନୁଯାୟୀ, କେଜ୍ରିୱାଲଙ୍କ ଓଜନ ସାଢେ ୮ କିଲୋ ହ୍ରାସ ହୋଇନାହିଁ। ଜୁନ୍ ୨ ରେ ସେ ପୁଣି ଜେଲକୁ ଫେରିବା ପରେ ତାଙ୍କ ଓଜନ ମାତ୍ର ୨ କିଲୋଗ୍ରାମ ହ୍ରାସ ପାଇଥିଲା। ରିପୋର୍ଟରେ ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ସେ ଜାଣିଶୁଣି ନିଜର ଓଜନ ହ୍ରାସ କରୁଛନ୍ତି।

ତିହାର ପରିଚାଳନା ରିପୋର୍ଟ ଅନୁଯାୟୀ, ଯେତେବେଳେ ସେ ଏପ୍ରିଲ ୧ରେ ପ୍ରଥମ ଥର ଜେଲକୁ ଆସିଥିଲେ ସେତେବେଳେ ତାଙ୍କର ଓଜନ ୬୫ କିଲୋଗ୍ରାମ ଥିଲା। ଯେଉଁ ଦିନ ସେ ମେ ୯ ରେ ଜେଲରୁ ବାହାରିଥିଲେ ସେହିଦିନ ତାଙ୍କର ଓଜନ ୬୫ କିଲୋଗ୍ରାମ ଥିଲା। ଯେତେବେଳେ ସେ ଜୁନ୍ ୨ ରେ ପୁନର୍ବାର ଜେଲକୁ ଫେରିଥିଲେ, ସେତେବେଳେ ତାଙ୍କର ଓଜନ ୬୩.୫ କିଲୋଗ୍ରାମ ଥିଲା। ଜୁଲାଇ ୧୪ରେ, କେଜ୍ରିୱାଲଙ୍କ ଓଜନ ୬୧.୫ କିଲୋଗ୍ରାମ ଥିଲା। ତେବେ ଜୁନ୍ ୨ରୁ ଜୁଲାଇ ୧୪ ତାରିଖ ମଧ୍ୟରେ ଓଜନ ୨ କିଲୋଗ୍ରାମ ହ୍ରାସ ପାଇଲା। କେଜ୍ରିୱାଲ ଜାଣିଶୁଣି ନିଜର ଓଜନ ହ୍ରାସ କରୁଛନ୍ତି। ପ୍ରାୟତଃ ଘରୁ ଆସୁଥିବା ଖାଦ୍ୟକୁ ସେ ଫେରାଇ ଦିଅନ୍ତି। ପୂର୍ବରୁ, ସେ ଜାଣିଶୁଣି ଏପରି ଖାଦ୍ୟ ଖାଉଥିଲେ ଯାହାଦ୍ୱାରା ତାଙ୍କ ଶରୀରର ସୁଗାର ଲେବେଲ ବଢିଯିବ। ତେବେ ଏମ୍ସ (AIIMS) ମେଡିକାଲ ବୋର୍ଡ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି। ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ମଧ୍ୟ ମେଡିକାଲ ବୋର୍ଡ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଆପ୍ ଦ୍ୱାରା ମିଥ୍ୟା ଖବର ସୃଷ୍ଟି ଏବଂ ପ୍ରସାରିତ ହେଉଛି। ଏ ବିଷୟରେ ଗୃହ ମନ୍ତ୍ରଣାଳୟ, GNCTDକୁ ସୂଚନା ଦିଆଯାଇଛି।

ତିହାର ଜେଲର ଡାକ୍ତରୀ ରିପୋର୍ଟ ଉପରେ ଆପ୍‌ ମଧ୍ୟ ନିଜ ଉତ୍ତର ରଖିଛି। ସଞ୍ଜୟ ସିଂ କହିଛନ୍ତି ଯେ ସୁଗାର ଲେବେଲ ଅନେକ ଥର ହ୍ରାସ ପାଇଛି ବୋଲି ତିହାର ଜେଲ ସ୍ୱୀକାର କରିଛି। ସୁଗାର ଲେବେଲ କମ୍ ହେଲେ ଶୋଇବା ସମୟରେ କଜ୍ରିୱାଲ କୋମାକୁ ବି ଯାଇପାରନ୍ତି। ସୁଗାର ଲେବେଲ କମ୍ ହେଲେ ବ୍ରେନ ଷ୍ଟ୍ରୋକ୍ ହେବାର ଆଶଙ୍କା ମଧ୍ୟ ରହିପାରେ। ତା’ପରେ ଏହି ରିପୋର୍ଟରୁ ମଧ୍ୟ ଅନୁମାନ କରାଯାଇପାରେ ଯେ କେଜ୍ରିୱାଲଙ୍କ ଓଜନ ହ୍ରାସ ପାଇଛି।

Comments are closed.