Latest Odisha News

ଅରବିନ୍ଦ ଦେବେ ‘ଅଗ୍ନିପରୀକ୍ଷା’, ଦୁଇ ଦିନ ପରେ ଛାଡିବେ କୁର୍ସି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦଙ୍କ କେଜରୀୱାଲଙ୍କ ଚମକପ୍ରଦ ଘୋଷଣା । ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କେଜରୀୱାଲ୍ । ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇ ବାହାରକୁ ଆସିବାର ଦିନକ ପରେ କେଜରୀୱାଲଙ୍କ ଘୋଷଣା ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି । ସେ ସଚ୍ଚୋଟ ବୋଲି ଜନତା ଜନାର୍ଦ୍ଦନ ଫଇସଲା ଶୁଣାଇବା ଯାଏଁ ମୁଖ୍ୟମନ୍ତ୍ରୀ ଗାଦିରେ ସେ ବସିବେ ନାହିଁ ବୋଲି ପଣ କରିଛନ୍ତି କେଜରୀୱାଲ୍ ।

ଶୀଘ୍ର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଦାବି

କେଜରୀୱାଲଙ୍କ ବଡ ଘୋଷଣା । ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ । ଦିଲ୍ଲୀ ଆମ ଆଦମୀ ପାର୍ଟି ଅଫିସରେ ନେତା ଓ କର୍ମକର୍ତ୍ତାଙ୍କୁ ସାକ୍ଷାତ କରିବା ପରେ ପଦ ଛାଡିବା ଘୋଷଣା କରିଛନ୍ତି କେଜରୀୱାଲ୍ । କେଜରୀୱାଲ ସଚ୍ଚୋଟ ବୋଲି ଜନତା ଫଇସଲା ଦେଲା ଯାଏଁ ସେ ଗାଦିରେ ବସିବେ ନାହିଁ ବୋଲି ଘୋଷଣା କରିଛନ୍ତି ଅରବିନ୍ଦ କେଜରୀୱାଲ । ଦୁଇ ଦିନ ତଳେ କେଜରୀୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ ସର୍ତ୍ତମୂଳକ ଜାମିନ ଦେଇଥିଲେ ସୁପ୍ରିମକୋର୍ଟ । ଦୀର୍ଘ ୧୫୬ ଦିନ ପରେ ଜେଲରୁ ମୁକୁଳିଥିଲେ । ତାଙ୍କ ମନୋବଳ ଆହୁରି ବଢିଛି ବୋଲି ଦମ୍ଭର ସହ ଘୋଷଣା କରିଥିଲେ କେଜରୀୱାଲ । ମୋଦି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ଅରବିନ୍ଦ କେଜରୀୱାଲ । ଗତ ୧୦ ବର୍ଷ ହେବ କେନ୍ଦ୍ର ସରକାର ଆଇନ ପ୍ରସ୍ତୁତ କରି ମୋ କାମ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି । ଏ ସବୁ ସର୍ତ୍ତମଧ୍ୟ ମୁଁ ଦେଖିସାରିଛି । ତୁରନ୍ତ ଦିଲ୍ଲୀ ବିଧାନସଭା ନିର୍ବାଚନ କରିବାକୁ ଦାବି କରିଛନ୍ତି ଅରବିନ୍ଦ । ନଭେମ୍ବରରରେ ମହାରାଷ୍ଟ୍ର ସହ ଦିଲ୍ଲୀ ନିର୍ବାଚନ ମଧ୍ୟ କରିବାକୁ ଦାବି କରିଛନ୍ତି କେଜରୀୱାଲ । ଲୋକେ ଯଦି କେଜରୀୱାଲଙ୍କୁ ସଚ୍ଚୋଟ ବୋଲି ଭାବୁଥାଆନ୍ତି, ତାହା ହେଲେ ତାଙ୍କ ସପକ୍ଷରେ ବହୁସଂଖ୍ୟା୍‌ରେ ଭୋଟ୍ ଦିଅନ୍ତୁ ବୋଲି ଅପିଲ କରିଛନ୍ତି କେଜରୀୱାଲ୍ । ଦିଲ୍ଲୀ ବିଧାନସଭା ନିର୍ବାଚନ ଫେବ୍ରୁଆରୀରେ ହେବାକୁ ଅଛି ।

ସିସୋଦିଆ ବି ଗ୍ରହଣ କରିବେ ନାହିଁ ମନ୍ତ୍ରୀ ପଦ

ଅବକାରୀ ଦୁର୍ନୀତି ମାମଲାରେ ପୂର୍ବରୁ ଜାମିନ ପାଇଥିବା ମନୀଷ ସିସୋଦିଆ ବି ପୁନଃ ନିର୍ବାଚିତ ହେଲା ଯାଏଁ କୌଣସି ମନ୍ତ୍ରୀ ପଦରେ ରହିବେ ନାହିଁ । ଏଥିପାଇଁ ସେ ନିଜେ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି କେଜରୀୱାଲ କହିଛନ୍ତି । ଜେଲରେ ଥିବା ସତ୍ୟେନ୍ଦ୍ର ଜୈନ, ଅମାନତୁଲ୍ଲା ଖାନ ବି ଖୁବ୍ ଶୀଘ୍ର ବାହାରକୁ ଆସିବେ । ଦିଲ୍ଲୀ ବାସିନ୍ଦା ଆମ ପାଇଁ ପ୍ରାର୍ଥନା କରିଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି ବୋଲି କହିଥିଲେ କେଜରୀୱାଲ୍ ।

ଆଗରୁ ଇସ୍ତଫା ନ ଦେବାର କାରଣ କହିଲେ କେଜରୀୱାଲ

କେଜରୀୱାଲ କହିଛନ୍ତି ଯେ, ଦୁର୍ନୀତି ପାଇଁ ତାଙ୍କୁ ଜେଲ୍ ପଠାଯାଇନଥିଲା । ଆମ୍ ଆଦମୀ ପାର୍ଟିକୁ ଭାଙ୍ଗିବା ପାଇଁ ତାଙ୍କୁ ଜେଲ୍ ପଠାଯାଇଥିଲା । ପାର୍ଟି ଭାଙ୍ଗିବା ଫର୍ମୁଲା ପ୍ରୟୋଗ କରିଥିଲେ କେନ୍ଦ୍ର ସରକାର । ଦେଶର ଗଣତନ୍ତ୍ରକୁ ବଂଚାଇବାକୁ ଚାହୁଁଥିବାରୁ ସେ ଇସ୍ତଫା ଦେଇନଥଲେ । ନହେଲେ ସିଦ୍ଧରମୈୟା, ମମତା ଦିଦି, ପି.ବିଜୟନଙ୍କୁ ମଧ୍ୟ ଜେଲ୍ ଯିବାକୁ ପଡିଥାଆନ୍ତା ବୋଲି କେଜରୀୱାଲ ଦାବି କରିଛନ୍ତି । ସବୁ ଷଡଯନ୍ତ୍ରର ମୁକାବିଲା ପାଇଁ ଆମ୍ ଆଦମୀ ପାର୍ଟିର ଶକ୍ତି ରହିଛି । କାରଣ ଆମ୍ ଆଦମୀ ପାର୍ଟି ସଚ୍ଚୋଟ ବୋଲି ଦାବି କରିଛନ୍ତି କେଜରୀୱାଲ୍ । ମୋଦି ସରକାରଙ୍କ ନାଁ ନେଇ ବର୍ଷିଛନ୍ତି କେଜରୀୱାଲ ।
ପ୍ରତିକ୍ରିୟାରେ କ’ଣ କହିଲେ ବିଜେପି ଓ କଂଗ୍ରେସ ?
ଦୁଇ ଦିନ ପରେ ଇସ୍ତଫା ଦେବା ପାଇଁ କେଜରୀୱାଲଙ୍କ ଘୋଷଣାକୁ ପିଆର୍ ଷ୍ଟଂଟ୍ ବୋଲି କହିଛି ବିଜେପି । ଦିଲ୍ଲୀର ଲୋକେ ଜାଣିସାରିଲେଣି ଯେ,କେଜରୀୱାଲ ଜଣେ କଠୋର ଭ୍ରଷ୍ଟାଚାରୀ ନେତା । ଆମ୍ ଆଦମୀ ପାର୍ଟି ବି ଭ୍ରଷ୍ଟାଚାରୀଙ୍କ ପାର୍ଟିରେ ପରିଣତ ହୋଇଛି ବୋଲି ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କହିଛନ୍ତି । କଂଗ୍ରେସ କହିଛି ଯେ, କେଜରୀୱାଲ ନାଟକ କରୁଛନ୍ତି । ଯଦି ଇସ୍ତଫା ଦେବାର ଥିଲା, ତାହା ହେଲେ ଆଗରୁ ଦେଇଥାଆନ୍ତେ ବୋଲି କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ କହିଛନ୍ତି । ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ବିଶ୍ୱାସ ଭାଜନ ପାଇଁ ଆମ ଆଦମୀ ପାର୍ଟି ମୁଖିଆଙ୍କ ଏହା ଏକ ସୁଚିନ୍ତିତ ରଣନୀତି ବୋଲି କୁହାଯାଉଛି ।

Comments are closed.