Latest Odisha News

କେନ୍ଦୁପତ୍ର କର୍ମଚାରୀଙ୍କୁ ମିଳିଲା ସହାୟତା, ହିତାଧିକାରୀଙ୍କ ଖାତାକୁ ଗଲା ୪୩ କୋଟି

ଭୁବନେଶ୍ୱର: ଘୋଷଣା ଅନୁଯାୟୀ ଆଜି ସହାୟତା ପାଇଛନ୍ତି କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସିଜିନାଲ୍ କର୍ମଚାରୀ । ମଧ୍ୟବର୍ତ୍ତୀ କାଳୀନ ସହୟତା ଭାବରେ ତୋଳାଳି ୧ ହଜାର ଟଙ୍କା ପାଇଥିବା ବେଳେ ବନ୍ଧାଳି ଓ ସିଜିନାଲ କର୍ମଚାରୀଙ୍କୁ ମିଳିଛି ୧୫୦୦ ଟଙ୍କା । ଆଜି ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ବଣ୍ଟନ କରିଛନ୍ତି ।

ହିତାଧିକାରୀଙ୍କ ଖାତାକୁ ୪୩ କୋଟି ଟଙ୍କା ପଠାଯାଇଛି । DBT ଜରିଆରେ ଏହି ସହାୟତା ହିତାଧିକାରୀଙ୍କ ବ୍ଯାଙ୍କ ଖାତାରେ ଜମା ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗରିବ ଲୋକର ଖୁସି ହିଁ ତାଙ୍କର ସବୁଠାରୁ ବଡ଼ ଖୁସି । ଗରିବ ଲୋକଙ୍କ ସହ ସେ ସବୁବେଳେ ରହିଛନ୍ତି । ସେମାନଙ୍କ କଲ୍ଯାଣ ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଉପନିର୍ବାଚନ ଆଚରଣବିଧି ଉଠିବା ପରେ ବରଗଡ଼ ଜିଲ୍ଲାର କେନ୍ଦୁପତ୍ର ତୋଳାଳି ଓ ଅନ୍ଯ କେନ୍ଦୁପତ୍ର କର୍ମଚାରୀ ମାନଙ୍କୁ ଏ ସବୁ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କେନ୍ଦୁପତ୍ର ହେଉଛି ଗରିବ ଲୋକର ଦାନା ପାଣିର କଥା । ତେଣୁ ତା ଉପରେ 18%GST କୁ ନାପସନ୍ଦ କରି ଏହାର ସମ୍ପୂର୍ଣ୍ଣ ଉଛେଦ ପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ କେନ୍ଦ୍ର ନିକଟରେ ଦାବି କରିଥିଲେ ।

ଆଜି ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, କନ୍ଧମାଳ, ବୌଦ୍ଧ, କେନ୍ଦୁଝର ଦେବଗଡ଼ ଓ ବଲାଙ୍ଗିର ଆଦି ୧୨ଟି ଜିଲ୍ଲାର ୧୭ଟି ଡିଭିଜନର ହିତାଧିକାରୀ ମାନଙ୍କୁ ଆଜି ସହାୟତା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ଙ୍କ କଲ୍ଯାଣ ପାଇଁ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।

ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଡା. ମୋନା ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଜଙ୍ଗଲ ପରିବେଶ ବିଭାଗ ର ବରିଷ୍ଠ ଅଧିକାରୀ ମାନେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ହିତାଧିକାରୀ ଶାନ୍ତନୁ କୁମାର ଭୋଇ , ଝାରସୁଗୁଡ଼ାର ପୁଷ୍ପ ଲତା ଭଇଁଶା ଓ ନୂଆପଡ଼ାର ଇଶ୍ଵର ଶବର ଙ୍କ ସହ ସହାୟତା ବିଷୟରେ ଆଲୋଚନା କରି ଏହି ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

Leave A Reply

Your email address will not be published.