ପୁରୀ: ପୁଣି ଅନଲାଇନରେ ଦେଖିବାକୁ ମିଳିଛି ମହାପ୍ରସାଦ ବିଜ୍ଞାପନ । ମଙ୍ଗଳବାର ପୁଣି ଏକ ସଂସ୍ଥା ସୋସିଆଲ ମିଡିଆରେ ‘ଖଜା’ ଓ ‘ନିର୍ମାଲ୍ୟ’ ପୁଡ଼ିଆର ଚିତ୍ର ପୋଷ୍ଟ କରି ଅର୍ଡର ଦେବାକୁ ନିବେଦନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜେଲ୍ ଦଣ୍ଡର ଭୟ ଦେଖାଯାଥିବା ସତ୍ତ୍ବେ କିଛି ଅନୁଷ୍ଠାନର ଏଭଳି ମନମାନିକୁ ନେଇ ଆମ୍ ଆଦମୀ ପାର୍ଟି (ଆପ୍) କର୍ମକର୍ତ୍ତା ଏବଂ ଖଜା ବ୍ୟବସାୟୀ ପକ୍ଷରୁ ସାଇବର ଥାନାରେ ଏତଲା ଦେଇଛନ୍ତି ।
ଲିଖିତ ଅଭିଯୋଗ ଅନୁସାରେ, ହରେକୃଷ୍ଣ ନାମକ ଏକ ଟିଭିର ଫେସବୁକ ପୋଷ୍ଟରେ ଏକ କେଜି ଖଜାର ମୂଲ୍ୟ ୧୨ଶହ ଟଙ୍କା ରହିଛି । ଯେତବେଳେ କି ପୁରୀରେ ଖଜାର ଦର ୨ ଶହରୁ ଆରମ୍ଭ, ହେଲେ ଏହି ସୋସିଆଲ୍ ମିଡିଆରେ ବିଜ୍ଞାପନ ଦେଇ ୧୨ଶହ ଟଙ୍କାରେ ବିକ୍ରି କରୁଛନ୍ତି । ତେବେ ଉକ୍ତ ସଂସ୍ଥା ଅର୍ଡର ରଖିବା ପରେ ଯେଉଁ ଖଜାକୁ ମହାପ୍ରସାଦ କହି ଲୋକଙ୍କ ନିକଟରେ ପହଞ୍ଚାଉଛି, ତାହା ପ୍ରକୃତରେ ମହାପ୍ରସାଦ ନୁହଁ କିନ୍ତୁ ଲୋକେ ଏହାକୁ ବିଶ୍ବାସର ସହ ମହାପ୍ରସାଦ ଭାବି ପାଉଥିବେ, ଯାହା ଭକ୍ତଙ୍କ ଭାବାବେଗ ପ୍ରତି କୁଠାର ଘାତ ଅଟେ ।
ଆପ୍ ର ଜିଲ୍ଲା ସଭାପତି ସଂଜୀବ ମହାନ୍ତି କହିଛନ୍ତି, ଗତକାଲି ଉକ୍ତ ସୋସିଆଲ୍ ସାଇଟ୍ରେ ଏହି ଅନଲାଇନ ମହାପ୍ରସାଦ ବିକ୍ରିର ବିଜ୍ଞାପନ ଦେଖିବା ପରେ ଆଜି ଆମେ ସାଇବର ଥାନାରେ ଲିଖିତ ଅଭିଯୋଗ ଦେଇଛୁ । ମହାପ୍ରସାଦ ନାଁ’କୁ ବ୍ୟବହାର କରି ଅନଲାଇନ୍ରେ ବ୍ୟବସାୟ କରିବା ଏବଂ ଭକ୍ତଙ୍କୁ ଠକିବା ଶ୍ରୀକ୍ଷେତ୍ରର ମର୍ଯ୍ୟାଦାକୁ ହାନି ପହଞ୍ଚାଉଛି । ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ବାରମ୍ବାର ଏଭଳି ଦୃଶ୍ୟ ସାମ୍ନାକୁ ଆସୁଥିବା ସତ୍ତ୍ବେ ଏହାକୁ ରୋକିବାରେ ସାଇବର ଥାନା କାହିଁକି ଫେଲ୍ ମାରିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଅନଲାଇନରେ ମହାପ୍ରସାଦ ନାମରେ ଖଜା ବିକ୍ରିର ପ୍ରଭାବ କେବଳ ଆଧ୍ୟାତ୍ମିକ ଭାବନା ଉପରେ ପଡ଼ିବ ନାହିଁ, ବରଂ ସାଧାରଣ ଖଜା ବ୍ୟବସାୟୀଙ୍କ ଉପରେ ମଧ୍ୟ ଏହାର ବଡ଼ ପ୍ରଭାବ ପଡ଼ିବ। ତୁରନ୍ତ ସାଇବର ଥାନା ଏ ଦିଗରେ ତତ୍ପରତା ପ୍ରକାଶ କରୁ ବୋଲି ସେ କହିଛନ୍ତି ।
Comments are closed.