ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଦେଶରେ ଯେକୌଣସି ମୁହୁର୍ତ୍ତରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ଏହା ଭିତରେ ରାଜନୈତିକ ଦଳ ଗୁଡିକ ପରସ୍ପରକୁ କାଦୁଅ ଫିଙ୍ଗା ଫିଙ୍ଗି ହେଉଛନ୍ତି । ଏହା ଭିତରେ କଂଗ୍ରେସ ସାଂସଦ ଆଣ୍ଟୋ ଆଣ୍ଟୋନି ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।
ସେ କହିଛନ୍ତି ଯେ, ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କ ବଳିଦାନର ସୁଯୋଗ ନେଇ ବିଜେପି ୨୦୧୯ ଲୋକସଭା ନିର୍ବାଚନ ଜିତିଛି । ଏହା ସହ ସେ ଆହୁରି ଦାବି କରିଛନ୍ତି ଯେ, ପୁଲୱାମା ଆକ୍ରମଣରେ ପାକିସ୍ତାନର କୌଣସି ସମ୍ପୃକ୍ତି ନାହିଁ ।
କେନ୍ଦ୍ର ସରକାରଙ୍କୁ ଲକ୍ଷ୍ୟ କରି ଆଣ୍ଟୋନି ପ୍ରଶ୍ନ କରିଛନ୍ତି ଯେ, ‘ଦେଶକୁ ସୁରକ୍ଷା ଦେବାବେଳେ କଷ୍ଟସାଧ୍ୟ ଅଞ୍ଚଳରେ ନିୟୋଜିତ ହୋଇଥିବା ୪୨ ଜଣ ଯବାନଙ୍କ ବଳିଦାନର ସୁଯୋଗ ନେଇ ସେମାନେ ଗତ ନିର୍ବାଚନରେ ଜିତି ନାହାଁନ୍ତି କି?
ସେ ଆହୁରି କହିଛନ୍ତି ଯେ, ‘କେନ୍ଦ୍ର ସରକାରଙ୍କ ଚଳିତଥର ନିର୍ବାଚନ ଟ୍ରମ୍ପ କାର୍ଡ ହେଉଛି, ନାଗରିକତା ସଂଶୋଧନ ଆଇନର ନିୟମକୁ ଜଣାଇବା’ ।
ପୃଥ୍ୱୀମନ୍ଥ ଲୋକସଭା ଆସନରୁ ଆଣ୍ଟୋନି ହେଉଛନ୍ତି କଂଗ୍ରେସ ପ୍ରାର୍ଥୀ । ସେ ୨୦୧୪ ରୁ ଏହି ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି ।
ଆଣ୍ଟୋନିଙ୍କ ବିବୃତ୍ତି ଉପରେ ଦୃଢ ପ୍ରତିକ୍ରିୟା ରଖିଛି ବିଜେପି । ସାସଂଦ ଆଣ୍ଟୋ ଆଣ୍ଟୋନି ଙ୍କ ବିରୋଧରେ ଦେଶଦ୍ରୋହ ମାମଲା ପଞ୍ଜିକରଣ କରିବାକୁ ଦାବି କରିଛି ।
Comments are closed.