Latest Odisha News

ଆଜି ବି ଇଡିରେ ହାଜର ହେବେନି ଅରବିନ୍ଦ କେଜ୍ରିୱାଲ, ସମନକୁ ବେଆଇନ କହିଲା ଆପ

ନୁଆଦିଲ୍ଲୀ: ଦିଲ୍ଲୀ ଜଳ ବୋର୍ଡରେ ହୋଇଥିବା ଅନିୟମିତତା ସହ ଜଡିତ ଅର୍ଥ ହେରଫେର ଯାଞ୍ଚ ମାମଲାରେ ଆଜି ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ଜଳ ବୋର୍ଡ ମାମଲାରେ ‘ମନି ଲଣ୍ଡରିଂ ଆକ୍ଟ’ (PMLA)ର ଧାରା ୫୦ ଅନୁଯାୟୀ କେଜ୍ରିୱାଲଙ୍କୁ ସମନ ଜାରି କରିଥିଲା ଇଡି । ଆମ୍ ଆଦମୀ ପାର୍ଟି ପୁଣି ଥରେ ଇଡି ନୋଟିସକୁ ବେଆଇନ ବୋଲି କହିଛି।

ଆପ କହିଛି ଯେ, ବିଜେପି କାହିଁକି ଇଡି ପଛରେ ଲୁଚି ନିର୍ବାଚନ ଲଢିବାକୁ ଚାହୁଁଛି? ଗତକାଲି ଦିଲ୍ଲୀ ମଦ ଦୁର୍ନିତି ମାମଲାରେ ନବମ ଥର ପାଇଁ ଇଡି କେଜ୍ରିୱାଲଙ୍କୁ ସମନ ପଠାଇଥିଲା । ତା’ର କିଛି ଘଣ୍ଟା ପରେ, ଦିଲ୍ଲୀ ଜଳ ବୋର୍ଡରେ ବେଆଇନ ଟେଣ୍ଡର ଏବଂ ଅନିୟମିତତା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଦିଲ୍ଲୀ ସିଏମଙ୍କୁ ଏକ ନୂତନ ସମନ ପଠାଇଥିଲା । ଆଜି ତାଙ୍କୁ ଇଡି କାର୍ଯ୍ୟାଳୟକୁ ଆସି ତାଙ୍କ ବିବୃତ୍ତି ରେକର୍ଡ କରିବାକୁ କୁହାଯାଇଥିଲା ।

ସୂଚନାଯୋଗ୍ୟ ଯେ, ବାରମ୍ବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଡାକରାକୁ ଏଡ଼େଇ ଯିବା ମାମଲାରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନାମରେ ସମନ ହୋଇଥି‌ଲା। ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଦ୍ୱାରା କେଜ୍ରିୱାଲଙ୍କୁ ଏବେ ଆଶ୍ୱସ୍ତି ମିଳିଛି। ଶନିବାର ଅଦାଲତ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ଅଦାଲତ ଜାମିନ୍ ପ୍ରଦାନ କରିବା ପରେ ପୁଣି ଥରେ କେଜ୍ରିୱାଲଙ୍କୁ ସମନ ଜାରି ହୋଇଛି। ଇଡ଼ି ଅରବିନ୍ଦ କେଜ୍ରିୱାଲଙ୍କୁ ନବମ ସମନ ଜାରି କରିଛି।

ଦିଲ୍ଲୀ ଜଳ ବୋର୍ଡର ଦୁଇଟି ଚୁକ୍ତିରେ ନିୟମ ଉଲ୍ଲଂଘନ ଏବଂ ଅନିୟମିତତା ଘଟଣାର ଅନୁସନ୍ଧାନ କରୁଛି ଇଡି । ୧୯୯୮ରେ ପ୍ରତିଷ୍ଠିତ ଦିଲ୍ଲୀ ଜଳ ବୋର୍ଡ ପୁରା ଦିଲ୍ଲୀରେ ପାନୀୟ ଜଳ ଯୋଗାଇଥାଏ । ଜୁଲାଇ ୨୦୨୨ ରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ମାଧ୍ୟମରେ ପଞ୍ଜୀକୃତ ହୋଇଥିବା ଦୁର୍ନୀତି ମାମଲାରୁ ଇଡି ଏହି ମାମଲାର ନେତୃତ୍ୱ ନେଇଥିଲା। ସିବିଆଇ ଜରିଆରେ ପଞ୍ଜୀକୃତ ହୋଇଥିବା ମାମଲାରେ ଅଭିଯୋଗ ହୋଇଥିଲା ଯେ, ଦିଲ୍ଲୀର ଜଳ ବୋର୍ଡର ପୂର୍ବତନ ଇଞ୍ଜିନିୟର ଜଗଦୀଶ କୁମାର ଆରୋରା ଏକ କମ୍ପାନୀକୁ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଫ୍ଲୋ ମିଟର ସପ୍ଲାଇ, ଇନଷ୍ଟଲେସନ, ଟେଷ୍ଟିଙ୍ଗ ଏବଂ କମିଶନ ପାଇଁ ଚୁକ୍ତି କରିଥିଲେ। ଏହି କମ୍ପାନୀର ନାମ ହେଉଛି ଏନକେଜି ଇମ୍ଫାଷ୍ଟ୍ରକ୍ଚର ଲିମିଟେଡ୍, ଯାହାକୁ ୩୫ କୋଟି ଟଙ୍କା ମୂଲ୍ୟର କଣ୍ଟ୍ରାକ୍ଟ ମିଳିଥିଲା । କମ୍ପାନୀକୁ କଣ୍ଟ୍ରାକ୍ଟ ଦିଆଯାଇଥିବା ବେଳେ ସେ ବୈଷୟିକ ଯୋଗ୍ୟତା ମାନଦଣ୍ଡ ପୂରଣ କରୁନଥିବା କଥା ବିଚାରକୁ ନିଆଯାଇନଥିଲା।

 

 

Comments are closed.