ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ଏସ.ଶ୍ରୀସନ୍ଥଙ୍କ ଉପରୁ ବାସନ୍ଦ ଦଣ୍ଡାଦେଶ ହଟିଛି । କେରଳ କ୍ରିକେଟ ଆସୋସିଏଶନର ଏହି ନିଷ୍ପତି ଶ୍ରୀସନ୍ଥଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ଏଥିସହ କେସିଏ ଓ ଶ୍ରୀସନ୍ଥଙ୍କ ମଧ୍ୟରେ ଉପୁଜିଥିବା ବିବାଦର ମଧ୍ୟ ଅନ୍ତ ଘଟିଛି । ସଞ୍ଜୁ ସାମସନଙ୍କ ଚୟନକୁ ନେଇ କେସିଏକୁ ଶ୍ରୀସନ୍ଥ ସମାଲୋଚନା କରିଥିଲେ । ଏହା ପରେ ବିବାଦ ବଢ଼ିଥିଲା ଏବଂ ଶ୍ରୀସନ୍ଥଙ୍କୁ ବ୍ୟାନ କରାଯାଇଥିଲା । ଜୁଲାଇ ୧ରେ କେସିଏ ବୈଠକରେ ସର୍ବସମ୍ମତିକ୍ରମେ ଶ୍ରୀସନ୍ଥଙ୍କ ଉପରୁ ଦଣ୍ଡାଦେଶ ପ୍ରତ୍ୟାହାର କରିବା ନେଇ ସହମତି ହୋଇଥିଲା ।
ଶ୍ରୀସନ୍ଥ ତାଙ୍କ ବ୍ୟବହାର ନେଇ କ୍ଷମା ପ୍ରାର୍ଥନା କରିଥିଲେ । କେସିଏ ଏ ନେଇ ବିଧିବଦ୍ଧ ଭାବେ ବୟାନ ମଧ୍ୟ ଜାରୀ କରିଛି । ଭବିଷ୍ୟତରେ ଯଦି ଶ୍ରୀସନ୍ଥ ଏ ଭଳି ତ୍ରୁଟିର ପୂନରାବୃତି କରିବେ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗତ କେସିଏଲ ସିଜନ ଅବସରରେ ସାମସନଙ୍କୁ କେରଳ ଓ ଭାରତ ଟିମରୁ ବାହାର କରାଯିବାକୁ ସେ ସମାଲୋଚନା କରିଥିଲେ । ଏହା ଦ୍ୱାରା କେସିଏର ଛବି ଖରାବ ହୋଇଥିବା ଦର୍ଶାଇ ଆସୋସିଏଶନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।
